ରୋହିତ ବାଦ୍ ପଡ଼ିବା ନେଇ ରୋଷ: କ୍ରି‌କେଟ୍ ପ୍ରେମୀ ଚକିତ, ସାମାଜିକ ଗଣମାଧ୍ୟମରେ ବିତର୍କ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ଗସ୍ତ ନେଇ ସୋମବାର ଭାରତୀୟ ଦଳ ଘୋଷିତ ହୋଇଛି। ରହସ୍ୟଜନକ ଭାବେ ତିନିଟି ଯାକ ଦଳ (ଟ୍ବେଣ୍ଟି-୨୦, ଦିନିକିଆ ଓ ଟେଷ୍ଟ୍)ରୁ ସୀମିତ ଓଭର ଉପଅଧିନାୟକ ତଥା ସଫଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବାଦ୍ ଦିଆଯାଇଛି। ରୋହିତଙ୍କୁ ଫିଟନେସ୍ କାରଣ ପାଇଁ ଦଳରେ ସ୍ଥାନ ମିଳିନଥିବା ଚୟନକର୍ତ୍ତାମାନେ କହିଛନ୍ତି। ସେମାନଙ୍କର ଏହି ସଫେଇକୁ କିନ୍ତୁ ସାଧରଣ କ୍ରିକେଟ୍ ପ୍ରେମୀଙ୍କଠାରୁ ପୂର୍ବତନ କ୍ରିକେଟରମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆହତ ହୋଇ ରୋହିତ ଆଇପିଏଲ୍‌ର କିଛି ମ୍ୟାଚ୍‌ରୁ ବାଦ୍ ପଡ଼ିଥିଲେ ମଧ୍ୟ ସଂପ୍ରତି ସେ ନେଟ୍‌ରେ ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ଯାହାର ଭିଡିଓ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛି। ଅଷ୍ଟ୍ରେଲିଆ ଶୃଙ୍ଖଳା ଆରମ୍ଭ ହେବାକୁ ଢେର କିଛି ଦିନ ବାକି ଥିବାରୁ ଆଘାତ ଜନିତ ସମସ୍ୟାକୁ କାରଣ ଦର୍ଶାଇ ରୋହିତଙ୍କୁ ତିନିଟି ଯାକ ଫର୍ମାଟରୁ ବାଦ୍ ଦିଆଯିବା ନିଷ୍ପତ୍ତି ଉପରେ ବହୁ ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଛନ୍ତି।

ଚୟନକର୍ତ୍ତାଙ୍କ ଏହି ବିସ୍ମୟକର ନିଷ୍ପ୍ତତ୍ତି ପଛରେ ଆହୁରି କିଛି ରହସ୍ୟ ରହିଥିବା ବି କ୍ରିକେଟ୍ ପ୍ରେମୀ ଖୋଲାଖୋଲି ଭାବେ କହୁଛନ୍ତି। ମୟଙ୍କ ଅଗ୍ରୱାଲଙ୍କ ଭଳି ଖେଳାଳି ସଂପୂର୍ଣ୍ଣ ସୁସ୍ଥ ନଥିଲା ବେଳେ ତାଙ୍କୁ ତିନିଟି ଯାକ ଦଳରେ ସାମିଲ କରାଯାଇଛି। ଅଥଚ ରୋହିତଙ୍କୁ ବାଦ୍ ଦିଆଯାଇଛି। ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତିର ମାନେ କ’ଣ ବୁଝି ହେଉନି ବୋଲି ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ପ୍ରଶ୍ନ କରିଛନ୍ତି। କିଂବଦନ୍ତି ସୁନିଲ ଗାଭାସ୍କର ମଧ୍ୟ ଅନୁରୂପ ଭାବେ ରୋହିତ ଦଳରେ ନରହିବାର ଅସଲ କାରଣ ସାଧାରଣରେ ପ୍ରକାଶ କରିବାକୁ ଆହ୍ବାନ କରିଛନ୍ତି। ସେପଟେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନକର୍ତ୍ତା ବିଚାରକୁ ନନେବାକୁ ସ୍ପିନର ହରଭଜନ ସିଂହ ଖୋଲା ସମାଲୋଚନା କରିଛନ୍ତି। ତେବେ ଅଷ୍ଟ୍ରେଲିଆର କଠୋର ପରିବେଶ ଓ ଆହ୍ବାନଭରା ପରିସ୍ଥିତିରେ ରୋହିତଙ୍କ ଭଳି ଖେଳାଳିଙ୍କୁ ଚୟନକର୍ତ୍ତା ଦଳରେ ନ ରଖିବା ନେଇ ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଅଧିକାଂଶ ସାମାଜିକ ଗଣମାଧ୍ୟମ ମଞ୍ଚରେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିବା ସହ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି।

ଭାରତୀୟ ଟେଷ୍ଟ୍ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, କେଏଲ୍ ରାହୁଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଶୁଭମନ ଗିଲ୍‌, ଋଦ୍ଧିମାନ ସାହା (ୱିକେଟରକ୍ଷକ), ଋଷବ ପନ୍ତ (ୱିକେଟରକ୍ଷକ), ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ନଭଦୀପ ସୈନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା, ଆର୍ ଅଶ୍ବିନ, ମହମ୍ମଦ ସିରାଜ।

ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ୍ (ଉପଅଧିନାୟକ ଓ ୱିକେଟରକ୍ଷକ), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ସଂଜୁ ସାମସନ୍‌ (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ନଭଦୀପ ସୈନି, ଦୀପକ ଚହର, ବରୁଣ ଚକ୍ରବର୍ତୀ।

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, କେଏଲ୍ ରାହୁଲ୍ (ଉପଅଧିନାୟକ ଓ ୱିକେଟରକ୍ଷକ), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ନଭଦୀପ ସୈନି, ସାର୍ଦୁଲ ଠାକୁର।

ପ୍ରଶଂସକଙ୍କୁ ସତକଥା କୁହ: ଗାଭାସ୍କର
‘‘ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳରୁ ବାଦ୍ ପଡ଼ିବାର ଅସଲ କାରଣ ଖୋଲାଖୋଲି କୁହ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବି ସଂପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କର’’। ମଙ୍ଗଳବାର ଭାରତୀୟ କ୍ରିକେଟ୍‌ର କିବଂଦନ୍ତି ପୁରୁଷ ସୁନିଲ ଗାଭାସ୍କର ବିସିସିଆଇକୁ ଏହି ଆହ୍ବାନ କରିଛନ୍ତି। ସେହିଭଳି ରୋହିତଙ୍କ ବିଷୟରେ ସବୁକିଛି ଜାଣିବାର ଅଧିକାର ପ୍ରଶଂସକଙ୍କର ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ୍ ପଡ଼ିବା ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ମତ ରଖିବାକୁ ଯାଇ ସେ କହିଛନ୍ତି ଯେ ଆମେ ଟେଷ୍ଟ୍ ମ୍ୟାଚ୍ କଥା କହୁଛେ। ଯାହାକି ଆହୁରି ଦେଢ଼ ମାସ ବାକି ଅଛି। ତାଙ୍କୁ (ରୋହିତଙ୍କୁ) ନେଇ କ’ଣ ସମସ୍ୟା ରହିଛି, ‌ସେକଥା ଜାଣିବାକୁ ସମସ୍ତେ ଆଗ୍ରହୀ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଯଦି ସେ ନେଟ୍‌ରେ ଅଭ୍ୟାସ କରୁଛନ୍ତି, ତହାଲେ ଏହା କିପ୍ରକାର ଆଘାତ ତାହା ମୁଁ ବୁଝିପାରୁନି। ମୁଁ ଭାବୁଛି ଏହି ବିଷୟରେ କିଛିଟା ସ୍ବଚ୍ଛତା ରହିବା ଦରକାର। ଅସଲ ସମସ୍ୟା କ’ଣ ତାହା ଖୋଲାଖୋଲି ଭାବେ କହିବା ଉଭୟ ରୋହିତ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ହିତକର ହେବ। ଦଳରେ କ’ଣ ଘଟୁଛି, ସେକଥା ଜାଣିବାର ଅଧିକାର ପ୍ରଶଂସକଙ୍କର ରହିଛି ବୋଲି ଯୁକ୍ତି କରିଛନ୍ତି ଗାଭାସ୍କର। ସୂଚନାଯୋଗ୍ୟ ଯେ ମାଂସପେଶୀ ଯନ୍ତ୍ରଣା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଗତ ଦୁଇ ମ୍ୟାଚ୍‌ରେ ରୋହିତ ଖେଳିପାରିନଥିଲେ। ହେଲେ କିଙ୍ଗ୍ସ ଏକାଦଶ ପଞ୍ଜାବର ମୟଙ୍କ ଅଗ୍ରୱାଲ ମଧ୍ୟ ସମାନ କାରଣ ପାଇଁ ଦୁଇଟି ମ୍ୟାଚ୍ ଖେଳିନାହାନ୍ତି। ସେ କିନ୍ତୁ ତିନିଟି ଯାକ ଦଳରେ ସ୍ଥାନ ପାଇଛନ୍ତି।

ଆହତ ମୟଙ୍କଙ୍କୁ ହଁ, ରୋହିତଙ୍କୁ କାହିଁକି ନା?: ପ୍ରଜ୍ଞାନ
ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳର ଅଷ୍ଟ୍ରେଲିଆ ଗସ୍ତରେ ନଯିବା ଓଡ଼ିଶା ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ମଧ୍ୟ ବିସ୍ମିତ ଓ ଆଶ୍ଚର୍ଯ୍ୟଚକିତ କରିଛି। ଆହତ ମୟଙ୍କ ଅଗ୍ରୱାଲଙ୍କୁ ତିନିଟି ଯାକ ଦଳରେ ନେଇଥିଲା ବେଳେ ରୋହିତଙ୍କୁ ସଂପୂର୍ଣ୍ଣ ଗସ୍ତରୁ ବାଦ୍ ଦେଇ ଚୟନକର୍ତ୍ତା ଦ୍ବନ୍ଦ୍ବ ସୃଷ୍ଟି କରିଛନ୍ତି ବୋଲି ପ୍ରଜ୍ଞାନ ଭାରତୀୟ ଦଳ ଘୋଷଣା ପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି, ‘‘ଚୟନକର୍ତ୍ତାଙ୍କ ନିଷ୍ପତ୍ତି ମୋତେ ଟିକିଏ ଚକିତ କରିଛି। ମାଂସପେଶୀ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିବା ମୟଙ୍କ ଅଗ୍ରୱାଲ ଦଳରେ ଅଛନ୍ତି। ମୁଁ ଭାବୁଥିଲି ରୋହିତ ତିନିଟି ଯାକ ଦଳରେ ସ୍ଥାନ ପାଇବେ। କାରଣ ଅଷ୍ଟ୍ରେଲିଆରେ ଆଧିପତ୍ୟ ବିସ୍ତାର କରିବାର କ୍ଷମତା ଓ କୌଶଳ ତାଙ୍କର ଅଛି। ଫଳାଫଳ ଉପରେ ସେ ଯଥେଷ୍ଟ ପ୍ରଭାବ ପକାଇ ପାରିଥା’ନ୍ତେ। ହଠାତ୍ ଆପଣ କେଏଲ୍ ରାହୁଲଙ୍କୁ ଉପଅଧିନାୟକ ପଦ ପ୍ରଦାନ କଲେ। ରୋହିତ ଦଳକୁ ଫେରିଲେ ଆପଣ କ’ଣ କରିବେ? ଏହା କେବଳ ଦ୍ବନ୍ଦ୍ବ ସୃଷ୍ଟି କରିବ। ଯେତେବେଳେ ଆପଣ ଏକ ବଡ଼ ପ୍ରତିଯୋଗିତା କିମ୍ବା ଶୃଙ୍ଖଳା ଖେଳିବାକୁ ଯାଉଛନ୍ତି, ସେଭଳି ସ୍ଥିତିରେ ଏଭଳି କରିବା କ’ଣ ନିହାତି ଜରୁରୀ ଥିଲା?। ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଖେଳାଳି ସବୁବେଳେ ସରଳ ରହୁଥିଲେ ଏବଂ ସ୍ପଷ୍ଟତା ଚାହୁଥିଲେ। ଦୀର୍ଘ ବ୍ୟବଧାନ ପରେ ଏକ ବଡ଼ ଶୃଙ୍ଖଳା ଖେଳିବାକୁ ଯାଉଥିବାରୁ ଆପଣଙ୍କ ବଡ଼ ଖେଳାଳିମାନେ ଆରାମଦାୟକ ସ୍ଥିତିରେ ରହୁନ୍ତି ବୋଲି ଆପଣ ସବୁବେଳେ ଚାହିବେ। ଏଣୁ ଏଭଳି ନିଷ୍ପତ୍ତି ମୋ ବୁଝିବା ବାହାରେ। ରୋହିତ କୌଣସି ନବାଗତ ଖେଳାଳି ନୁହନ୍ତି, ସେ ଦଳର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସଦସ୍ୟ। ରୋହିତ ଓ ବିରାଟ କୋହଲି ହେଉଛନ୍ତି, ଏହି ନୂଆ ଭାରତୀୟ ଦଳର ଶକ୍ତି ସ୍ତମ୍ବ। ଏଣୁ ଏଭଳି ଦ୍ବନ୍ଦ୍ବ ସୃଷ୍ଟି କରିବାର କ’ଣ ଆବଶ୍ୟକତା ଥିଲା? ଆପଣ ଯଦି ମୋତେ କହିବେ ମୟଙ୍କ ମାଂସପେଶୀ ଯନ୍ତ୍ରଣା ପାଇଁ ଦଳରେ ନାହାନ୍ତି, ତାହାଲେ ମୁଁ ବୁଝିପାରିବି। ହେଲେ ଜଣେ କ୍ରିକେଟ୍ ପ୍ରଶଂସକ ଏବଂ କ୍ରିକେଟ୍‌କୁ ନିୟମିତ ପଢ଼ୁଥିବା ଜଣେ ବ୍ୟକ୍ତି ଭାବେ ମୁଁ କହିପାରିବି ଯେ ଯାହା ଘଟିଲା, ତାହା ଆଦୌ ଘଟିବା କଥା ନୁହେଁ। ରୋହିତଙ୍କୁ ନେଇ ଦ୍ବନ୍ଦ୍ବ ଓ ଅବିଶ୍ବାସ ଥିଲେ ଆପଣ କିଛି ସମୟ ନେଇ ପରବର୍ତ୍ତୀ ସମୟରେ ଦଳ ଘୋଷଣା କରିପାରିଥା’ନ୍ତେ’’। ସୂଚନାଯୋଗ୍ୟ ଯେ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବା ସହ ଏକ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବାର ଅଛି।

ସମ୍ବନ୍ଧିତ ଖବର