ଭୁବନେଶ୍ବର: କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ରବିବାରଠାରୁ ଆରମ୍ଭ ହୋଇଥିବା ନାଗାଲାଣ୍ଡ୍‌ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶାର ପ୍ରଥମ ପାଳି ଉତ୍‌ଥାନ ପତନ ଦେଇ ଗତି କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଓଡ଼ିଶା ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ପୁଣି ବଡ଼ ସ୍କୋର ସୁଯୋଗ ଏକପ୍ରକାର ହାତଛଡ଼ା କରିଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଦଳ ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ୭ ୱିକେଟ୍ ହରାଇ ୨୪୩ ରନ୍ କରିଛି।

Advertisment

ରବିବାର ସକାଳେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ‌ ସେନାପତି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ‘ସମ୍ବାଦ’ର ପୂର୍ବ ସୂଚନା ମୁତାବକ ଓଡ଼ିଶା ୩ଟି ପରିବର୍ତ୍ତନ କରି ଖେଳୁଛି। ବିଦର୍ଭ ବିପକ୍ଷ ମ୍ୟାଚ୍‌ ଦଳରେ‌ ଖେଳିଥିବା ସନ୍ଦୀପ ପଟ୍ଟନାୟକ, ରାଜେଶ ଧୂପର, ଜାମଲା ଭଞ୍ଜନ ମହାପାତ୍ରଙ୍କ ବଦଳରେ ବିପ୍ଳବ ସାମନ୍ତରାୟ, ଅନିଲ ପରିଡ଼ା, ସାୱନ ପହରିୟା ଖେଳିଥିଲେ। ୨୩ ବର୍ଷୀୟ ସାୱନ ଚଳିତ ଋତୁରେ ଓଡ଼ିଶାର ଚତୁର୍ଥ ୱିକେଟ‌୍‌ରକ୍ଷକ ତଥା ଦ୍ବିତୀୟ ପଦାର୍ପଣକାରୀ ୱିକେଟ୍‌ରକ୍ଷକ ହୋଇଥିଲେ। ପଡ଼ିଆରେ କିନ୍ତୁ ତାଙ୍କ ବ୍ୟାଟିଂ ୨ ବଲ୍‌ ଶୂନରେ ଶେଷ ହୋଇଯାଇଛି। କିଟ୍‌ ପିଚ୍‌ର ଆର୍ଦ୍ରତା ଓ ଶୀତୁଆ ସକାଳର ପରିବେଶରେ ନାଗାଲାଣ୍ଡ୍‌ ଭିନ୍ନ କୌଶଳରେ ଖେଳିଥିଲା। ପ୍ରଥମରୁ ଗୋଟିଏ ପଟୁ ସ୍ପିନ୍ ଓ ଅନ୍ୟ ପଟୁ ପେସ୍‌ ବୋଲିଂରୁ ଆକ୍ରମଣ ଆରମ୍ଭ କରିଥିଲା। ଏହା ମଧ୍ୟ ଦେବାଶିଷ ମହାନ୍ତିଙ୍କ ପ୍ରଶିକ୍ଷକ ଦଳକୁ ଫାଇଦା ଦେଇଥିଲା। ଦଳର ମୁଖ୍ୟ ସ୍ପିନର୍‌ ଇମଲିୱତି ଲେମତୁର ପ୍ରଥମେ ଗୌରବ ଚୌଧୁରୀ (୧୦)ଙ୍କୁ ଶିକାର କରିଥିଲେ। ୫ ଓଭର ପରେ ଅନ୍ୟତମ ଓପନର୍ ସ୍ବସ୍ତିକ ସାମଲ (୯)ଙ୍କୁ ପ୍ରଥମ ପରିବର୍ତ୍ତନରେ ଆସିଥିବା ଦ୍ରୁତ ବୋଲର ରୋନିତ ମୋରେ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ। ଉଭୟ ଓପନର୍‌ କଭର୍ ଅଞ୍ଚଳକୁ ସହଜ କ୍ୟାଚ୍‌ ଦେଇ ଫେରିଥିଲେ।

ରୋନିତ ନିଜ ପରବର୍ତ୍ତୀ ଓଭରରେ ଗୋବିନ୍ଦ ପୋଦ୍ଦାରଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ ମଧ୍ୟ ଚେକିଂରେ ଏହା ନୋବଲ୍ ହେବାରୁ ସେ ବର୍ତ୍ତିଯାଇଥିଲେ। କିନ୍ତୁ ସେହି ଓଭର ଶେଷ ବଲ୍‌ରେ ସେ ୱିକେଟ‌୍‌ରକ୍ଷକ ଚେତନ ବିଷ୍ଟ୍‌ଙ୍କୁ କ୍ୟାଚ୍‌ ଦେଇ ଜୀବନଦାନରୁ ଫାଇଦା ଉଠାଇପାରି ନଥିଲେ। କିଛି ସମୟ ପରେ ଅଧିନାୟକ ଶୁଭ୍ରାଂଶୁ ସେନାପତି (୧୩)ଙ୍କୁ ଦ୍ରୁତ ବୋଲର ଦୀପ ‌ବୋରା ଏଲ୍‌ବିଡବ୍‌ଲ୍ୟୁ କରି‌ଦେଇଥିଲେ। ଫଳରେ ବିଂଶତମ ଓଭର ବେଳକୁ ଓଡ଼ିଶା ୩୪/୪ ଭଳି ଗଭୀର ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଏକାଠି ହୋଇଥିଲେ ଦୁଇ ପ୍ରତ୍ୟାବର୍ତ୍ତନକାରୀ ବ୍ୟାଟର୍‌ ବିପ୍ଳବ ସାମନ୍ତରାୟ ଏବଂ ଅନିଲ ପରିଡ଼ା। ଅଭିଜ୍ଞ ବିପ୍ଳବ ଓ ଯୁବ ପ୍ରତିଭା ଅନିଲ ନାଗାଲାଣ୍ଡ୍‌ର ସବୁ ଆଶାରେ ପାଣି ଭରି ଦେଇଥିଲେ। ମେରିଟ୍‌ ବଲ୍‌କୁ ଖେଳି ଗଢ଼ିଥିଲେ ଶତକୀୟ ଭାଗୀଦାର। ମିଳିତ ଭାବେ ୩୫୪ ବଲ୍‌ (୫୯ ଓଭର) ଖେଳି ଏହି ଯୋଡ଼ି ୧୭୯ ରନ୍ କରିବା ଓଡ଼ିଶାକୁ ବିପର୍ଯ୍ୟୟରୁ ବାହାର କରିବା ସହ ସୁଯୋଗ ଦେଇଥିଲା। ସକାଳ ଭଳି ଅପରାହ୍ଣରେ ବି ନାଗାଲାଣ୍ଡ୍‌ ବୋଲର ପୁଣି ସଫଳ ହୋଇଥିଲେ। ପୂର୍ବ ଓଭରରେ ‌କ୍ରମାଗତ ଚୌକା ଓ ଛକା ମାରି ୯୦ ଭିତରକୁ ପ୍ରବେଶ କରିଥିବା ବିପ୍ଳବ (୯୨ ରନ୍‌, ୧୪୫ ବଲ୍‌, ୯ ଚୌକା, ୧ ଛକା) କିନ୍ତୁ ଇମିଲିୱତିଙ୍କ ତଳୁଆ ବଲ୍‌ରେ ବୋଲ୍ଡ ହୋଇ ନିଜ ଅଷ୍ଟମ ଶତକରୁ ବଞ୍ଚିତ ରହିଥିଲେ। ଅନ୍ୟ ପଟେ ଅନିଲ (୯୮* ରନ୍‌, ୨୪୯ ବଲ୍‌, ୯ ଚୌକା, ୧ ଛକା) ଅସୀମ ଧୈର୍ଯ୍ୟର ସହ ଖେଳି ଅପରାଜିତ ଅଛନ୍ତି। ପ୍ରଥମ ଶତକଠାରୁ ମାତ୍ର ୨ ରନ୍ ଦୂରରେ ରହିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ସେ ସର୍ଭିସେସ୍ ବିପକ୍ଷରେ ୯୯* ରନ୍ କରିବାର ଅବସୋସ ସୋମବାର ଦୂର କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦିନର ତୃତୀୟ ଶେଷ ଓଭରରେ କିନ୍ତୁ ନାଗାଲାଣ୍ଡ୍ ଅଧିନାୟକ ରଙ୍ଗ୍‌ସେନ୍‌ ଜୋନାଥନ୍ ଗୋଟିଏ ଓଭରରେ ସମ୍ବିତ ବରାଳ (୧୧) ଓ ପଦାର୍ପଣକାରୀ ସାୱପ ପହରୟା (୧)ଙ୍କୁ ଆଉଟ୍ କରି ପୁଣି ଘରୋଇ ଦଳକୁ ଚାପରେ ପକାଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି-୮୯ ଓଭରରେ ୨୪୩/୭ (ଅନିଲ ପରିଡ଼ା-୯୮*, ବିପ୍ଳବ ସାମନ୍ତରାୟ-୯୨, ରାଜେଶ ମହାନ୍ତି-୨*, ଇମଲିୱତି ଲେମତୁର-୨/୨୫, ରୋନିତ ମୋରେ-୨/୪୫, ରଙ୍ଗ୍‌ସେନ୍‌ ଜୋନାଥନ୍-୨/୬୧, ଦୀପ ବୋରା-୧/୨୮)।