ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

ଅଷ୍ଟ୍ରେଲିଆ ଟେଷ୍ଟ୍‌ ଓ ନ୍ୟୁଜିଲାଣ୍ଡ୍‌ ଦିନିକିଆରେ ଶ୍ରେଷ୍ଠ ଦଳ

ଦୁବାଇ: ଆଇସିସି ମାନ୍ୟତାର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୧-୨୨ ଋତୁ ଶେଷ ପାଇଁ ଚଳିତ ମେ’ ମାସ ୪ ତାରିଖ କଟ୍‌ ଅଫ୍‌ ଡେଟ୍‌ ଧାର୍ଯ୍ୟ ହୋଇଥିଲା। ଏହି ୧୨ ମାସର ସମୟ ମଧ୍ୟରେ ଦଳଗୁଡ଼ିକର ପ୍ରଦର୍ଶନକୁ ଭିତ୍ତି କରି ଆଇସିସି ମାନ୍ୟତା ସ୍ଥିର କରିଥାଏ। ସେହିଦୃଷ୍ଟିରୁ ବୁଧବାର ଆଇସିସି ପ୍ରକାଶ କରିଥିବା ବାର୍ଷିକ ମାନ୍ୟତାରେ ଭାରତ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଆଧିପତ୍ୟ ବିସ୍ତାର କରିଛନ୍ତି। ଭାରତ ଟ୍ବେଣ୍ଟି-୨୦ ମାନ୍ୟତାରେ ଶୀର୍ଷ ଦଳ ଭାବେ ସ୍ଥିତି ବଜାୟ ରଖିଥିଲା ବେଳେ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଏବଂ ଦିନିକିଆ ଆନ୍ତର୍ଜାତିକରେ ନ୍ୟୁଜିଲାଣ୍ଡ୍‌ ଏକ ନମ୍ବର ଦଳ ରହିଛନ୍ତି।

ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଭାରତୀୟ ଦଳ ୨୦୨୧-୨୨ ଋତୁରେ ଚମତ୍କାର ପ୍ରଦର୍ଶନ କରି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ପ୍ରଥମ ସ୍ଥାନ ପାଇଥିଲା ବେଳେ ଟେଷ୍ଟ୍‌ରେ କିନ୍ତୁ ଅଷ୍ଟ୍ରେଲିଆଠୁ ୯ ରେଟିଂ ପଏଣ୍ଟ୍‌ ପଛରେ ରହିଯାଇଛି। ତଥାପି ଗତବର୍ଷର ଇଂଲଣ୍ଡ ବିପକ୍ଷ ଅସମାପ୍ତ ଟେଷ୍ଟ୍‌ ଶୃଙ୍ଖଳାର ସ୍ଥଗିତ ମ୍ୟାଚ୍‌ଟି ଶେଷ ହେବା ପରେ ରେଟିଂ ପଏଣ୍ଟରେ ପରବର୍ତନ ଘଟିପାରେ। ତେବେ ଟ୍ବେଣ୍ଟି-୨୦ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିବା ସହ ଦ୍ବିତୀୟ ସ୍ଥାନରେ ଥିବା ଇଂଲଣ୍ଡଠୁ ୫ ପଏଣ୍ଟ ଆଗରେ ରହି ସ୍ଥିତି ଦୃଢ଼ କରିଛି। ଭାରତର ରେଟିଂ ପଏଣ୍ଟ ୨୭୦ ରହିଥିଲା ବେଳେ ଇଂଲଣ୍ଡ ୨୬୫ରେ ରହିଛି। ଟ୍ବେଣ୍ଟି-୨୦ ବାର୍ଷିକ ଆଇସିସି ମାନ୍ୟତାରେ ଭାରତ ଏବଂ ଇଂଲଣ୍ଡ ପଛକୁ ପାକିସ୍ତାନ (୨୬୧), ଦକ୍ଷିଣ ଆଫ୍ରିକା (୨୫୩), ଅଷ୍ଟ୍ରେଲିଆ (୨୫୧), ନ୍ୟୁଜିଲାଣ୍ଡ୍‌ (୨୫୦), ୱେଷ୍ଟଇଣ୍ଡିଜ୍ (୨୪୦), ବାଂଲାଦେଶ (୨୩୩), ଶ୍ରୀଲଙ୍କା (୨୩୦) ଓ ଆଫ୍‌ଗାନିସ୍ତାନ (୨୨୬) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ଶୀର୍ଷ-୧୦ ମଣ୍ଡନ କରିଛନ୍ତି।

ଟେଷ୍ଟ୍‌ ମାନ୍ୟତାରେ ଅଷ୍ଟ୍ରେଲିଆ ସର୍ବାଧିକ ୧୨୮ ରେଟିଂ ପଏଣ୍ଟ ପାଇ ଶୀର୍ଷରେ ଏବଂ ଭାରତ ୧୧୯ ରେଟିଂ ପଏଣ୍ଟ ସହ ଦ୍ବିତୀୟରେ ବର୍ଷ ଶେଷ କରିଥିଲା ବେଳେ ପଛକୁ ପଛ ନ୍ୟୁଜିଲାଣ୍ଡ୍‌ (୧୧୧), ଦକ୍ଷିଣ ଆଫ୍ରିକା (୧୧୦), ପାକିସ୍ତାନ (୯୩), ଇଂଲଣ୍ଡ (୮୮), ଶ୍ରୀଲଙ୍କା (୮୧), ୱେଷ୍ଟଇଣ୍ଡିଜ୍‌ (୭୭), ବାଂଲାଦେଶ (୫୧), ଜିମ୍ବାୱେ (୨୫) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ତେବେ ୧୯୯୫ ମସିହା ପରେ ଇଂଲଣ୍ଡ (୮୮)ର ଏହା ସବୁଠୁ ନିମ୍ନ ରେଟିଂ ପଏଣ୍ଟ ରହିଛି।
ଅନ୍ୟପକ୍ଷରେ ଦିନିକିଆ ବାର୍ଷିକ ମାନ୍ୟତାର ଶୀର୍ଷ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ହେଲେ ଇଂଲଣ୍ଡ (୧୨୪)କୁ ମାତ୍ର ଗୋଟିଏ ରେଟିଂ ପଏଣ୍ଟ୍‌ ବ୍ୟବଧାନରେ ପଛରେ ପକାଇ ନ୍ୟୁଜିଲାଣ୍ଡ୍‌ (୧୨୫) ପ୍ରଥମ ସ୍ଥାନ ପାଇଯାଇଛି। ଏମାନଙ୍କ ପଛକୁ ଅଷ୍ଟ୍ରେଲିଆ (୧୦୭), ଭାରତ (୧୦୫), ପାକିସ୍ତାନ (୧୦୨), ଦକ୍ଷିଣ ଆଫ୍ରିକା (୯୯), ବାଂଲାଦେଶ (୯୫), ଶ୍ରୀଲଙ୍କା (୮୭), ୱେଷ୍ଟଇଣ୍ଡିଜ୍‌ (୭୩), ଆଫ୍‌ଗାନିସ୍ତାନ (୬୬) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନ ପାଇ ଶୀର୍ଷ-୧୦ ମଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର