ଅଷ୍ଟ୍ରେଲିଆନ୍‌ ଓପନ୍‌ ଖେଳିବେ ଅଙ୍କିତା, ଗ୍ରାଣ୍ଡ୍‌ ସ୍ଲାମ୍‌ରେ ପଞ୍ଚମ ଭାରତୀୟ ମହିଳା

ମେଲ୍‌ବର୍ଣ୍ଣ: ଅଙ୍କିତା ରାଇନା ରବିବାର ପଞ୍ଚମ ଭାରତୀୟ ମହିଳା ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍‌ର ମୁଖ୍ୟ ଡ୍ର’ରେ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଯୁଗଳ ବର୍ଗରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ। ମହିଳା ଏକକ ବର୍ଗ ‌ମୁଖ୍ୟ ଡ୍ର’ ଖେଳିବା ହାତଛଡ଼ା କରିବା ପରେ ଭାଗ୍ୟଶାଳୀ ପରାଜିତ ଭାବେ ପ୍ରଥମ ପର୍ଯ୍ୟାୟ ଶେଷ ପର୍ଯ୍ୟନ୍ତ ଏହି ୨୮ ବର୍ଷୀୟାଙ୍କ ଖେଳିବା ସମ୍ଭାବନା ରହିଥିଲା। ହେଲେ ସେ ରୋମାନିଆର ମିହାଇଲା ବୁଜାର୍ନେକୁଙ୍କୁ ସାଥୀ କରିବା ପରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ। ଅଙ୍କିତାଙ୍କ ପୂର୍ବରୁ ନିରୁପମା ମଙ୍କଡ଼ (୧୯୭୧), ନିରୁପମା ବୈଦ୍ୟନାଥନ (୧୯୯୮), ସାନିଆ ମିର୍ଜା ଓ ଭାରତ-ଆମେରିକୀୟ ଶିଖା ଓବରାଇ (୨୦୦୪) ଦେଶ ପାଇଁ ଗ୍ରାଣ୍ଡ ସ୍ଲାମ୍‌ ଖେଳିବାର ସୌଭାଗ୍ୟ ପାଇଥିଲେ। ୬ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସାନିଆଙ୍କ ପରେ ଅଙ୍କିତା ଦ୍ବିତୀୟ ଭାରତୀୟ ଭା‌ବେ ମହିଳା ଯୁଗଳରେ ଭାଗନେବେ। ୧୦ ତାରିଖରେ ଏହି ଭାରତ-ରୋମାନିଆ ଯୋଡ଼ି ଅମେରିକୀୟ ଯୋଡ଼ି ବେଲିଣ୍ଡା ଉଲ୍‌କକ୍‌ ଓ ଓଲିଭିଆ ଗାଡେକିଙ୍କୁ ଭେଟିବେ।

ଏକକ ହେଉ କି ଯୁଗଳ ଏହା ହେଉଛି ମୋର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ମୁଖ୍ୟ ଡ୍ର’। ଏହାକୁ ମୁଁ ସ୍ବତନ୍ତ୍ର ଭାବେ ଦେଖୁଛି। ବର୍ଷ ବର୍ଷ ଧରି କରିଥିବା କଠିନ ପରିଶ୍ରମର ଫଳ ପାଇଛି। କେବଳ ମୋର କଠିନ ପରିଶ୍ରମ ନୁହେଁ କିନ୍ତୁ ଏହା ‌ମୋ ଦେଶବାସୀଙ୍କ ସହଯୋଗ ଓ ଭଲ ପାଇବା ପାଇଁ ମୁଁ ଏଠାରେ ପହଞ୍ଚି ପାରିଛି। ଏହାକୁ କେବେ ଭୁଲି ପାରିବିନି। ମୁଁ ଜାଣିଛି ଏହା ଯୁଗଳ ବର୍ଗ, କିନ୍ତୁ ଏଠାରେ ଭାରତ ନାଁ ରହୁଛି ବୋଲି ମୁଖ୍ୟ ଡ୍ର‌’ ଖେଳିବା ନିଶ୍ଚିତ‌ ହେବା ପରେ ଅଙ୍କିତା ଗଣମାଧ୍ୟମକୁ କହିଛନ୍ତି। ଅଙ୍କିତାଙ୍କ ଯୋଗ୍ୟତା ହାସଲ ପରେ ଏବେ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ୪ ଭାରତୀୟଙ୍କୁ ଦେଖିବାକୁ ମିଳିବ। ତାଙ୍କ ପୁର୍ବରୁ ସୁମିତ ନଗଲ ପୁରୁଷ ଏକକରେ ଏବଂ ରୋହନ ବୋପାନ୍ନା ଓ ଦିଭିଜ୍‌ ସରନ ପୁରୁଷ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି।

ସମ୍ବନ୍ଧିତ ଖବର