ଖୋର୍ଦ୍ଧା: ଦଳେଇପୁଟସ୍ଥିତ କେଏମ୍ବିବି କଲେଜ ଅଫ୍ ଇଞ୍ଜିନିୟରିଂ ଖେଳ ପଡ଼ିଆରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଭୟ କେଏମ୍ବିବି ଇଞ୍ଜିନିୟରିଂ କଲେଜ ଓ କେଏମ୍ବିବି ଆଫିନିଟି ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାକୁ ଜାତୀୟସ୍ତରୀୟ ଟେନିସ୍ ଖେଳାଳି ଚିନ୍ମୟ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା ଓ କେଏମ୍ବିବି ଆଫିନିଟି ନର୍ସିଂ କଲେଜର ପ୍ରିନ୍ସିପାଲ୍ ବନାନୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବାଳକ ବିଭାଗର ରିଲେ ରେସ୍ରେ ଇଞ୍ଜିନିୟରିଂ କଲେଜର ଦ୍ବିତୀୟ ବର୍ଷର ଛାତ୍ରମାନେ କୃତିତ୍ବ ହାସଲ କରିଥିବା ବେଳେ ବାଳିକା ବିଭାଗରେ ତୃତୀୟ ବର୍ଷ ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦୌଡ଼ି ଭିଡ଼ା ପ୍ରତିଯୋଗିତାରେ ଚତୁର୍ଥ ବର୍ଷର ଛାତ୍ର ପ୍ରିୟାଂଶୁ ନାୟକଙ୍କ ଟିମ୍ ପ୍ରଥମ ହୋଇଛନ୍ତି। କଲେଜର ପ୍ରଫେସର ଅରବିନ୍ଦ ରଥ ଓ ଦେବସ୍ମିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ।
କେଏମ୍ବିବି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ର ଚେୟାରମ୍ୟାନ୍ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଅନ୍ତର୍ଜାତୀୟ କରାଟେ ଖେଳାଳି ଅନୁପମା ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କେଏମ୍ବିବି ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ୍ ଡ. ଅମରନାଥ ନାୟକ, ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର୍, କେଏମ୍ବିବି ଆଫିନିଟି ନର୍ସିଂ କଲେଜର ପ୍ରିନ୍ସିପାଲ ବନାନୀ ଦାସ, ଖୋର୍ଦ୍ଧା ପଞ୍ଚାୟତସମିତି ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବାଳକ ବିଭାଗରେ ଗଡ଼ନାୟକ ଗମାଙ୍ଗ ଓ ବାଳିକା ବିଭାଗର ସାନ୍ତୋନୀ ପ୍ରିୟଦର୍ଶିନୀ ଦାସ ବିଜେତା ହୋଇଥିଲେ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ସଫଳ କ୍ରୀଡ଼ା ପରିଚାଳନା ପାଇଁ କ୍ରୀଡ଼ା ଶିକ୍ଷକ ଫିରୋଜ ଖାନ ମଧ୍ୟ ପୁରସ୍କୃତ ହୋଇଛନ୍ତି।