ଯୁଗଳରେ ସାନିଆଙ୍କ ସାଥୀ ହେବେ ଅଙ୍କିତା

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲିମ୍ପିକ୍ସରେ ମହିଳା ଟେନିସ୍‌ ଯୁଗଳ ବର୍ଗରେ ସାନିଆ ମିର୍ଜାଙ୍କ ସାଥୀ ହେବେ ଭାରତର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଅଙ୍କିତା ରାଇନା। ଏନେଇ ଅଙ୍କିତାଙ୍କ ନିଯୁକ୍ତିଦାତା ଓଏନ୍‌ଜିସି ଇନ୍‌ଷ୍ଟାଗ୍ରାମ୍‌ରେ ସ୍ପଷ୍ଟ କରିଛି। ବିଶ୍ବ ମାନ୍ୟତାର ପୂର୍ବତନ ଏକ ନମ୍ବର ସାନିଆ ତାଙ୍କ ଆହତ ସୁରକ୍ଷା ୯ ରୢାଙ୍କ୍‌ ଭିତ୍ତିରେ ଅଲିମ୍ପିକ୍ସ ପ୍ରବେଶ କରିବେ। ନିୟମାନୁଯାୟୀ ସାନିଆଙ୍କ ସାଥୀ ଶ୍ରେଷ୍ଠ-୩୦୦ ଭିତରେ ଥିବା ଜଣେ ଖେଳାଳି ହୋଇପାରିବେ। ଅଙ୍କିତା ଏବେ ଯୁଗଳରେ ବିଶ୍ବ ମାନ୍ୟତାରେ ୯୫ ଏବଂ ଏକକରେ ୧୮୩ରେ ରହିଛନ୍ତି। ସେହି ଦୃଷ୍ଟିରୁ ସେ ହିଁ ସାନିଆଙ୍କ ସାଥୀ ଭାବେ ମନୋନୀତ ହୋଇଛନ୍ତି। ପୁଣି ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ଅଙ୍କିତା ଟୋକିଓରେ ମହିଳା ଏକକ ମଧ୍ୟ ଖେଳିବେ।

ଏଠାରେ ସୂଚନାଯୋଗ୍ୟ, ଆଗାମୀ ଟୋକିଓ କ୍ରୀଡ଼ା ସାନିଆଙ୍କ ପାଇଁ ଚତୁର୍ଥ ଅଲିମ୍ପିକ୍ସ ହେବ। ତେବେ ପ୍ରତ୍ୟେକ ଥର ସାନିଆ ଭିନ୍ନ ଭିନ୍ନ ସାଥୀ ନେଇ ଖେଳିଛନ୍ତି। ବେଜିଂ ଅଲିମ୍ପିକ୍ସରେ ସେ ସୁନିତା ରାଓ, ଲଣ୍ଡନ ଅଲିମ୍ପିକ୍ସରେ ରଶ୍ମି ଚକ୍ରବର୍ତୀ ଏବଂ ରିଓ ଅଲିମ୍ପିକ୍ସରେ ପ୍ରାର୍ଥନା ଥୋମ୍ବାରେଙ୍କୁ ସାଥୀ କରି ‌ଖେଳିଥିଲେ। ଏବେ ଟୋକିଓରେ ଅଙ୍କିତାଙ୍କ ସହ ଖେଳିବେ। ଅନ୍ୟପକ୍ଷରେ ଟୋକିଓରେ ସାନିଆ ମଧ୍ୟ ରୋହନ ବୋପାନ୍ନାଙ୍କୁ ସାଥୀ କରି ମିଶ୍ରିତ ଯୁଗଳ ଖେଳିବେ। ଏଟିପି ମାନ୍ୟତାରେ ବୋପାନ୍ନା ଏବେ ୪୦ତମ ସ୍ଥାନରେ ଅଛନ୍ତି। ବୋପାନ୍ନା ମଧ୍ୟ ସମ୍ଭବତଃ ପୁରୁଷ ଯୁଗଳକୁ ଯୋଗ୍ୟତା ହାସଲ କରିବେ। ଆଉ ପୁରୁଷ ଯୁଗଳରେ ତାଙ୍କର ସାଥୀ ହେବେ ଦିବିଜ ଶରନ।

ସମ୍ବନ୍ଧିତ ଖବର