ଓଡ଼ିଶାରେ ଅଲିମ୍ପିକ୍ସ ଆୟୋଜନ ପ୍ରସ୍ତାବ ଦେଲେ ଅଞ୍ଜୁ

‘‘ଦୁଇ ବର୍ଷ ଧରି ଗୋଟିଏ ସ୍ପାଇକ୍ସ ପିନ୍ଧୁଥିଲି, ଏବେ ସ୍ଥିତି ବଦଳିଯାଇଛି’’

ଭୁବନେଶ୍ୱର : ଭାରତରେ ଦୌଡ଼କୁଦ ଦୁନିଆ ଆଉ ଆଗ ଭଳି ନାହିଁ, ଢେର ଅଗ୍ରଗତି କରିଛି। ଦେଶ ଭିତରେ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଅଭାବ ଦୂର ହୋଇଛି, ଭିତ୍ତିଭୂମି ସର୍ବତ୍ର ଉପଲବ୍‌ଧ ହେଲାଣି। ଏ‌ସବୁ ଦେଖି ଖୁସି ଲାଗୁଛି। ଆଗାମୀ ଦଶନ୍ଧିରେ ନିଶ୍ଚିତ ଭାରତକୁ ଅଧିକ ଅନ୍ତର୍ଜାତୀୟ ସଫଳତା ମିଳିବ ବୋଲି ଆଶା କରିଛନ୍ତି ଅଲିମ୍ପିଆନ୍ ତଥା ଦେଶର ଏକମାତ୍ର ବିଶ୍ବ ଦୌଡ଼କୁଦ ପଦକଧାରୀ ଅଞ୍ଜୁ ବବି ଜର୍ଜ। ଆମ ସମୟରେ ଭାରତୀୟ ଦୌଡ଼କୁଦ ଦୁନିଆ ଭିନ୍ନ ଥିଲା, ଗୋଟିଏ ସ୍ପାଇକ୍ସକୁ ପ୍ରାୟ ଦୁଇ ବର୍ଷ ଧରି ପିନ୍ଧିବାକୁ ପଡୁଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ବିଦେଶ ଯିବାକୁ ପଡୁଥିଲା। ଏବେ ସବୁ ହାତ ପାହାନ୍ତାରେ ମିଳୁଛି। ଦେଶରେ କନିଷ୍ଠ ବର୍ଗର ଦୌଡ଼କୁଦ କାର୍ଯ୍ୟକ୍ରମରୁ ସୁଫଳ ମିଳୁଥିବାରୁ ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ସରେ ଆମକୁ ସଫଳତା ମିଳିବା ଆଶା ରହିଛି‌ ବୋଲି କହିଥିଲେ ଅଞ୍ଜୁ। ବହୁ ବଡ଼ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବା ଓଡ଼ିଶା ସରକାର ଭବିଷ୍ୟତରେ ଅଲିମ୍ପିକ୍ସ ବି ଆୟୋଜନ କରୁ ବୋଲି ମତ ଦେଇଥିଲେ ଏହି ୪୩ ବର୍ଷୀୟା ବିଶ୍ବସ୍ତରୀୟ ଲଙ୍ଗଜମ୍ପର୍‌। ଟାଟା ଷ୍ଟିଲ୍‌ ସ୍ପୋର୍ଟସ ଡିଭିଜନ୍ ପକ୍ଷରୁ ଶୁକ୍ରବାର ଆୟୋଜିତ‌ ‘ପରବର୍ତୀ ଦଶନ୍ଧିରେ ଦୌଡ଼କୁଦ: ସଫଳତା, ଆହ୍ବାନ ଓ ଆଗାମୀ ପଥ’ ଶୀର୍ଷକ ୱେବିନାର ଅବସରରେ ଅଞ୍ଜୁ ଏଭଳି ମତ ରଖିଥିଲେ।

ଓଡ଼ିଶା ସରକାର କ୍ରୀଡ଼ା ପାଇଁ ଏକ କର୍ପୋରେଟ୍ ଭଳି କାମ କରୁଛନ୍ତି ବୋଲି ମତ ଦେଇଥିଲେ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର‌ ଦେବ। କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ୍‌ ଦୌଡ଼କୁଦ ହାଇ ପରଫର୍ମାନ୍ସ କେନ୍ଦ୍ର (ଏଚ୍‌ପିସି)ର ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିୟର୍‌ କହିଥିଲେ ଏଚପିସି ଏବେ ସମ୍ପୂର୍ଣ୍ଣ ଏକାଗ୍ର ରହିଛି ଏବଂ ଅଗ୍ରଗତିରେ ଭାରି ଖୁସି। ଆଥଲେଟଙ୍କ ସ୍ତର ବଢ଼ାଇବାରେ ଏହି କେନ୍ଦ୍ର କ୍ରମେ ଆଗକୁ ବଢ଼ିଛି ବୋଲି ସେ ଦାବି କରିଥିଲେ। ଅଲିମ୍ପିଆନ୍ ତଥା ଟାଟା ଷ୍ଟିଲ୍‌ର ବରିଷ୍ଠ ଦୌଡ଼କୁଦ ପ୍ରଶିକ୍ଷକ ଆନନ୍ଦ ମିନଜେସ୍‌ କହିଥିଲେ ‘ନିଜେ ମୁଁ ଦିନେ ମୁମ୍ବାଇଠାରୁ ୪୦ କିଲୋମିଟର ଦୂରରୁ ଯାତାୟତ କରି ‌ଖେଳ ଜୀବନ ଗଢ଼ିଥିଲି। ଏବେ ସେ ଦିନ ଆଉ ନାହିଁ। ଟାଟା ଷ୍ଟିଲ୍ ଖେଳକୁ ପ୍ରୋତ୍ସାହିତ କରିବାର ଏକ ଧାରାରେ ପରିଣତ ହୋଇଛି। ୩୫ ଅର୍ଜୁନ ପୁରସ୍କାର ବିଜେତା ଏବଂ ୨ ଦ୍ରୋଣାଚାର୍ଯ୍ୟ ବିଜେତା ଏବେ ଟାଟା ଷ୍ଟିଲ୍ ସହ ଜଡ଼ିତ ଅଛନ୍ତି। ଫଳରେ ଟାଟା ଷ୍ଟିଲ୍‌ରେ କ୍ରୀଡ଼ା ଏକ ସଂସ୍କୃତିରେ ପରିଣତ ହୋଇଛି’। ଅନ୍ୟତମ ଅଲିମ୍ପିଆନ୍ ତଥା ଭାରତୀୟ ଦୌଡ଼କୁଦ ସଂଘର ସଭାପତି ଆଦିଲ ସୁମରିୱାଲ ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରୋତ୍ସାହନକୁ ଢେର ପ୍ରଶଂସା କରିଥିଲେ। ଓଡ଼ିଶାରେ ମଧ୍ୟ ଭବିଷ୍ୟତରେ ବିଶ୍ବ ଦୌଡକୁଦ ପ୍ରତିଯୋଗିତା ହେବା ପ୍ରସ୍ତାବ ରଖିଥିଲେ। ବିଶ୍ବ‌ ଦୌଡ଼କୁଦର ଉପ ସଭାପତି ଜିଓଫ୍‌ ଗାର୍ଡନର୍‌ ମଧ୍ୟ ଏହି ୱେବିନାରରେ ନିଜ ମତ ରଖିଥିଲେ। ଭୁବନେଶ୍ବରସ୍ଥିତ ନାଭାଲ୍ ‌ଟାଟା ହକି ଏକାଡେମିର ପ୍ରକଳ୍ପ ନି‌ର୍ଦେଶକ ତଥା ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ରାଜୀବ ସେଠ ଏବଂ ସାମ୍ବାଦିକା ଦୀକ୍ଷା ଚୌଧୁରୀ କାର୍ଯ୍ୟକ୍ରମ ସଂ‌ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର