ଆକାଶ ଛୁଇଁବା ଆଶାରେ ଅଙ୍କିତ

ଭୁବନେଶ୍ବର, (ଦେବାଶିଷ ସୁନ୍ଦରାୟ): କେନ୍ଦୁଝର ଟାଉନରୁ ଆରମ୍ଭ କରି ସୁଦୂର ଜର୍ମାନୀ ପର୍ଯ୍ୟନ୍ତ, ଓଡ଼ିଶା ଫୁଟ୍‌ବଲ୍‌ର ଅନ୍ୟତମ ଭବିଷ୍ୟତ ଅଙ୍କିତ ଭୂୟାଁ ତାଙ୍କ ଅସାଧାରଣ ପ୍ରତିଭାର ଛାପ ସବୁଠି ଛାଡ଼ିଛନ୍ତି। ମାତ୍ର ୧୯ ବର୍ଷ ବୟସରେ ଫୁଟ୍‌ବଲ୍ ଦୁନିଆରେ ନିଜ ପାଇଁ ଏକ ଛୋଟିଆ ହେଲେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ। କନିଷ୍ଠ ସ୍ତରରେ ବହୁ କମାଲ କରିବା ପରେ ବରିଷ୍ଠ ଫୁଟ୍‌ବଲ୍‌ରେ ନିଜ ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଷ୍ଟ୍ରାଇକର, ଡିଫେଣ୍ଡର ଭଳି ଗ୍ଲାମରିଅର୍ସ ସ୍ଥାନକୁ ଛାଡ଼ି ଫୁଟବଲ୍ ପଡ଼ିଆରେ ଗୋଲ୍‌ରକ୍ଷକ ଭଳି କଷ୍ଟକର ଓ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ବାଛିଛନ୍ତି ଅଙ୍କିତ। ଲମ୍ବା ଓ ବଳିଷ୍ଠ ଶରୀର ପାଇଁ ପ୍ରଶିକ୍ଷକଙ୍କ ପରାମର୍ଶରେ ଗୋଲ୍‌ରକ୍ଷଣ ପ୍ରେମରେ ପଡ଼ି ଯାଇଥିବା ଅଙ୍କିତ ଆଗାମୀ ସମୟରେ ଜଣେ ଅନ୍ତର୍ଜାତୀୟ ସ୍ତରର ଗୋଲ୍ ରକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଅଙ୍କିତଙ୍କ ଏହି ଆକାଶ ଛୁଇଁବା ଆଶାରେ ‘ଓଡ଼ିଶା ଏଫ୍‌ସି’ ପ୍ରମୁଖ ଭୂମିକା ତୁଲାଇବାକୁ ଯାଉଛି। ତାଙ୍କ ଅନନ୍ୟ ପ୍ରତିଭାକୁ ଚିହ୍ନି ଗତ ଋତୁଠାରୁ ହିଁ କ୍ଲବ୍ ଅଙ୍କିତଙ୍କୁ ନିଜ ବରିଷ୍ଠ ଦଳରେ ସାମିଲ କରିଛି। ଶୁଭମ ଷଡ଼ଙ୍ଗୀଙ୍କ ଭଳି ଅଙ୍କିତଙ୍କର ମଧ୍ୟ ଭାରତୀୟ ଦଳରୁ ଖେଳିବାର ଦକ୍ଷତା ଓ ଯୋଗ୍ୟତା ଥିବା କ୍ଲବ୍ ବହୁଥର କହିଛି। ସେ ମଧ୍ୟ ଏହାକୁ ପ୍ରେରଣାର ଉତ୍ସ ଭାବେ ନେଇ ନିଜ ଦକ୍ଷତାକୁ ଆହୁରି ଶକ୍ତିଶାଳୀ ଏବଂ ଦୁର୍ବଳତାକୁ ସଂପୂର୍ଣ୍ଣ ଦୂର କରିବାକୁ ଦିନରାତି ଲାଗି ପଡ଼ିଛନ୍ତି।

କିଟ୍‌ରୁ କ୍ରୀଡ଼ା ଜୀବନ
ଅଙ୍କିତଙ୍କ କ୍ରୀଡ଼ା ଜୀବନ ୨୦୧୦ରେ କିଟ୍ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଯୋଗଦେବା ପରେ ଆରମ୍ଭ ହୋଇଥିଲା। ମା’ ସଂଗୀତା ଭୂୟାଁ ଓ ଅଜା ନିଜ ନିଜ ପଢ଼ା ସମୟରେ ଖେଳାଖେଳି କରୁଥିଲେ। ଏଣୁ ସ୍ବାଭାବିକ ଭାବେ ତାଙ୍କର କ୍ରୀଡ଼ା ପ୍ରତି ଦୁର୍ବଳତା ଥିଲା। ଦେଶର ଅନ୍ୟତମ କ୍ରୀଡ଼ା କାରଖାନା ଭାବେ ପ୍ରସିଦ୍ଧି ଲାଭ କରି ସାରିଥିବା ‘କିଟ୍‌’ର କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ଖେଳରେ ଅଧିକ ମନୋନିବେଶ କରିବାକୁ ତାଙ୍କୁ ପ୍ରେରିତ କରିଥିଲା। ଦୁଇ ତିନି ବର୍ଷ ପରେ ଫୁଟ୍‌ବଲ୍‌କୁ ନିଜ ପସନ୍ଦର ଖେଳ ଭାବେ ବାଛି ନେଇଥିଲେ। ୨୦୧୩ ମସିହାରେ ହିଁ ଫୁଟ୍‌ବଲ୍‌କୁ ପେସା କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଶିକ୍ଷକ ସୁଶୀଲ ବିଶ୍ବାଳଙ୍କ ପରାମର୍ଶକ୍ରମେ ନିଜ ଶାରୀରିକ ଗଠନ ପାଇଁ ଗୋଲରକ୍ଷଣକୁ ପସନ୍ଦର ଫୁଟବଲ୍ ବର୍ଗ ଭାବେ ବାଛିଥିଲେ। ୨୦୧୫ରେ ୟୁ ମୁମ୍ବା’ର ୟୁ’ ଡ୍ରିମ୍ ଫୁଟବଲ୍ କ୍ୟାମ୍ପରେ ଉନ୍ନତ ପ୍ରଦର୍ଶନ କରି ଜର୍ମାନୀରେ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ। ସମଗ୍ର ଭାରତବର୍ଷରୁ ବଛା ଯାଇଥିବା ମାତ୍ର ୧୭ ଜଣ ଖେଳାଳିଙ୍କ ମଧ୍ୟରେ ଥିଲେ ଅଙ୍କିତ। ଜର୍ମାନିରେ ଅଢ଼େଇ ବର୍ଷର ପ୍ରଶିକ୍ଷଣ ନେଇ ୨୦୧୮ରେ ଭାରତ ଫେରିବା ପରେ ସେହିବର୍ଷ ଦିଲ୍ଲୀ ଡାଇନାମସ୍ (ଯାହା ପରେ ଓଡ଼ିଶା ଏଫ୍‌ସିରେ ନାମିତ ହୋଇଥିଲା)ର ୧୮ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ। ଏହା ପରେ ଭୁବନେଶ୍ବରରେ ଆୟୋଜିତ ହୋଇଥିବା ସୁପରକପ୍‌ରେ ଭାରତୀୟ ଦଳର ବଦଳ ଗୋଲ୍‌ରକ୍ଷକ ଭାବେ ଯୋଗ ଦେଇଥିଲେ। ଅବଶ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। ତେବେ ଏଠାରୁ ପାଇଥିବା ଅଭିଜ୍ଞତା ତାଙ୍କ ଆତ୍ମବିଶ୍ବାସକୁ ବହୁଗୁଣ ବଢ଼ାଇ ଥିଲା। ୨୦୧୯-୨୦ ଋତୁରେ ଓଡ଼ିଶା ଏଫ୍‌ସିର ବରିଷ୍ଠ ଦଳରେ ରହିବା ତାଙ୍କ ପାଇଁ କୌଣସି ଆଶୀର୍ବାଦଠାରୁ ବି କମ୍ ନଥିଲା। ଏଠାରେ ସେ ନିଜଠାରୁ ବୟସରେ ବହୁତ ବଡ଼ ଓ ଅଭିଜ୍ଞ ଖେଳାଳିଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କଠାରୁ ବହୁତ କିଛି ଶିଖି ପାରିଥିଲେ।

ଅନ୍ତର୍ଜାତୀୟ ଗୋଲ୍‌ରକ୍ଷକ ଗୁଣ
ଅଙ୍କିତଙ୍କ ପାଖରେ ଜଣେ ଅନ୍ତର୍ଜାତୀୟ ଗୋଲ୍‌ରକ୍ଷକ ହେବାର ସମସ୍ତ ଗୁଣ ଭରି ରହିଛି। ତାଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ଉଚ୍ଚତା। ୧୯ ବର୍ଷ ବୟସରେ ୧୮୭ ସେଣ୍ଟିମିଟର ଉଚ୍ଚତା ଥିବାରୁ ଗୋଲ୍‌ରକ୍ଷକ ଭାବେ ବଲ୍‌କୁ ଗୋଲ୍‌ପୋଷ୍ଟର ଉଭୟ ପାର୍ଶ୍ବକୁ ଡାଇଭ୍ ମାରି ରୋକିବାରେ ଏହା ତାଙ୍କୁ ଯଥେଷ୍ଟ ସହାୟ ହୋଇଥାଏ। ତେବେ ସବୁ ଗୋଲ୍‌ରକ୍ଷକଙ୍କ କିଛି ନା କିଛି ଦୁର୍ବଳତା ଥାଏ। ତାଙ୍କର ବି କିଛିଟା ଦୁର୍ବଳତା ରହିଛି। ଯାହାକୁ ଦୂର କରିବାକୁ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ଶୁଭମଙ୍କ ଭଳି ଅଙ୍କିତଙ୍କର ମଧ୍ୟ ଜଣେ ଅନ୍ତର୍ଜାତୀୟ ଫୁଟବଲ୍ ଖେଳାଳି ହେବାର ସମସ୍ତ ଗୁଣ ରହିଛି ବୋଲି ଓଡ଼ିଶା ଏଫ୍‌ସି ଅନେକ ଥର କହିଛି। ଏହାକୁ ପ୍ରେରଣାର ଉତ୍ସ ଭାବେ ନେଇ ଅଙ୍କିତ ଆଗେଇ ଚାଲିଛନ୍ତି। ଏହି କେନ୍ଦୁଝର ପୁଅଙ୍କ ଆଦର୍ଶ ହେଉଛନ୍ତି ଜର୍ମାନିର ସଫଳ ଗୋଲ୍‌ରକ୍ଷକ ମାନୁଏଲ ନୁଏର। ସେହିଭଳି ଭାରତୀୟ ଗୋଲ୍‌ରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁ ମଧ୍ୟ ତାଙ୍କର ଅନ୍ୟତମ ପସନ୍ଦର ଗୋଲ୍‌ରକ୍ଷକ। ସାନ୍ଧୁ ୟୁରୋପା ଯୋଗ୍ୟତା ପର୍ଯ୍ୟାୟ ଖେଳିଥିବାରୁ ତାଙ୍କ ଭଳି ଜଣେ ଗୋଲ୍‌ରକ୍ଷକ ହେବା ସୌଭାଗ୍ୟର ବିଷୟ ବୋଲି ଅଙ୍କିତ କୁହନ୍ତି। ଅଙ୍କିତଙ୍କ ପିତା ରାମଚନ୍ଦ୍ର ଭୂୟାଁ ମଧ୍ୟ ପୁଅର ଭବିଷ୍ୟତ ନେଇ ଢେର ଆଶାବାଦୀ ଅଛନ୍ତି। ସଂପ୍ରତି ସେ କେନ୍ଦୁଝରସ୍ଥିତ ସେଣ୍ଟ ଜାଭିୟର ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ତାଙ୍କର ଜଣେ ବଡ଼ ଉଉଣୀ ମଧ୍ୟ ଅଛନ୍ତି।

ଆଗାମୀ ଆଇଏସ୍‌ଏଲ୍ ଋତୁକୁ ଅପେକ୍ଷା
କରୋନା ସଙ୍କଟ ପାଇଁ ସଂପ୍ରତି କେନ୍ଦୁଝରସ୍ଥିତ ନିଜ ବାସଭବନରେ ରହି ଅଭ୍ୟାସ ଜାରି ରଖିଛନ୍ତି ଅଙ୍କିତ। ଓଡ଼ିଶା ଏଫ୍‌ସିର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଜୁଆନ୍ କ୍ୟାସନୋଭା ଦେଇଥିବା ସାରଣୀକୁ ଅନୁସରଣ କରି ଶାରୀରିକ ଅଭ୍ୟାସ କରୁଛନ୍ତି। ଚଳିତ ବର୍ଷ ନଭେମ୍ବର ମାସରେ ଆଇଏସ୍ଏଲ୍ ସଂପୂର୍ଣ୍ଣ ଭାବେ ଗୋଆରେ ହେବାର ଥିବାରୁ ସେଥିଲାଗି ଶରୀରର ଶକ୍ତି ଓ ସାମର୍ଥ୍ୟ ବଢ଼ାଇବାରେ ଲାଗିଛନ୍ତି। ଆଇଏସ୍‌ଏଲ୍ ଆରମ୍ଭ ହେବାର ମାସକ ପୂର୍ବରୁ ଦଳର ପ୍ରି-ସିଜନ୍ ପ୍ରଶିକ୍ଷଣ ଶିବିର ହେବାର ସମ୍ଭାବନା ଥିବାରୁ ସେଥିପାଇଁ ନିଜକୁ ଫିଟ୍ ରଖିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଗତ ଋତୁରେ ପ୍ରଥମ ଥର ପାଇଁ ଅଙ୍କିତ ଓଡ଼ିଶା ଏଫ୍‌ସିର ବରିଷ୍ଠ ଦଳରେ ସାମିଲ ହୋଇଥିଲେ। ତେବେ ଦଳରେ ଏକାଧିକ ଅନ୍ତର୍ଜାତୀୟ ସ୍ତରୀୟ ଗୋଲ୍‌ରକ୍ଷକ ଥିବାରୁ ତାଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିନଥିଲା। ତେବେ ଏହାକୁ ଏକ ଅଭିଜ୍ଞତା ଭାବେ ନେଇ ଆଗାମୀ ଋତୁରେ ଦଳରେ ସାମିଲ ହୋଇ ପଡ଼ିଆ ଭିତରେ ନିଜ କମାଲ ଦେଖାଇବାକୁ ଲକ୍ଷ୍ୟ ରଖିଛନ୍ତି ସେ। ବିଭିନ୍ନ ଦେଶରୁ ଆସିଥିବା ପ୍ରଶିକ୍ଷକ ଏବଂ ଖେଳାଳିଙ୍କ ଗହଣରେ ରହି ନିଜ ପ୍ରତିଭାକୁ ଅଙ୍କିତ ଆହୁରି ଶାଣିତ କରି ପାରିଛନ୍ତି। ଚଳିତଥର ଓଡ଼ିଶା ଏଫ୍‌ସିରେ ଦୁଇ ଜଣ ବିଶ୍ବସ୍ତରୀୟ ଗୋଲ୍‌ରକ୍ଷକ ପ୍ରଶିକ୍ଷକ ଥିବାରୁ ସେମାନଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିବ ବୋଲି କହିଛନ୍ତି ଅଙ୍କିତ। ଏବର୍ଷ ମୋତେ କିଛି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିବ ବୋଲି ଆଶା ରଖିଛି। ସୁଯୋଗ ମିଳିଲେ ମୁଁ ନିଶ୍ଚିତ ଭାବେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି। ତେବେ ମୋ ପାଖରେ ବହୁତ ସମୟ ଅଛି। ଏଣୁ ଏଥିନେଇ ମୁଁ ବିଶେଷ ଚିନ୍ତିତ ନାହିଁ। ଗୋଲ୍‌ରକ୍ଷଣର ସବୁ କଳାକୁ ଶିଖି ପଡ଼ିଆକୁ ଓହ୍ଲା‌ଇବାକୁ ପସନ୍ଦ କରିବି ବୋଲି ଅଙ୍କିତ କହିଛନ୍ତି। ତେବେ ଅଙ୍କିତ ଓ ଶୁଭମଙ୍କୁ ଏକାଠି ମ୍ୟାଚ୍ ଖେଳୁଥିବାର ଦେଖିବାକୁ ଓଡ଼ିଶା ଫୁଟ୍‌ବଲ ପ୍ରେମୀ ଚାହିଁ ବସିଛନ୍ତି। ସେପଟେ ରୁମ୍ ମେଟ୍ ତଥା ‘ଓଡ଼ିଶା ଏଫ୍‌ସି’ର ଓଡ଼ିଆ ତାରକା ଶୁଭମ ଷଡ଼ଙ୍ଗୀ ମଧ୍ୟ ସବୁବେଳେ ତାଙ୍କୁ ସମର୍ଥନ କରନ୍ତି। ମନୋବଳ ବଢ଼ାଇବାକୁ ପ୍ରୟାସ କରନ୍ତି। ଉଭୟ ଶୁଭମ ଓ ମୁଁ ଆଗାମୀ ସମୟରେ ଭାରତୀୟ ଦଳରୁ ଖେଳିବାକୁ ଲକ୍ଷ୍ୟ ରଖିଛୁ। ଫୁଟ୍‌ବଲ୍ ଦୁନିଆରେ ଓଡ଼ିଶାର ଟେକ ରଖିବାକୁ ଆମେ ସଙ୍କଳ୍ପବଦ୍ଧ ବୋଲି ଅଙ୍କିତ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର