ଭାରତ ଗସ୍ତ ପାଇଁ ଏନ୍‌କ୍ବି ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ

ଜୋହାନ୍‌ସବର୍ଗ: ଆସନ୍ତା ମାସରେ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତରେ ଭାରତ ୩ ଲେଖାଏଁ ଟେଷ୍ଟ୍‌ ଏବଂ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ଟେଷ୍ଟ୍‌ ଶୃଙ୍ଖଳା ମଧ୍ୟ ଆଇସିସିର ନୂଆ ଟେ‌ଷ୍ଟ ପ୍ରତିଯୋଗିତାର ଅଂଶବିଶେଷ ରହିବ। ଏହି ଗସ୍ତ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ତା’ର ମୁଖ୍ୟ ପ୍ରଶିକ୍ଷକ ଓଟିସ୍‌ ଗିବ୍‌ସନ୍‌ଙ୍କ ଚୁକ୍ତି ମିଆଦର ନୀବକରଣ କରିବାକୁ ଚାହିଁନଥିଲା। ଗତ ଦିନିକିଆ ବିଶ୍ବକପ୍‌ରେ ଦଳର ଖରାପ ପ୍ରଦର୍ଶନ ଯୋଗୁଁ ବୋର୍ଡ ଗିବ୍‌ସନ୍‌ଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ରାଜି ହୋଇନଥିଲା। ବିଶ୍ବକପ୍‌ରେ ଦଳ ୯ ମ୍ୟାଚ୍‌ ଖେଳି ମାତ୍ର ୩ ବିଜୟ ପାଇଥିଲା। ଫଳରେ ଭାରତ ଗସ୍ତ ବେଳେ ଦକ୍ଷିଣ ଆଫ୍ରିକା ଇନୋକ୍‌ ଏନ୍‌କ୍ବିଙ୍କୁ ଦକ୍ଷିଣ ଆଫ୍ରିକା ଦଳର ଦାୟିତ୍ବ ସମର୍ପଣ କରିଛି। ବୋର୍ଡ ଶୁକ୍ରବାର ଏନ୍‌କ୍ବିଙ୍କୁ ଦଳର ମଧ୍ୟବର୍ତୀ ନିର୍ଦେଶକ ଭାବେ ନିଯୁକ୍ତି ଦେଇଛି। ଏନ୍‌କ୍ବି ୨୦୧୮-୧୯ ଋତୁରେ ଜୋହାନ୍‌ସବର୍ଗର ଲାୟନ୍‌ସ ପ୍ରୋଭିନ୍‌ସିଆଲ୍‌ ଦଳର ଦାୟିତ୍ବକୁ ସଫଳତା ସହ ତୁଲାଇଥିଲେ। ଏହି ଦଳ ଘରୋଇ ୪ ଦିନିଆ ଏବଂ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ସଫଳତା ହାତେଇଥିଲା। ଏନ୍‌କ୍ବି ମଧ୍ୟ ଜୋଜି ଷ୍ଟାର୍ସ ଦଳକୁ ମାନ୍‌ସି ସୁପର ଲିଗ୍‌ (ଅନ୍ୟ ଏକ ଟ୍ବେଣ୍ଟି-୨୦ ପ୍ରତିଯୋଗିତା)ରେ ବିଜେତା କରାଇଥିଲେ। ଏବେ ସେ ଜାତୀୟ ଦଳର ନୂଆ ଦାୟିତ୍ବ ତୁଲାଇବେ। ପ୍ରମୁଖ ୟୁରୋପୀୟ ଫୁଟ୍‌ବଲ୍‌ କ୍ଲବ୍‌ର ନିର୍ଦେଶକଙ୍କ ଭୂମିକା ଯାହା ରହିଥାଏ, ସେଭଳି ଦାୟିତ୍ବ ଏନ୍‌କ୍ବିଙ୍କର ମଧ୍ୟ ରହିବ। ସେ ପ୍ରଶିକ୍ଷଣ ଅଧିକାରୀ ଓ ଖେଳାଳିଙ୍କ ଦାୟିତ୍ବ ନେବେ। ଏନ୍‌କ୍ବି ମଧ୍ୟବର୍ତୀକାଳୀନ ନିର୍ଦେଶକ ନିଯୁକ୍ତ ହେବ ପରେ ଟେଷ୍ଟ୍‌ ଦଳକୁ ନୂଆ କରି ଗଢ଼ି ତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି।‌ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଓ ବ୍ୟାଟ୍‌ସମ୍ୟାନ୍‌ ହାସିମ୍‌ ଆମ୍‌ଲା ଅବସର ନେଇ ଯାଇଥିବାରୁ ଟେଷ୍ଟ୍‌ ଦଳ ଗଢ଼ିବା ଏନ୍‌କ୍ବିଙ୍କ ପାଇଁ ଆହ୍ବାନ ହେବ।

ସମ୍ବନ୍ଧିତ ଖବର