ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ବୀରେନ୍ଦ୍ର ସେହବାଗଙ୍କ ବିସ୍ଫୋରକ ବ୍ୟାଟିଂ ପଛରେ ରାମାୟଣର ପୌରାଣିକ ଚରିତ୍ର ଅଙ୍ଗଦଙ୍କ ହାତ ଥିଲା। ସେହବାଗ ନିଜେ ଟ୍ବିଟ୍ କରି ଏକଥା କହିଛନ୍ତି। ନିଜ ଟ୍ବିଟ୍ରେ ସେହବାଗ ଏକ ହସିବା ଇମୋଜି ସହ ଅଙ୍ଗଦଙ୍କ ଫଟୋ ପ୍ରକାଶ କରି ଲେଖିଛନ୍ତି ଯେ ବ୍ୟାଟିଂ କଲା ବେଳେ ମୁଁ ଅଙ୍ଗଦଙ୍କଠାରୁ ପ୍ରେରଣା ନେଉଥିଲି। ତାଙ୍କ ଗୋଡ଼କୁ ଯେମିତି ରାବଣର ବାହୁବଳୀ ଯୋଦ୍ଧାମାନେ ଟିକିଏ ବି ହଲାଇ ପାରି ନଥିଲେ, ମୋତେ ବି ବୋଲରମାନେ ସେମିତି ହଲାଇ ପାରୁ ନଥିଲେ। ତାଙ୍କଠାରୁ ପ୍ରେରଣା ନେଉଥିବାରୁ ମୋତେ ହଲାଇବା କେବଳ କଷ୍ଟକର ନଥିଲା, ଏହା ପୂରା ଅସମ୍ଭବ ଥିଲା। ସୂଚନାଯୋଗ୍ୟ ଯେ ସେହବାଗ ବ୍ୟାଟିଂ କଲା ବେଳେ ଖୁବ୍ କମ୍ ପାଦ ଚାଳନା କରି ଥାଆନ୍ତି। ତଥାପି ପ୍ରତିପକ୍ଷ ଦଳର ବୋଲରଙ୍କୁ ଛକା ଚୌକାର ବର୍ଷା କରି ଥାଆନ୍ତି। ଏହି ଟ୍ବିଟ୍ରେ ସେହବାଗ ଅଙ୍ଗଦଙ୍କ ପାଦ ସହ ନିଜ ପାଦ ଚାଳନାର ସଂପର୍କ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି। ରାମାୟଣ ବର୍ଣ୍ଣିତ କଥା ଅନୁଯାୟୀ ଲଙ୍କା ନରେଶ ରାବଣ ମା’ ସୀତାଙ୍କୁ ହରଣ କରିନେବା ପରେ ଅଙ୍ଗଦ ଭଗବାନ ରାମଙ୍କ ଦୂତ ଭାବେ ସେଠାକୁ ଯାଇଥିଲେ। ଯୁଦ୍ଧ ଟାଳିବା ଲାଗି ସନ୍ଧି ପ୍ରସ୍ତାବ ଦେବା ତାଙ୍କର ମୂଳଲକ୍ଷ୍ୟ ଥିଲା। ହେଲେ ଅଙ୍ଗଦଙ୍କୁ ରାବଣ ଅପମାନିତ କରିଥିଲା। ତା’ ଅହଂକାର ଓ ଗର୍ବ ଭାଙ୍ଗିବା ଲାଗି ଚତୁର ଅଙ୍ଗଦ ସେଠାରେ ଉପସ୍ଥିତ ଥିବା ସମସ୍ତ ଯୋଦ୍ଧାଙ୍କୁ ତାଙ୍କ ଗୋଡ଼କୁ ଭୂମି ଉପରୁ ଉଠାଇବାକୁ ଆହ୍ବାନ କରିଥିଲେ। ଆପଣଙ୍କ ଭିତରୁ ଜଣେ ହେଲେ ବି କେହି ଯଦି ମୋ ଗୋଡ଼ ଭୂଇଁ ଉପରୁ ଉଠାଇଦିଏ, ତାହାଲେ ଭଗବାନ ରାମ ପରାଜୟ ସ୍ବୀକାର କରିବା ସହ ଫେରିଯିବେ ବୋଲି ଅଙ୍ଗଦ ପ୍ରସ୍ତାବ ଦେଇଥିଲେ। ହେଲେ ଉଠାଇବା ତ ଦୂରର କଥା କେହି ତାଙ୍କ ଗୋଡ଼କୁ ସାମାନ୍ୟ ହଲାଇ ବି ପାରି ନଥିଲେ।
ସେହବାଗଙ୍କ ବ୍ୟାଟିଂ ପଛରେ ଅଙ୍ଗଦଙ୍କ ପ୍ରେରଣା
/sambad/media/post_attachments/wp-content/uploads/2020/04/Virender-Sehwag1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)