ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ଗତ ରବିବାର ଅଷ୍ଟ୍ରେଲିଆଠାରୁ ଭାରତ ୨୦୯ ରନ୍ରେ ପରାସ୍ତ ହୋଇଥିଲା। ଲଣ୍ଡନ୍ର ଓଭାଲ ଷ୍ଟାଡିୟମରେ ଭାରତ ଦ୍ବିତୀୟ ପାଳିରେ ୨୩୪ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତ ପ୍ରଥମ ପାଳିରେ ୨୯୬ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍ କରିଥିଲା। ତେଣୁ ଅଷ୍ଟ୍ରେଲିଆ ୧୭୩ ରନ୍ରେ ଅଗ୍ରଣୀ ଥିଲା। ଶେଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆଠାରୁ ୨୦୯ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭାରତ ହାରିବା ପରେ ସମସ୍ତେ ଅଧିନାୟକ ରୋହିତ ଶର୍ମାଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ୱେଷ୍ଟ ଇଣ୍ଡିଜର ବରିଷ୍ଠ କ୍ରିକେଟର ଆଣ୍ଡି ରର୍ବଟ୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ସେ ଭାରତୀୟ ଟିମକୁ ଅହଂକାରୀ ବୋଲି କହିଛନ୍ତି। ମିଡ୍ ଡେ’କୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଅହଂକାର ଭାରତୀୟ ଟିମ ଭିତରେ ପ୍ରବେଶ କରିଛି। ଭାରତୀୟ ଟିମ ନିଜକୁ ବଡ଼ ବୋଲି ଭାବି ଦୁନିଆକୁ ଛୋଟ ବୋଲି ଭାବୁଛି। କାହା ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ୍, ଟେଷ୍ଟ ନା ସୀମିତ ଓଭରର କ୍ରିକେଟ ତାହା ଭାରତୀୟ ଟିମ ଜାଣିବା ଜରୁରୀ। ଟି-୨୦ କ୍ରିକେଟର ନିଜର ଫର୍ମାଟ ରହିଛି। ସେଠାରେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ। ମୁଁ ଆଶା କରିଥିଲି ଭାରତ ପଡ଼ିଆରେ ନିଜର ଉତ୍କୃଷ୍ଟ ବ୍ୟାଟିଂ କୌଶଳ ଦେଖାଇବ। ହେଲେ ତାହା ହେଲା ନାହିଁ। ଆଜିଙ୍କ୍ୟ ରାହାଣେ ଭଲ ପ୍ରଦର୍ଶନ କରିବାକୁ ବହୁତ ଚେଷ୍ଟ କରିଥିଲେ, ହେଲେ ଶେଷରେ ତାଙ୍କ ହାତରେ ବଲ ବାଜି ଯାଇଥିଲା। ଭାରତ ପାଖରେ ଭଲ ଖେଳାଳି ଅଛନ୍ତି, ହେଲେ ସେମାନେ ଦେଶ ବାହାରେ ଭଲ ପ୍ରଦର୍ଶନ କରିନାହାନ୍ତି।"
ତେବେ ଦେଖିବାକୁ ଗଲେ ୭୨ବର୍ଷୀୟ ଆଣ୍ଡି ରବର୍ଟସ ୱେଷ୍ଟ ଇଣ୍ଡିଜ ପାଇଁ ୪୭ଟି ଟେଷ୍ଟ ଓ ୫୬ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।