ଆଣ୍ଡରସନ୍‌ଙ୍କ ୬୦୦ ୱିକେଟ୍‌ ମାଇଲଖୁଣ୍ଟ: ମ୍ୟାଚ୍‌ ଅମୀମାଂସିତ, ଇଂଲଣ୍ଡର ଶୃଙ୍ଖଳା ବିଜୟ

ସର୍ବକାଳୀନ ଅଗ୍ରଣୀ ଟେଷ୍ଟ୍‌ ବୋଲର୍‌ (ଅନ୍ୟୁନ ୫୦୦ ୱିକେଟ୍‌)

ସାଉଥାମ୍ପଟନ୍‌: ବିଶ୍ବର ଚତୁର୍ଥ ଏବଂ ଇଂଲଣ୍ଡର ପ୍ରଥମ ବୋଲର ଭାବେ ଜେମ୍ସ ଆଣ୍ଡରସନ୍‌ ୬୦୦ ଟେଷ୍ଟ୍‌ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ରୋଜ୍‌ ବାଉଲ୍‌ରେ ମଙ୍ଗଳବାରେ ଶେଷ‌ ହୋଇଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ପଞ୍ଚମ ଦିବସରେ ଆଝାର ଅଲୀଙ୍କୁ ଅଧିନାୟକ ଜୋ ରୁଟଙ୍କ ହାତରେ କ୍ୟାଚ୍‌ କରାଇ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ଆଣ୍ଡରସନ୍‌। ୨୦୦୩ ମସିହାରେ ଲର୍ଡସରେ ଜିମ୍ବାୱେ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା ଆଣ୍ଡରସନ୍‌ ବିଶ୍ବର ପ୍ରଥମ ଦ୍ରୁତ ବୋଲର ଭାବେ ୬୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଆଣ୍ଡରସନଙ୍କ ଉପରେ ରହିଛନ୍ତି ୩ ସ୍ପିନର୍‌ ମୁଥୟା ମୁରଲୀଧରନ (୮୦୦), ସେନ୍‌ ୱର୍ନ (୭୦୮) ଏବଂ ଅନିଲ କୁମ୍ବଲେ (୬୧୯)। ଗତ ଟେଷ୍ଟରେ ଆଣ୍ଡରସନଙ୍କ ନୂଆ ବଲ୍‌ ବୋଲିଂ ସାଥୀ ଷ୍ଟୁଆର୍ଟ ବ୍ରଡ ୫୦୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ପଦାର୍ପଣରେ ୫ ୱିକେଟ୍ ନେଇ ଟେଷ୍ଟ୍ କ୍ରିକେଟକୁ ଆସିଥିବା ଆଣ୍ଡରସନ୍‌ ଏହି ଟେଷ୍ଟର ପ୍ରଥମ ପାଳିରେ ମଧ୍ୟ ୫ ୱିକେଟ୍‌ ନେଇଥିଲେ।

ଆଣ୍ଡରସନ୍‌ଙ୍କ ମାଇଲଖୁଣ୍ଟ୍ ଶିକାର: ପ୍ରଥମ-ମାର୍କ ଭର୍ମୁଲେନ୍ (୨୦୦୩), ୫୦ତମ- ଏମଏସ ଧୋନି (୨୦୦୭), ୧୦୦ତମ-ଜ୍ୟାକ୍ କାଲିସ୍ (୨୦୦୮), ୨୦୦ତମ-ପିଟର ସିଡଲ୍ (୨୦୧୦), ୩୦୦ତମ-ପିଟର୍ ଫୁଲଟନ୍ (୨୦୧୩), ୪୦୦ତମ-ମାର୍ଟିନ୍ ଗପ୍ଟିଲ୍ (୨୦୧୫), ୫୦୦ତମ-କ୍ରେଗ୍ ବ୍ରାଥ୍‌ୱେଟ୍‌ (୨୦୧୭), ୬୦୦ତମ-ଆଝାର ଅଲୀ (୨୦୨୦)। ସର୍ବାଧିକ ଶିକାର: ୧୧ଥର-ପିଟର୍ ସିଡଲ୍ (ଅଷ୍ଟ୍ରେଲିଆ), ୯ ଥର-ସଚିନ ତେନ୍ଦୁଲକର/ମାଇକେଲ୍ କ୍ଲାର୍କ/‌ଡେଭିଡ୍‌ ୱାର୍ନର/ଆଝାର୍ ଅଲୀ।

ପ୍ରଥମ ଦ୍ରୁତ ବୋଲରଙ୍କ ମାଇଲଖୁଣ୍ଟ: ୧୦୦-ଚାର୍ଲି ଟର୍ନର (୧୮୯୫), ୨୦୦-ଆଲେକ ବେଡଷ୍ଟର୍‌ (୧୯୫୩), ୩୦୦-ଫ୍ରେଡ୍ ଟ୍ର୍ୟୁମ୍ୟାନ୍‌ (୧୯୬୪), ୪୦୦-ରିଚାର୍ଡ ହାଡଲି (୧୯୯୦), ୫୦୦-କର୍ଟନି ୱାଲ୍ସ (୨୦୦୧), ୬୦୦- ଜେମ୍ସ ଆଣ୍ଡରସନ୍ (୨୦୨୦)। ୬୦୦ ୱିକେଟ୍ ବେଳକୁ ବୋଲିଂ ବଲ୍‌: ମୁଥୟା ମୁରଲୀଧରନ (୩୩,୭୧୧), ଜେମ୍ସ ଆଣ୍ଡରସନ୍ (୩୩,୭୧୭), ସେନ୍ ୱର୍ନ (୩୪,୯୧୯), ଅନିଲ କୁମ୍ବଲେ (୩୮,୪୯୬)।

ମ୍ୟାଚ୍‌ ଅମୀମାଂସିତ, ଇଂଲଣ୍ଡର ଶୃଙ୍ଖଳା ବିଜୟ
ପାକିସ୍ତାନ-ଇଂଲଣ୍ଡ ତୃତୀୟ ତଥା ଶେଷ ଟେଷ୍ଟ୍ ବର୍ଷା କାରଣରୁ ଅମୀମାଂସିତ ରହିଛି। ମଙ୍ଗଳବାର ଶେଷ ଦିନ ପ୍ରଥମ ଦୁଇ ଅଧିବେଶନ ଖେଳ ବର୍ଷା ଓ ଓଦା ପଡିଆ କାରଣରୁ ସମ୍ଭବ ହୋଇନଥିଲା। ଚା’ପାନ ପରେ ଖେଳ ଆରମ୍ଭ ହେବା ମାତ୍ରେ ଆଝାର ଅଲୀଙ୍କୁ ଆଣ୍ଡରସନ୍‌ ୬୦୦ତମ ଶିକାର କରିନେଇଥିଲେ। ତେବେ ବାବର ଆଜମ ଏବଂ ଅସଦ ସଫିକଙ୍କ ମଧ୍ୟରେ ହୋଇଥିବା ଅର୍ଦ୍ଧଶତକ ଭାଗୀଦାରି ପାକିସ୍ତାନକୁ ସୁରକ୍ଷିତ ରଖିଥିଲା। ପ୍ରଥମ ଟେଷ୍ଟରେ ପାକିସ୍ତାନ ହାରିଥିବାରୁ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ପରାଜୟ ସ୍ବୀକାର କରିଥିଲା। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଇଂଲଣ୍ଡ ୧-୦ରେ ଜିତି ଲାଗାତାର ସଫଳତା ପାଇଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୫୮୩/୮, ଘୋଷିତ (ଜାକ୍ କ୍ରଲି-୨୬୭, ଜୋସ୍ ବଟ୍ଟଲର୍‌-୧୫୨, ଫୱାଦ ଆଲାମ-୨/୪୬, ସାହିନ୍ ସାହା ଆଫ୍ରିଦୀ-୨/୧୨୧, ୟାସିର୍ ସାହା-୨/୧୭୩)। ପାକିସ୍ତାନ ପ୍ରଥମ ପାଳି: ୨୭୧ (ଆଝାର ଅଲୀ-୧୪୧, ମହମ୍ମଦ ରିଜୱାନ-୫୩, ଜେମ୍ସ ଆଣ୍ଡରସନ୍‌-୫/୫୬, ଷ୍ଟୁଆର୍ଟ ବ୍ରଡ୍‌-୨/୪୦)। ପାକିସ୍ତାନ ଦ୍ବିତୀୟ ପାଳି (ଫଲୋଅନ୍): ୮୩.୧ ଓଭରରେ ୧୮୭/୪ (ଅବିଦ ଅଲୀ-୪୨, ଆଝାର୍ ଅଲୀ-୩୧, ବାବର ଆଜମ-୬୩*, ଅସଦ୍ ସଫିକ-୨୧*,ଜେମ୍ସ ଆଣ୍ଡରସନ୍‌-୨/୩୩, ଜୋ ରୁଟ୍‌-୧/୧୭, ଷ୍ଟୁଆର୍ଟ ବ୍ରଡ୍‌-୧/୨୬)।

ସମ୍ବନ୍ଧିତ ଖବର