ଭୁବନେଶ୍ବର: ଉଦୀୟମାନ ଓଡ଼ିଆ ସ୍କେଟର୍ ଅନାହିତା ମିଶ୍ର ଚଳିତ ବର୍ଷ ତାଙ୍କ ତୃତୀୟ ସ୍ବର୍ଣ୍ଣ ପଦକ ଜିତି ସଫଳ ଯାତ୍ରାକୁ ଆଗକୁ ବଢ଼ାଇଛନ୍ତି। ପର୍ତ୍ତୁଗାଲ୍ରେ ଅନୁଷ୍ଠିତ ଫାରୋ ଅନ୍ତର୍ଜାତୀୟ ଇନ୍ଲାଇନ୍ ଫ୍ରିଷ୍ଟାଇଲ୍ ପ୍ରତିଯୋଗିତାରେ ଅନାହିତା ସ୍ପିଡ୍ ସ୍ଲାଲୋମ୍ ଇଭେଣ୍ଟ୍ରେ ବିଶ୍ବର ୪ ନମ୍ବର ଖେଳାଳି ସାନ୍ମାରିନୋର ମାଟିଡେ ଟେରେଞ୍ଜ୍ଙ୍କୁ ହରାଇ ଏହି ଗୌରବ ଆଣିଛନ୍ତି। ଏଥି ସହିତ ଅନାହିତାଙ୍କୁ ଟ୍ରଫି ଓ ନଗଦ ଅର୍ଥ ପୁରସ୍କାର ବି ମିଳିଛି। ସମ୍ପ୍ରତି ବିଶ୍ବ ମାନ୍ୟତାରେ ବାଳିକା ବର୍ଗରେ ୧୫ ନମ୍ବର ଏବଂ ଭାରତର ଏକ ନମ୍ବର ହୋଇପାରିଛନ୍ତି ଅନାହିତା।
ନୋଏଡାର ମାନବ ରାଚ୍ନା ଅନ୍ତର୍ଜାତୀୟ ସ୍କୁଲ୍ରେ ନବମ ଷ୍ଟାଣ୍ଡାର୍ଡରେ ପଢ଼ୁଥିବା ଅନାହିତା ଓଡ଼ିଶା ପାଇଁ ଜାତୀୟସ୍ତରରୁ ୫ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୧ କାଂସ୍ୟ ପଦକ ଜିତିଛନ୍ତି। ୨୦୨୫ରେ କିନ୍ତୁ ସେ ପୋଲାଣ୍ଡ୍ ଓ ଫ୍ରାନ୍ସରେ ପାଇଥିବା ସଫଳତା ତାଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରଷ୍ଫୁଟିତ କରାଇଛି। ଇନ୍ଲାଇନ୍ ଫ୍ରି ଷ୍ଟାଇଲ୍ ସ୍କେଟିଂରେ ଅନାହିତା ମଧ୍ୟ ୨୦୨୨ରେ ଆର୍ଜେଣ୍ଟିନାର ବୁଏନ୍ସଏୟାରସ୍ଠାରେ ବିଶ୍ବ ସ୍କେଟ୍ ଗେମ୍ସରେ ଭାଗ ନେଇ ଅଭିଜ୍ଞତା ଅର୍ଜନ କରିଥିଲେ। ୨୦୨୪ରେ ସ୍ବିଜରଲାଣ୍ଡରେ ଅନୁଷ୍ଠିତ ରିଚିନେ ବିଚ୍ ବ୍ୟାଟଲ୍ ପ୍ରତିଯୋଗିତା ଏବଂ ୨୦୨୫ରେ ଚେକ୍ ଫ୍ରିଷ୍ଟାଇଲ୍ ବିଶ୍ବକପ୍ ଓ ଲୋମାଉକ୍ରେ ଅଂଶଗ୍ରହଣ କରି ନିଜ ବିଶ୍ବ ମାନ୍ୟତାକୁ ଶୀର୍ଷ ୧୫ରେ ପହଞ୍ଚାଇଛନ୍ତି। କଟକର ମୂଳ ଅଧିବାସୀ ସୌମ୍ୟନ୍ବେଷ ମିଶ୍ର ଓ ସୁନନ୍ଦା ସାଙ୍ଗାନେରିଆଙ୍କ ଝିଅ ହେଉଛନ୍ତି ଅନାହିତା। ଯିଏକି ଏବେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଭାରତର ଦ୍ରୁତତମ ସ୍ଲାଲୋମ ସ୍କେଟର୍ (୪.୭୯୫ ସେକେଣ୍ଡ୍) ଭାବେ ଚର୍ଚ୍ଚାରେ ଅଛନ୍ତି।