ବେଙ୍ଗାଲୁରୁ: ଆଉ ଏକ ଟେଷ୍ଟ ୩ ଦିନ ଭିତରେ ସରିଗଲା। ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଏକା ୧୭୪ ବଲ୍ ଖେଳି ଭାରତର ବିଜୟକୁ କେବଳ ବିଳମ୍ବିତ କରିପାରିଲେ ସତ, କିନ୍ତୁ ରୋହିତ ଶର୍ମାଙ୍କ ଦଳକୁ ବଡ଼ ବିଜୟ ସହ ୨-୦ ଶୃଙ୍ଖଳା ମୂଳପୋଛରୁ ବଞ୍ଚିତ ରଖିପାରିଲେ ନାହିଁ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଗୋଲାପି ବଲ୍ ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଯାଇଥିବା ବେଳେ ଭାରତ ୨୩୮ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଗତ ସପ୍ତାହରେ ଭାରତ ମୋହାଲିରେ ଏକ ପାଳି ଓ ୨୨୨ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ସୋମବାର କରୁଣାରତ୍ନେ ୧୦୭ ରନ୍ର ଶତକୀୟ ପାଳି ଖେଳିଥିବା ବେଳେ ୪୪୭ ରନ୍କୁ ପିଛା କରୁଥିବା ଭ୍ରମଣକାରୀ ସିଂହଳୀ ଦଳ ଦ୍ବିତୀୟ ପାଳିରେ ୨୦୮ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଶ୍ରୀଲଙ୍କାର ଦ୍ବିତୀୟ ପାଳିରେ ଦୁଇଟି ମାତ୍ର ଅର୍ଦ୍ଧଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା। ଦିମୁଥ କରୁଣାରତ୍ନେ ଦ୍ବିତୀୟ ୱିକେଟ୍ ପାଇଁ କୁଶାଲ ମେଣ୍ଡିଜ୍ଙ୍କ ସହ ୯୭ ରନ୍ ଏବଂ ପଞ୍ଚମ ୱିକେଟ୍ ପାଇଁ ନିରୋଶନ ଡିକୱାଲା (୧୨)ଙ୍କୁ ନେଇ ୫୫ ରନ୍ ଯୋଡ଼ିଥିଲେ। ଏହି ୩ ଜଣଙ୍କ ବାଦ୍ ଅନ୍ୟ କୌଣସି ଶ୍ରୀଲଙ୍କା ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶେଷ ୪ ୱିକେଟ୍ ଏହି ଦଳ ମାତ୍ର ୪ ରନ୍ରେ ହରାଇଥିଲା। ଅଶ୍ବିନ୍ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ବୁମରା ୩, ଅକ୍ଷର ପଟେଲ୍ ୨ ଏବଂ ରବୀନ୍ଦ୍ର ଜାଦେଜା ୧ ୱିକେଟ୍ ନେଇଥିଲେ। ଉଭୟ ପାଳିରୁ ୧୫୯ ରନ୍ (୯୨ ଓ ୬୭) ସଂଗ୍ରହ କରିଥିବା ଶ୍ରେୟସ ଆୟର୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଏବଂ ଋଷଭ ପନ୍ତ୍ (୧୮୫ ରନ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। କିନ୍ତୁ ଏହି ଦୁଇ ମ୍ୟାଚ୍ ଶୃଙ୍ଖଳାରେ ଆର୍ ଅଶ୍ବିନ୍ ସର୍ବାଧିକ ୧୨ ୱିକେଟ୍ ଓ ରବୀନ୍ଦ୍ର ଜାଦେଜା ସର୍ବାଧିକ ୨୦୧ ରନ୍ ସଂଗ୍ରହ କରିଥିଲେ। ଜାଦେଜା ମଧ୍ୟ ମୋଟ ୧୦ ୱିକେଟ୍ ନେଇଥିଲେ।
ଅଶ୍ବିନଙ୍କୁ ୧୦୦ ଡବ୍ଲ୍ୟୁଟିସି ୱିକେଟ୍
ଭାରତୀୟ ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ ପ୍ରଥମ ଖେଳାଳି ଭାବେ ଡବ୍ଲ୍ୟୁଟିସି (ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍)ରେ ୧୦୦ ୱିକେଟ୍ ପୂର୍ଣ୍ଣ କରିବାର ଗୌରବ ପାଇଛନ୍ତି। ଅଶ୍ବିନ୍ ଶ୍ରୀଲଙ୍କାର ବିଶ୍ବ ଫର୍ଣ୍ଣାଣ୍ଡୋଙ୍କୁ ନିଜ ୧୦୦ତମ ଡବ୍ଲ୍ୟୁଟିସି ଶିକାର କରିଥିଲେ। ମୋଟ ଉପରେ ଅଶ୍ବିନ୍ ୧୧ ବର୍ଷର ଟେଷ୍ଟ କ୍ରିକେ୍ଟ ଜୀବନରେ ୮୬ ମ୍ୟାଚ୍ରୁ ୪୪୨ ୱିକେଟ୍ ନେଇ ସର୍ବକାଳୀନ ଅଗ୍ରଣୀ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ସୋମବାର ସେ ୪ ୱିକେଟ୍ ଦଖଲ ଅବସରରେ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ (୪୩୯)ଙ୍କୁ ପଛରେ ପକାଇଥିଲେ। ସୋମବାର ମଧ୍ୟ ଅଶ୍ବିନ୍ ୨୨ତମ ଥର ପାଇଁ ମ୍ୟାଚ୍ ବିଜୟୀ ଶେଷ ୱିକେଟ୍ ନେଇ ସଦ୍ୟ ଦିଂବଗତ ସେନ୍ ୱର୍ଣ୍ଣଙ୍କ ରେକର୍ଡର ସମକକ୍ଷ ହୋଇଥିଲେ।
ରୋହିତଙ୍କ କ୍ରମାଗତ ଚତୁର୍ଥ ମୂଳପୋଛ
ଭାରତୀୟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ହେବା ପରେ ରୋହିତ ଶର୍ମାଙ୍କ ଦଳ କ୍ରମାଗତ ଚତୁର୍ଥ ମୂଳପୋଛ ଶୃଙ୍ଖଳା ବିଜୟ ସଫଳତା ପାଇଛି। ଭାରତୀୟ ଦଳ ମଧ୍ୟ ଏଥି ସହିତ ୨୦୨୧-୨୨ ଘରୋଇ ଋତୁକୁ ଅପରାଜେୟରେ ଶେଷ କରିଛି। ୪ ଟେଷ୍ଟରୁ ୩ ଜିତି ଗୋଟିଏ ଅମୀମାଂସିତ ରଖିଥିବା ବେଳେ ୩ ଦିନିକିଆରୁ ୩ ବିଜୟ ଏବଂ ୯ ଟ୍ବେଣ୍ଟି-୨୦ରୁ ୯ ବିଜୟ ସହ ପ୍ରାଧାନ୍ୟକୁ ଅତୁଟ ରଖିଛି। ସୋମବାର ବିଜୟ ସହିତ ଭାରତୀୟ ଦଳ ମଧ୍ୟ ଡବ୍ଲ୍ୟୁଟିସି ପଏଣ୍ଟ୍ ଟେବୁଲ୍ରେ ୧୨ ପଏଣ୍ଟ୍ ଯୋଡ଼ିଛି।
୪ କୋହଲି ପ୍ରଶଂସକ ଗିରଫ
ସୁରକ୍ଷା ବଳୟ ଭେଦ କରି ବିରାଟ କୋହଲିଙ୍କ ପାଖକୁ ଯିବା ଏବଂ ସେଲଫି ଉଠାଇବା ଅଭିଯୋଗରେ ତାଙ୍କ ୪ ପ୍ରଶଂସକଙ୍କୁ ବେଙ୍ଗାଲୁରୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡ଼ିଛି। ଚିନ୍ନାସ୍ବାମୀ ଷ୍ଟାଡିୟମ୍ର ସୁରକ୍ଷାକର୍ମୀଙ୍କୁ ମାତ୍ ଦେଇ ଏମାନେ ବିରାଟ କୋହଲିଙ୍କ ପାଖକୁ ଚାଲିଯାଇଥିଲେ। କୋହଲି ଅବଶ୍ୟ ସେମାନଙ୍କ ସହ ସେଲଫି ଉଠାଇବାର ସୁଯୋଗ ଦେଇଥିଲେ। କୁବନ୍ ପାର୍କ ପୁଲିସ କିନ୍ତୁ ଏମାନଙ୍କ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ ଅଭିଯୋଗରେ ଗିରଫ କରିବା ସହ ମଙ୍ଗଳବାର କୋର୍ଟ ଚାଲାଣ କରିବ ବୋଲି କହିଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁ ହେଉଛି ବିରାଟ କୋହଲିଙ୍କ ଦ୍ବିତୀୟ ଘର ଭଳି। କାରଣ ସେ ଆର୍ସିବିର ଅଧିନାୟକତ୍ବ କରିବା ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହି ସହରରେ ବଢ଼ିଥିବାରୁ ବହୁ ପ୍ରଶଂସକ ଗୋଷ୍ଠୀ ତାଙ୍କୁ ଅନୁସରଣ କରିଥାନ୍ତି।
ଆୟର୍ େଫବ୍ରୁଆରିର ଶ୍ରେଷ୍ଠ ଖେଳାଳି
ଭାରତୀୟ ଦଳର ନବ ଉନ୍ମେଷ ବ୍ୟାଟର୍ ଶ୍ରେୟସ ଆୟର ଫେବ୍ରୁଆରି ମାସ ପାଇଁ ଆଇସିସିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍ ଅଲରାଉଣ୍ଡର୍ ଆମେଲିଆ କେର୍ ଶ୍ରେଷ୍ଠ ମହିଳା ବ୍ୟାଟର୍ ହୋଇଛନ୍ତି। ଧଳାବଲ୍ କ୍ରିକେଟରେ ଆୟର୍ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ଖେଳିଥିବାରୁ ଏହି ସମ୍ମାନ ଅର୍ଜନ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ସେ ଚମତ୍କାର ଖେଳିଥିଲେ। ବିଶେଷ କରି ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅପରାଜିତ ରହି (୫୭*, ୭୪*, ୭୩*) ଏହି ସମ୍ମାନର ହକ୍ଦାର ହୋଇଥିଲେ।