ଅଞ୍ଜୁମ୍‌ ଜିତିଲେ ରୌପ୍ୟ, ବନ୍ଧୁକ ଚାଳନା ବିଶ୍ୱକପ୍‌

ନୂଆଦିଲ୍ଲୀ: ମେକ୍ସିକୋର ଗୁଆଡାଲଜାରାଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଅଞ୍ଜୁମ୍‌ ମୁଦ୍‌ଗିଲ୍‌ ଭାରତକୁ ଅଷ୍ଟମ ପଦକ ଭେଟି ଦେଇଛନ୍ତି। ମହିଳା ୫୦ ମିଟର ରାଇଫଲ୍‌ ଥ୍ରି ପୋଜିସନ୍‌ରେ ଅଞ୍ଜୁମ୍‌ ରୌପ୍ୟ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୮କୁ ବଢ଼ିଛି। ଏହା ମଧ୍ୟ ଭାରତର ସର୍ବଶ୍ରେଷ୍ଠ ବିଶ୍ୱକପ୍‌ ପ୍ରଦର୍ଶନ। ଚଳିତ ବିଶ୍ୱକପ୍‌ରେ ଏହା ମଧ୍ୟ ଭାରତର ପ୍ରଥମ ରୌପ୍ୟ। ଏହା ପୂର୍ବରୁ ଭାରତ ୩ ସ୍ୱର୍ଣ୍ଣ ଓ ୪ କାଂସ୍ୟ ଜିତି ସାରିଥିଲା। ଅଞ୍ଜୁମ୍‌ ମଧ୍ୟ ଏଥି ସହିତ ବିଶ୍ୱକପ୍‌ରେ ନିଜର ପ୍ରଥମ ପଦକ ହାସଲ କରିଛନ୍ତି। ଚଳିତ ବିଶ୍ୱକପ୍‌ର ଷଷ୍ଠ ଦିବସରେ ପାଗ ଅତ୍ୟନ୍ତ କୋହଲା ଥିଲା। ଏଭଳି ପରିବେଶରେ ବନ୍ଧୁକରେ ଲକ୍ଷ୍ୟ ଭେଦ କରିବା ଅତ୍ୟନ୍ତ କଷ୍ଟକର ଥିଲା। ତଥାପି ଅଞ୍ଜୁମ୍‌ ଭଲ ପ୍ରଦର୍ଶନ କରିଥିଲେ। ସେ ୪୫୪.୨ ସ୍କୋର୍‌ ସହ ରୌପ୍ୟ ପାଇଥିଲା ବେଳେ ଚୀନ୍‌ର ରୁଜିଆଓ ପେଇ (୪୫୫.୪) ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ। ଅନ୍ୟତମ ଚୀନ୍‌ ତାରକା ଟିଙ୍ଗ୍‌ ସୁନ୍‌ (୪୪୨.୨) କାଂସ୍ୟ ପଦକ ପାଇଥିଲେ। ଏହି ବର୍ଗରେ ଅନ୍ୟ ଦୁଇ ଭାରତୀୟ ମହିଳା ଗାୟତ୍ରୀ ଓ ପୂର୍ବତନ ପ୍ରୋନ୍‌ ବିଶ୍ୱ ବିଜୟିନୀ ତେଜସ୍ୱିନୀ ସାଓ୍ଵନ୍ତ ଯଥାକ୍ରମେ ପଞ୍ଚଦଶ ଓ ଷୋଡ଼ଶ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଭାରତ ମଧ୍ୟ ଚଳିତ ବିଶ୍ୱକପ୍‌ରେ ପଦକ ତାଲିକାରେ ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ଚୀନ୍‌ (୨ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ) ୫ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଶନିବାର ଏହି ବିଶ୍ୱକପ୍‌ ଶେଷ ହେବ। ଅନ୍ୟପକ୍ଷରେ ପୁରୁଷ ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ ବର୍ଗରେ ଭାରତକୁ ଝଟ୍‌କା ଲାଗିଛି। ପଦକ ଦୌଡ଼ରେ ଥିବା ୧୫ ବର୍ଷ ବୟସ୍କ ଅନିଶ ଭାନ୍‌ଓ୍ଵାଲା ସପ୍ତମ ସ୍ଥାନରେ ସନ୍ତୁଷ୍ଟ ରହିଥିଲା ବେଳେ ନୀରଜ କୁମାର ତ୍ରୟୋଦଶ ସ୍ଥାନ ପାଇବା ଭାରତ ପାଇଁ ନିରାଶା ଆଣି ଦେଇଥିଲା।

ସମ୍ବନ୍ଧିତ ଖବର