ଆଉ ଜଣେ କପିଳ ଦେବ ସୃଷ୍ଟି ହେବା ଅସମ୍ଭବ

ପାଣ୍ଡ୍ୟାଙ୍କ ସହ ତୁଳନା ନେଇ ଆଝାରଙ୍କ ପ୍ରତିକ୍ରିୟା

କୋଲକାତା: ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବଂ ବିଶ୍ୱ ବିଜୟୀ ଅଧିନାୟକ କପିଳ ଦେବଙ୍କ ମଧ୍ୟରେ ହେଉଥିବା ତୁଳନା ନେଇ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ତୁଳନାର କୌଣସି ମୂଲ୍ୟନାହିଁ ଏହା ନିରାଧାର ବୋଲି କ୍ଷୁବ୍ଧ ଆଝାର ମଙ୍ଗଳବାର ସଫା ସଫା କହିଛନ୍ତି। ଆଝାର କହିଛନ୍ତି ଯେ ଏମିତି କରିବା ଆଦୌ ଠିକ୍‌ ନୁହେଁ। ଏହା ଭଲ କଥା ମଧ୍ୟ ନୁହେଁ। ଦ୍ୱିତୀୟ କପିଳ ଦେବ ଜନ୍ମ ହିଁ ନେଇ ପାରିବେନି। ଆଉ ଜଣେ କପିଳ ଦେବ ସୃଷ୍ଟି କରିବା ବି ବହୁତ କଷ୍ଟକର। କାରଣ ସେ ସମୟରେ କପିଳ ଯେଭଳି ଭାବେ ପରିଶ୍ରମ କରୁଥିଲେ ତାହା ଅତୁଳନୀୟ।

ସେ ଗୋଟିଏ ଦିନରେ ୨୦-୨୫ ଓଭର ବୋଲିଂ କରୁଥିଲେ। ଏବେକାର ବହୁ ବୋଲର ଏହା କରି ପାରିବେ ନାହିଁ। ପ୍ରକାଶଯୋଗ୍ୟ ଯେ ନିକଟ ଅତୀତରେ ପାଣ୍ଡ୍ୟା କିଛି ମ୍ୟାଚ୍‌ରେ ଭଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନ ଟେଷ୍ଟରେ ସେ କଷ୍ଟକର ପିଚରେ ୯୩ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ସେଥିପାଇଁ କିଛି ଲୋକ ତାଙ୍କୁ କପିଳଙ୍କ ସହ ତୁଳନା କରିବା ଆରମ୍ଭ କରି ଦେଇଥିଲେ। କପିଳ ନିଜେ ମଧ୍ୟ ଏହାକୁ ପସନ୍ଦ କରି ନଥିଲେ। ପାଣ୍ଡ୍ୟା ଛୋଟ ଛୋଟ ଭୁଲ କରୁଛନ୍ତି। ମୋତେ ତାଙ୍କ ସହ ତୁଳନା କର ନାହିଁ ବୋଲି କପିଳ ସମସ୍ତଙ୍କୁ ଆହ୍ଵାନ କରିଥିଲେ। ତୃତୀୟ ଟେଷ୍ଟରେ ଭାରତୀୟ ଦଳ ପ୍ରଦର୍ଶନକୁ ମନଖୋଲି ପ୍ରଶଂସା କରିଥିଲେ। ବିରାଟ କୋହଲିଙ୍କ ନେତୃତ୍ୱ ଶୈଳୀକୁ ବି ସେ ବେଶ୍‌ ପସନ୍ଦ କରିଥିଲେ।

ସମ୍ବନ୍ଧିତ ଖବର