ନୂଆଦିଲ୍ଲୀ: ଭାରତୀୟ କିଂବଦନ୍ତି କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କୁ କ୍ରିକେଟ୍ର ଭଗବାନ ଆଖ୍ୟା ଦିଆଯାଇଥାଏ। ଭଗବାନ ଭାବେ ପରିଗଣିତ ଏହି ମାଷ୍ଟର ବ୍ଲାଷ୍ଟର ତାଙ୍କ ଲମ୍ବା କ୍ରିକେଟ୍ ଜୀବନ ମଧ୍ୟରେ ଅସଂଖ୍ୟ କୀର୍ତ୍ତିମାନ ପ୍ରତିଷ୍ଠା କରିଯାଇଛନ୍ତି। ଗତ ଶୁକ୍ରବାର ସେ ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେହି ଅବସରରେ ତାଙ୍କର ଅତୁଟ ରହିଥିବା କିଛି କୀର୍ତ୍ତିମାନ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏପରିସ୍ଥଳେ ସଚିନ୍ଙ୍କ କ୍ରିକେଟ୍ ପ୍ରତି ଅବଦାନକୁ ଅନ୍ୟ କେହି ଟପିପାରିବେ କି ବୋଲି ପ୍ରଶ୍ନ ଉଠିଥିଲା। ଏହାର ଉତ୍ତର ରଖି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି କହିଛନ୍ତି ‘ଆମକୁ କେବଳ ଅପେକ୍ଷା କରିବାକୁ ହେବ ଓ ଦେଖିବାକୁ ପଡ଼ିବ’। ତାଙ୍କ ୨୦ରୁ ଉର୍ଦ୍ଧ୍ବ ବର୍ଷର ଲମ୍ବା କ୍ରିକେଟ୍ ଜୀବନ ମଧ୍ୟରେ ସଚିନ୍ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ଯେଉଁଥିରେ ସେ ୧୦୦ ଆନ୍ତର୍ଜାତିକ ଶତକ ମଧ୍ୟ ଜମାଇଥିଲେ। ସେଥିରୁ ଟେଷ୍ଟ୍ରେ ୫୧ ଶତକ ସହିତ ମୋଟ ୧୫୯୨୧ ରନ୍ ଏବଂ ଦିନିକିଆରେ ୪୯ ଶତକ ସହିତ ମୋଟ ୧୮୪୨୬ ରନ୍ ନିଜ ନାମରେ ରଖିଛନ୍ତି।
ଏବେ ସଚିନ ତେନ୍ଦୁଲକରଙ୍କ ଭଳି ଆଉ କାହାରିକୁ ଦେଖିବାକୁ ମିଳିବ କି ବୋଲି ପ୍ରଶ୍ନ ହେବାରୁ ବ୍ରେଟ୍ ଲି ଏବର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ନେଇଥିଲେ। କୋହଲି ହିଁ ତାଙ୍କର ଅସାଧାରଣ କୀର୍ତିଗୁଡ଼ିକୁ ଟପିବାର ସମ୍ଭାବନା ରଖନ୍ତି ବୋଲି ବିଶ୍ବାସ ଜନ୍ମାଇଛନ୍ତି ଲି। ଏଥି ସହିତ ଲି ମଧ୍ୟ ଉଭୟ ସଚିନ୍ ଓ କୋହଲିଙ୍କ ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଛନ୍ତି। ୭/୮ ବର୍ଷ ବେଳକୁ କୋହଲି ଏହା କରିପାରିବେ ବୋଲି ମଧ୍ୟ ଲି ଆଶା ପ୍ରକଟ କରିଛନ୍ତି। ଅଷ୍ଟ୍ରେଲିଆ ପାଇଁ ୭୬ ଟେଷ୍ଟ, ୨୨୧ ଦିକିଆ ଓ ୨୫ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି, ସଚିନ୍ଙ୍କ ସଫଳତା ଓ ଅସଂଖ୍ୟ କୀର୍ତିକୁ ଟପିବା ଅନ୍ୟ କାହାରିପକ୍ଷେ ଏତେଟା ସହଜ ହୋଇନପାରେ। ସେଥିପାଇଁ ଅନ୍ୟ କେହି ତାଙ୍କୁ ଯେ ଟପିପାରିବେ ତାହା କହିପାରିବାନି। ସେ ହିଁ କ୍ରିକେଟ୍ର ଭଗବାନ। କେହି ତାଙ୍କୁ ଟପିପାରିବେ କି ? ତାହା ଆମକୁ ଦେଖିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। କେବଳ କୋହଲି ହିଁ ତାଙ୍କୁ ଟପିପାରିବାର ସମ୍ଭାବନା ରଖନ୍ତି। କାରଣ ଏହି ଧାରାରେ କୋହଲି ଆଉ ୭/୮ ବର୍ଷ ଖେଳିଲେ ଏହା ସମ୍ଭବ। କୋହଲି ତାଙ୍କ ଆନ୍ତର୍ଜାତିକ ଜୀବନ ମଧ୍ୟରେ ୪୩ ଦିନିକିଆ ଓ ୨୭ ଟେଷ୍ଟ୍ ଶତକ ଜମାଇ ସାରିଲେଣି। କୋହଲି ଯେ ସଚିନ୍ଙ୍କ ମାଇଲଖୁଣ୍ଟକୁ ଟପିପାରିବେ ସେ ନେଇ କିଛି କାରଣ ଉଲ୍ଲେଖ କରିଛନ୍ତି ଲି। ସେଥିରୁ ଗୋଟିଏ ପ୍ରମୁଖ କାରଣ ହେଲା ଫିଟ୍ନେସ୍। କୋହଲିଙ୍କ ଫିଟ୍ନେସ୍ ସବୁଠୁ ପ୍ରଶଂସନୀୟ। ଦ୍ବିତୀୟରେ ତାଙ୍କ ନିକଟରେ ଭରପୁର ଦକ୍ଷତା ରହିଛି। ୩୦ ବର୍ଷ ବୟସରେ କୋହଲି ଯେଭଳି ଫିଟ୍ ରହିଛନ୍ତି ସେ ସଚିନ୍ଙ୍କୁ ଟକ୍କର ଦେଇପାରିବେ। ପୁଣି ମାନସିକ ଭାବେ ସେ ମଧ୍ୟ ସଚିନ୍ଙ୍କ ତୁଳନାରେ ବେଶ୍ ଦୃଢ଼। କଠିନ ସମୟରେ ମାନସିକ ସାମର୍ଥ୍ୟ ତାଙ୍କର ସନ୍ତୁଳିତ ରହିଥାଏ। ନିଜ ଘରଠୁ, ପତ୍ନୀଙ୍କଠୁ ବାହାରେ ରୁହନ୍ତୁ କିମ୍ବା ତାଙ୍କ ପିଲା ହେବା ପରେ ଦୂରେଇ ଥାଆନ୍ତୁ ସବୁ ସମୟ ନିଶ୍ଚିତ କଷ୍ଟକର। ସବୁ ସମୟକୁ କୋହଲି ଆରାମରେ ଅତିବାହିତ କରିବା ଦକ୍ଷତା ରଖିଛନ୍ତି।। ସଚିନଙ୍କୁ କୋହଲି ହିଁ ଟପି ପାରିବେ ବୋଲି ବ୍ରେଟ୍ ଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ମଧ୍ୟ ‘ଭଗବାନଙ୍କୁ କେହି ଅତିକ୍ରମ କରିପାରିବେ କି ? ବୋଲି ପ୍ରଶ୍ନ ମଧ୍ୟ କରିଥିଲେ।
ସଚିନଙ୍କ ଅଲ୍ରାଉଣ୍ଡର୍ ତାଲିକାରେ କପିଳ, ଇମ୍ରାନ୍
ମୁମ୍ବାଇ: ଶୁକ୍ରବାରର ୪୭ତମ ଜନ୍ମ ଦିବସର ଠିକ୍ ପରେ ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରକାଶ କରିଥିବା ନିଜ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ ୫ ଅଲ୍ରାଉଣ୍ଡର୍ ତାଲିକାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନର ଦୁଇ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ଓ ଇମ୍ରାନ ଖାନ୍ଙ୍କୁ ସ୍ଥାନ ଦେଇଛନ୍ତି। କପିଳ ୧୯୮୩ ଓ ଇମ୍ରାନ ୧୯୯୨ରେ ନିଜ ବଳିଷ୍ଠ ନେତୃତ୍ବ ବଳରେ ଯଥାକ୍ରମେ ଭାରତ ଓ ପାକିସ୍ତାନକୁ ବିଶ୍ବକପ୍ ବିଜେତା କରାଇଥିଲେ। ଏହି ଦୁଇ ମହାନ କ୍ରିକେଟ୍ ତାରକାଙ୍କ ସହ ନିଜ ନିଆରା ତାଲିକାରେ ବିଶ୍ବ କ୍ରିକେଟ୍ର ଅନ୍ୟ ତିନି ଲୋକପ୍ରିୟ ତଥା ଦକ୍ଷ କ୍ରିକେଟ୍ କିଂବଦନ୍ତି ନ୍ୟୁଜିଲାଣ୍ଡର ସାର୍ ରିଚାର୍ଡ ହାଡ୍ଲି, ୱେଷ୍ଟଇଣ୍ଡିଜ୍ର ମାଲକମ ମାର୍ସାଲ୍ ଓ ଇଂଲଣ୍ଡର ଇଆନ ବୋଥାମ୍ଙ୍କୁ ମଧ୍ୟ ସଚିନ ସ୍ଥାନ ଦେଇଛନ୍ତି। ଏହି ପାଞ୍ଚ ଜଣ ମହାନ କ୍ରିକେଟର୍ଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସଚିନ କହିଛନ୍ତି ଯେ ଏହି ପାଞ୍ଚ ଜଣ ଅଲ୍ରାଉଣ୍ଡରଙ୍କ ଖେଳ ଦେଖି ଦେଖି ମୁଁ ବଡ଼ ହୋଇଥିଲି। ଏଭଳି ଜଣେ ମହାନ ଖେଳାଳିଙ୍କ ସହ ମୁଁ ଭାରତୀୟ ଦଳରୁ ଖେଳିଥିଲି, ସେ ହେଲେ କପିଳ ଦେବ। ମୋ ପସନ୍ଦର ଦ୍ବିତୀୟ ଶ୍ରେଷ୍ଠ ଅଲରାଉଣ୍ଡର୍ ହେଲେ ଇମ୍ରାନ ଖାନ୍। ମୁଁ ଯେତେବେଳେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲି, ତାଙ୍କ ସହ ଖେଳିବାର ସୌଭାଗ୍ୟ ଲାଭ କରିଥିଲି। ଦ୍ବିତୀୟ ଥର ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ବେଳେ ସାର୍ ରିଚାର୍ଡ ହାଡ୍ଲିଙ୍କ ସହ ଖେଳିଥିଲି, ସେ ନିଶ୍ଚିତ ଭାବେ ମୋ ତାଲିକାର ତୃତୀୟ ସ୍ଥାନରେ ରହିବେ। ଅନ୍ୟ ଦୁଇ ମହାନ ଅଲ୍ରାଉଣ୍ଡର ହେଲେ ମାଲକମ୍ ମାର୍ସାଲ ଓ ଇଆନ ବୋଥାମ। ଏହି ଦୁଇ କ୍ରୀଡ଼ା କାରିଗରଙ୍କ ବିପକ୍ଷରେ ମୁଁ ଅଷ୍ଟ୍ରେଲିଆରେ ଖେଳିବାର ସୁଯୋଗ ପାଇଥିଲି। ଏମାନେ ସମସ୍ତେ ଜଣେ ଜଣେ ମହାନ କ୍ରିକେଟର। କେହି କାହାରିଠାରୁ କମ୍ ନୁହନ୍ତି।