ଭୁବନେଶ୍ବର: ଗଲ୍‌ଫ ପଡ଼ିଆରେ ନିଜ ଲକ୍ଷ୍ୟ ଭେଦିବାର ସଫଳ ଯାତ୍ରାକୁ ଜାରି ରଖିଛନ୍ତି ରାଜ୍ୟର ଏକ ନମ୍ବର ମହିଳା ଖେଳାଳି ଲଖି ସ୍ବାଇଁ। ଭୁବନେଶ୍ବର ଗଲ୍‌ଫ କୋର୍ସରେ ରବିବାର ଅନୁଷ୍ଠିତ ଫାଲକନ୍ ଓପନ୍‌ର ମହିଳା ବର୍ଗରେ ଲଖି ବିଜୟିନୀ ହୋଇ ଚଳିତ ଋତୁର ତୃତୀୟ ଟ୍ରଫି ହାସଲ କରିଛନ୍ତି। ସୁମନ ଭୋଇନା ଉପବିଜୟିନୀ ହୋଇଛନ୍ତି।

Advertisment

ସେହିଭଳି ବରିଷ୍ଠ ବର୍ଗରେ ଜୟନ୍ତ ମିଶ୍ର, ସଂଜୟ ପଣ୍ଡା, ୦-୧୬ ବର୍ଗରେ ନିତାଇ ପଟ୍ଟନାୟକ, ପ୍ରିୟଦର୍ଶୀ ମହାପାତ୍ର, ୧୭-୨୪ ହ୍ୟାଣ୍ଡିକ୍ୟାପ୍‌ ବର୍ଗରେ କ୍ୟାପଟେନ୍ ସୁଧୀର ପଣ୍ଡା, ସବ୍ୟସାଚୀ ପଟ୍ଟନାୟକ ଯଥାକ୍ରମେ ବିଜେତା ଓ ଉପବିଜେତା‌ ହୋଇଛନ୍ତି।

ମୁଖ୍ୟ ବର୍ଗରେ କ୍ୟାପଟେନ୍ ସୁବାଷ ଦାସ ବେଷ୍ଟ୍ ଗ୍ରସ୍ ସମ୍ମାନ ପାଇଛନ୍ତି। ୩ ଦିନିଆ ଏହି ପ୍ରତିଯୋଗିତାରେ ବିଜିସି, ପିପିଟି, ଏମ୍‌ଜିସି, ୧୨୦-ଟିଏ, ବ୍ରାହ୍ମଣୀ କ୍ଳବ୍‌ରୁ ମୋଟ ୧୪୭ ଜଣ ଅଣପେସାଦାର ଗଲ୍‌ଫର ଭାଗ ନେଇଥିଲେ।