ଦୁର୍ଘଟଣାରେ ସାଇମଣ୍ଡ୍ସଙ୍କ ପରଲୋକ: କ୍ରିକେଟ୍ ଜଗତ ସ୍ତବ୍ଧ, ‘ମଙ୍କିଗେଟ୍’ ପାଇଁ ବିବାଦୀୟ ହୋଇଥିଲେ

ମାଛ ମାରିବାକୁ ଯାଇ ଦଳରୁ ବିଦା ହୋଇଥିଲେ, ବାପା ମା’ଙ୍କୁ ଭେଟୁନଥିଲେ

ସିଡ୍‌ନି: ଅଷ୍ଟ୍ରେଲିଆ ଚର୍ଚ୍ଚିତ ଅଲରାଉଣ୍ଡର, ଆଇପିଏଲ୍‌ର ପୂର୍ବତନ ତାରକା ତଥା ଦୁଇଥର ବିଶ୍ବକପ୍ ବିଜେତା ଆଣ୍ଡ୍ରୁ ସାଇମଣ୍ଡ୍ସଙ୍କ ରବିବାର ଏକ ଭୟଙ୍କର କାର୍ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ଏହି ଦୁଃଖଦ ତଥା ହୃଦୟବିଦାରକ ଘଟଣା ସଂପୂର୍ଣ୍ଣ କ୍ରିକେଟ୍ ଜଗତକୁ ସ୍ତବ୍ଧ କରି ଦେଇଛି। ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। କେହି ଯେମିତି ବିଧିର ଏହି ନିଷ୍ଠୁର ବିଧାନକୁ ବିଶ୍ବାସ କରି ପାରୁ ନାହାନ୍ତି। ୪୬ ବର୍ଷୀୟ ସାଇମଣ୍ଡ୍ସ ପଛରେ ପତ୍ନୀ ଏବଂ ଦୁଇ ଛୋଟ ଛୋଟ ପିଲାଙ୍କୁ ଛାଡ଼ିଯାଇଛନ୍ତି। ତାଙ୍କ ଅକାଳ ବିୟୋଗ ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଗତ ଦୁଇ ମାସ ଭିତରେ ପୂର୍ବତନ ସ୍ପିନର ସେନ୍ ୱର୍ଣ୍ଣ ଏବଂ ପୂର୍ବତନ ୱିକେଟ୍ ରକ୍ଷକ ରଡ୍‌ନି ମାର୍ସଙ୍କ ସହ ତିନିଜଣ ମହାନ କ୍ରିକେଟର୍‌ଙ୍କୁ ହରାଇଛି।

ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ପ୍ରଦେଶ ପୁଲିସ୍ ରବିବାର ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ସାଇମଣ୍ଡ୍ସଙ୍କ ମର୍ମନ୍ତୁଦ ଦୁର୍ଘଟଣା ଉତ୍ତରପୂର୍ବ ଅଷ୍ଟ୍ରେଲିଆର ଟାଉନ୍ସଭିଲ୍ଲେଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ହର୍ଭି ରେଞ୍ଜ୍ ରୋଡ୍‌ରେ ଘଟିଥିଲା। ଗତରାତି ପ୍ରାୟ ୧୧ଟା ବେଳେ ସାଇମଣ୍ଡ୍ସ ଏକୁଟିଆ ଯାତ୍ରା କରୁଥିଲା ବେଳେ ହର୍ଭି ରେଞ୍ଜ୍ ରୋଡ୍‌ର ଆଲିସ୍ ପୋଲଠାରେ ନିଜ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ପଥରରେ ପିଟି ହୋଇ କାରଟି ଭାଙ୍ଗି ଚୁରମାର ହୋଇଯାଇଥିଲା ଏବଂ ସାଇମଣ୍ଡ୍ସ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଏହି କାରଣରୁ ମୃତ୍ୟୁ ବରଣ କରିଥିଲେ। ଜରୁରିକାଳୀନ ସେବା ବିଭାଗର ଚିକିତ୍ସକମାନେ ତାଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥି‌ଲେ।

କ୍ରିକେଟ୍ ଜଗତ ସ୍ତବ୍ଧ
ଜଣେ ଆକ୍ରାମକ ବ୍ୟାଟର୍‌ ଭାବେ ପରିଚିତ ସାଇମଣ୍ଡ୍ସ ମଧ୍ୟମଗତି ସହ ସ୍ପିନ୍ ବୋଲିଂ ମଧ୍ୟ କରି ପାରୁଥିଲେ। ସେ ବି ଜଣେ ଚମତ୍କାର କ୍ଷେତ୍ରରକ୍ଷକ ଥିଲେ। ୧୯୯୮ରୁ ୨୦୦୯ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ୨୮ ଟେଷ୍ଟ୍, ୧୯୮ ଦିନିକିଆ ଏବଂ ୧୪ ଟ୍ବେଣ୍ଟି-୨୦ ଖେଳିଥିବା ସାଇମଣ୍ଡ୍ସ ୨୦୦୩ ଏବଂ ୨୦୦୭ ମସିହାରେ ଅଷ୍ଟ୍ରେଲିଆ ଏକଦିବସୀୟ ବିଶ୍ବକପ୍ ଜିତିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୨୦୦୦ ମସିହାର ଆଦ୍ୟଭାଗରେ ସେ ମଧ୍ୟ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳର ନିୟମିତ ସଦସ୍ୟ ଥିଲେ।
ସାଇମଣ୍ଡ୍ସଙ୍କ ଭଳି ଜଣେ ଖୁସ୍‌ମିଜାଜ ପୂର୍ବତନ କ୍ରିକେଟର୍ ଯେଭଳି ଢଙ୍ଗରେ ପ୍ରାଣ ହରାଇଲେ ତାହା କେବଳ ଅଷ୍ଟ୍ରେଲିଆ ନୁହେଁ ସମଗ୍ର କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଛି। ସାରା ବିଶ୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରେସ୍ ବିଜ୍ଞପ୍ତି ଜାରି କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛି। କ୍ରିକେଟ୍ ଜଗତ ଏହି ଖବରକୁ ଏବେବି ବିଶ୍ବାସ କରି ପାରୁ ନଥିଲା ବେଳେ ସାଥୀ ଏବଂ ଏବେକାର ଅଷ୍ଟ୍ରେଲୀୟ, ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ତଥା କ୍ରିକେଟ୍ ଖେଳୁଥିବା ବିଶ୍ବର ଅଗଣିତ ଦେଶର କ୍ରିକେଟରମାନେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସେହିଭଳି ସଂଜୟ ଦତ୍ତ, ଫାରହାନ ଅଖତର, ଅର୍ଜୁନ ରାମପାଲ, ନୀଳମାଧବ ପଣ୍ଡା, ରାହୁଲ ପୋଷଙ୍କ ଭଳି ବଲିଉଡ୍ ସେଲିବ୍ରିଟି ମଧ୍ୟ ସାଇମଣ୍ଡ୍ସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

‘ମଙ୍କିଗେଟ୍’ ପାଇଁ ବିବାଦୀୟ ହୋଇଥିଲେ
ନିଜକୁ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାପିତ କରି ସାରିଥିବା ସାଇମଣ୍ଡ୍ସ ୨୦୦୮ ମସିହାର ‘ମଙ୍କିଗେଟ୍’ ଘଟଣା ପାଇଁ ବେଶ୍ ବିବାଦୀୟ ହୋଇଥିଲେ। ୨୦୦୭-୦୮ ମସିହାରେ ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଏହି ଘଟଣା ଘଟିଥିଲା। ସିଡ୍‌ନି ଟେଷ୍ଟ୍‌ରେ ସାଇମଣ୍ଡ୍ସ ବ୍ୟାଟିଂ କରୁଥିଲା ବେଳେ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ସହ ତାଙ୍କର ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଉଭୟ ପରସ୍ପରକୁ କଟାକ୍ଷ ଏବଂ ଟାହି ଟାପରା ବି କରିବାକୁ ପଛାଇ ନଥିଲେ। ଖେଳ ଶେଷ ହେବା ପରେ ହରଭଜନ ତାଙ୍କୁ ମାଙ୍କଡ଼ ସମ୍ବୋଧନ କରିଥିବା ସାଇମଣ୍ଡ୍ସ ଅଭିଯୋଗ କରିଥିଲେ। ଫଳରେ ହରଭଜନଙ୍କୁ ମ୍ୟାଚ୍ ରେଫରି ତିନିଟି ଟେଷ୍ଟ୍‌ରୁ ବାସନ୍ଦ କରିଥିଲେ। ଗସ୍ତ ରଦ୍ଧ କରିବାକୁ ବିସିସିଆଇ ଧମକ ଦେଇଥିଲା। ମାମଲା ସିଡ୍‌ନିର ଏକ ସ୍ଥାନୀୟ ଅଦାଲତରେ ପହଞ୍ଚି ଯାଇଥିଲା। ସାଇମଣ୍ଡ୍ସଙ୍କୁ ଭଜି ମାଙ୍କଡ଼ ଡାକିବାର କୌଣସି ପ୍ରମାଣ ମିଳି ନଥିଲା। ଫଳରେ ଭଜିଙ୍କ ଉପରୁ ତିନି ମ୍ୟାଚ୍‌ର ବାସନ୍ଦାଦେଶକୁ ହଟାଇ ଦିଆଯାଇଥିଲା।

ମାଛ ମାରିବାକୁ ଯାଇ ଦଳରୁ ବିଦା ହୋଇଥିଲେ
୨୦୦୮ ମସିହାର ମଙ୍କିଗେଟ୍ ଘଟଣା ପରେ ପ୍ରକୃତରେ ସାଇମଣ୍ଡ୍ସ କ୍ୟାରିୟର ଗ୍ରାଫ୍ ତଳମୁହାଁ ହୋଇଥିଲା। ଏହା ପରେ ମଧ୍ୟପାନ କରିବା ସହ ବିଶୃଙ୍ଖଳିତ ଆଚରଣ ପାଇଁ ଅଷ୍ଟ୍ରେଲିଆ ଦଳରୁ ଏକାଧିକବାର ବିତାଡ଼ିତ ହୋଇଥିଲେ ସେ। ୨୦୦୮ ଅଗଷ୍ଟ ମାସରେ ଡାରୱିନଠାରେ ବାଂଲାଦେଶ ବିପକ୍ଷ ଶୃଙ୍ଖଳା ଖେଳିବାର ଥିଲା ସେ। ହେଲେ କାହାକୁ କିଛି ନଜଣାଇ ମାଛମାରିବାକୁ ଚାଲିଯାଇଥିଲେ ସେ। ଫଳରେ ଦଳୀୟ ବୈଠକରେ ଯୋଗଦେଇ ପାରି ନଥିଲେ। ଫଳରେ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। ସେହିବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ଦଳକୁ ଫେରିଥିଲେ ମଧ୍ୟ ସେ ଆଉ କ୍ରିକେଟ୍ ଉପରେ ବିଶେଷ ଧ୍ୟାନ ଦେଇ ନଥିଲେ। ୨୦୦୯ ଜୁନ୍‌ରେ ଇଂଲଣ୍ଡରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ମଦ୍ୟପାନ କରିବା ଘଟଣା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ଘରକୁ ପଠାଇ ଦେଇଥିଲା। ଫେବ୍ରୁଆରି ୨୦୧୨ରେ ପରିବାରକୁ ସମୟ ଦେବା ଲାଗି କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ସାଇମଣ୍ଡ୍ସ।

ବାପା ମା’ଙ୍କୁ ଭେଟୁନଥିଲେ
ସାଇମଣ୍ଡସଙ୍କ ସମ୍ପର୍କରେ ଏକ ଅଜବ ଖବର ପଦାକୁ ଆସିଛି। ଏ ବାବଦରେ ଆଗରୁ କେ‌ହି ଜାଣିନଥିଲେ। ଯଦିଓ ସେ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ କିନ୍ତୁ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ। ସାଇମଣ୍ଡସ୍ ତାଙ୍କ ପ୍ରକୃତ ପିତାମାତାଙ୍କୁ କେବେବି ଭେଟି ନଥିଲେ। ସେ ନିଜେ ଏହି ବିଷୟରେ ଥରେ କହିଥିଲେ। ୯ ଜୁନ୍ ୧୯୭୫ରେ ଇଂଲଣ୍ଡର ବର୍ମିଂହାମରେ ମୋର ଜନ୍ମ ହୋଇଥିଲା। ମୁଁ ଏକ ପୋଷ୍ୟ ସନ୍ତାନ ଥିଲି ତେଣୁ ମୁଁ ମୋର ପ୍ରକୃତ ପିତାମାତାଙ୍କୁ ମଧ୍ୟ ଜାଣେ ନାହିଁ। ମୁଁ ତାଙ୍କୁ କେବେ ବି ସାକ୍ଷାତ କରି ନାହିଁ। ପ୍ରକୃତରେ, ସାଇମଣ୍ଡସ ଜନ୍ମ ପରେ ହିଁ ତାଙ୍କ ପ୍ରକୃତ ପିତାମାତା ତାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଛାଡି ଦେଇଥିଲେ। ସେ ୩ ମାସ ବୟସର ହୋଇଥିବାବେଳେ ତାଙ୍କୁ କେନେଥ୍‌ ୱାଲ୍ଟର ଏବଂ ବାର୍ବରା ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର