ଭୁବନେଶ୍ବର: ଓଡ଼ିଶାର ଅନିମେଷ କୁଜୁର ଭାରତର ଦ୍ରୁତତମ ଧାବକ ହେବାର ଗୌରବ ଅର୍ଜନ କରିଛନ୍ତି। ଗ୍ରିସ୍ରେ ଆୟୋଜିତ ଡ୍ରୋମିଆ ଅନ୍ତର୍ଜାତୀୟ ସ୍ପ୍ରିଣ୍ଟ୍ ଓ ରିଲେ ପ୍ରତିଯୋଗିତାରେ ଏହି ଭାରତୀୟ ଧାବକ ୧୦୦ ମିଟର ରେସ୍କୁ ୧୦.୧୮ ସେକେଣ୍ଡ୍ରେ ଶେଷ କରି ଫାଇନାଲ୍ ‘ବି’ ଜିତିଥିଲେ। ଏଥିସହ ଅନିମେଷ ଜାତୀୟ ରେକର୍ଡ କରିବା ସହ ପ୍ରଥମ ଭାରତୀୟ ଭାବେ ୧୦.୨ ସେକେଣ୍ଡ୍ ତଳେ ରେସ୍ ଶେଷ କରିବାର ଗୌରବ ଅର୍ଜନ କରିଥିଲେ। ନିଜର ବ୍ୟକ୍ତିଗତ ଶ୍ରେଷ୍ଠ (୧୦.୨୭)ଠୁ ୦.୦୯ ସେକେଣ୍ଡ ଉନ୍ନତି କରି ୨୨ ବର୍ଷୀୟ ଅନିମେଷ ପୂର୍ବରୁ ଗୁରିନ୍ଦରବୀର ସିଂହ (୧୦.୨୦ ସେକେଣ୍ଡ)ଙ୍କ ନାମରେ ଥିବା ଜାତୀୟ ରେକର୍ଡକୁ ପଛରେ ପକାଇଥିଲେ। ଗୁଲବୀର ବେଙ୍ଗାଲୁରୁରେ ଚଳିତ ବର୍ଷ ଆୟୋଜିତ ଇଣ୍ଡିଆନ୍ ଗ୍ରାଁପ୍ରି ୧ରେ ଏହି ରେକର୍ଡ କରିଥିଲେ। ୨୦୦ ମିଟର ଦୌଡ଼ ଜାତୀୟ ରେକର୍ଡ ୨୦.୩୨ ସେକେଣ୍ଡ ମଧ୍ୟ ଅନିମେଷଙ୍କ ନାମରେ ରହିଛି। ସେ ଗୁମିରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଜାତୀୟ ରେକର୍ଡ ସହ କାଂସ୍ୟ ଜିତିଥିଲେ। ସେ ମଧ୍ୟ ଜାତୀୟ ରିଲେ କାର୍ଣ୍ଣିଭାଲ୍ରେ ରେକର୍ଡ କରିଥଇବା ଭାରତୀୟ ପୁରୁଷ ୪ଗୁଣା ୧୦୦ ମିଟର (୩୮.୬୯ ସେକେଣ୍ଡ) ଦଳରେ ସଦସ୍ୟ ଥିଲେ।
ରବିବାର ଭାରି କେ ବାଗ୍ଲାଜିସ୍ସ୍ଥିତ ମ୍ୟୁନିସପାଲ ଷ୍ଟାଡିୟମ୍ରେ ହୋରଇଥିବା ୧୦୦ ମିଟର ଫାଇନାଲ୍ ‘ବି’ରେ ଅନିମେଷ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଗ୍ରିକ୍ ଧାବକ ସୋଟିରିଓସ୍ ଜାରାଗାନିସ୍ (୧୦.୨୩) ଦ୍ବିତୀୟ ଓ ଫିନ୍ଲାଣ୍ଡ୍ର ସାମୁଲି ସାମୁଏଲ୍ସନ୍ (୧୦.୨୮) ତୃତୀୟ ସ୍ଥାନରେ ରହିଥିଲେ। ହେଲେ ମୋଟ ଉପରେ ଅନିମେଷ ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ବେଞ୍ଜାମିନ୍ ରିଚାର୍ଡସନ୍ (୧୦.୦୧) ଏବଂ ଓମାନ୍ର ଅଲୀ ଅନୱାର ଅଲ୍-ବାଲୁସି (୧୦.୧୨) ରହିଥିଲେ। ଫାଇନାଲ୍ ‘ଏ’ରେ ଓଡ଼ିଶା ତଥା ଭରତର ଦୁଇ ଧାବିକା ଲାଲୁ ଭୋଇ (୧୦.୪୨) ଓ ମୃତ୍ୟୁମ ଜୟରାମ ଦଣ୍ଡପତି (୧୦.୪୭) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ୨୦୦ ମିଟରେ ଅନିମେଷ (୨୦.୭୩) ସପ୍ତମରେ ରହିଥିଲା ବେଳେ ତାଙ୍କ ଭାରତୀୟ ସାଥୀ ମଣିକାନ୍ତ ହୋବଲିଧର (୨୧.୨୮) ଏକାଦଶ ସ୍ଥାନ ଅଧିକାର କରିଥିଲେ। ଅନିମେଷ, ଲାଲୁ, ଜୟରାମ ଓ ଗୁରିନ୍ଦରବୀରଙ୍କୁ ନେଇ ଗଠିତ ୧୦୦ ମିଟର ରିଲେ ଦଳ ୩୯.୯୯ ସେକେଣ୍ଡ୍ ସହ ତୁର୍କି ପଛକୁ ଦ୍ବିତୀୟରେ ରହିଥିଲା। ମହିଳାରେ ମୌମିତା ମଣ୍ଡଳ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୩.୨୪ ସେକେଣ୍ଡ ସହ ୧୦୦ ମିଟର ବାଧାଦୌଡ଼ରେ ବିଜେତା ହୋଇଥିଲା।