ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ଏହାରି ଭିତରେ ଆଉ ଏକ ଖବର ଆସିଛି କି ଏକ ଟକ ସୋ’ ଦ ମିର୍ଜା-ମଲିକ ସୋ’କୁ ଦୁଇଜଣ ହୋଷ୍ଟ କରିବେ। ସେୟାର ହୋଇଥିବା ପୋଷ୍ଟରେ ଦୁହେଁ ଏକାଠି ଛିଡ଼ା ହୋଇଥିବା ନଜରକୁ ଆସିଛି। ଏହି ସୋ’ ଏକ ପାକିସ୍ତାନୀ ଚାନେଲରେ ପ୍ରସାରିତ ହେବ।
ପୋଷ୍ଟ ସହିତ ଟେକ୍ସଟରେ ଲେଖା ହୋଇଛି, ‘ଦ ମିର୍ଜା-ମଲିକ ସୋ ଭେରି ସୁନ ଓନଲି ଆନ ଊର୍ଦୁଫିଲକ୍ସ‘। ଏହି ପୋଷ୍ଟକୁ ନେଇ ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି, ‘ବହୁତ ଭଲ ଲାଗିଲା। ମନ ଖୁସି ହୋଇଗଲା। ଏମିତି ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
View this post on Instagram
ସାନିଆ ଓ ସୋଏବ୍ ୨୦୧୦ ଏପ୍ରିଲ୍ ୧୨ ତାରିଖରେ ହାଇଦ୍ରାବାଦସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଇଝାନଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍ ଖୁବଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ତେବେ ସାନିଆ ଓ ସୋଏବ ଏଯାଏ ସେମାନଙ୍କ ବିଚ୍ଛେଦ ପ୍ରସଂଗରେ ମତ ରଖିନାହାନ୍ତି। ତେବେ ସାନିଆ ଓ ସୋଏବଙ୍କ ବିବାହ ବିଚ୍ଛେଦ ନେଇ ଖବର ଉଠିଥିଲା ବେଳେ ଏକାଠି ସୋ’ କରିବା ଖବର ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ପ୍ରକାର ଖୁସି ଖବର ବୋଲି କୁହାଯାଉଛି।