ଆଉ ଏକ ମ୍ୟାଚ୍ ବାତିଲ, ପ୍ରଶଂସକ ନିରାଶ

ବ୍ରିଷ୍ଟଲ: ଲଗାଣ ବର୍ଷା ପାଇଁ ବିଶ୍ବକପ୍‌ର ଆଉ ଏକ ମ୍ୟାଚ୍ ବାତିଲ ହୋଇଛି। ପାକିସ୍ତାନ-ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍-ଦକ୍ଷିଣ ଆଫ୍ରିକା ପରେ ମଙ୍ଗଳବାରର ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍‌କୁ ମଧ୍ୟ ବର୍ଷା ଧୋଇ ନେଇଛି। ଏହି ତିନିଟି ମ୍ୟାଚ୍‌ରୁ ଦୁଇଟିରେ ଶ୍ରୀଲଙ୍କା ଜଡ଼ିତ ରହିବା ସିଂହଳୀ ପ୍ରଶଂସକଙ୍କୁ ନିରାଶ କରିଛି। ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ଖେଳାଳି ମଧ୍ୟ ପରୋକ୍ଷରେ ଅସନ୍ତୋଷ ଜାହିର କରିଛନ୍ତି। ଶ୍ରୀଲଙ୍କା ଏବେ ପାକିସ୍ତାନ ପରେ ଦ୍ବିତୀୟ ଥର ବାଂଲାଦେଶ ସହ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ‌ହୋଇଛି। ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ବାତିଲା ହେବା ପରେ ୨୦୧୯ ବିଶ୍ବକପ୍ ବାତିଲ ମ୍ୟାଚ୍‌ରେ ପୂର୍ବର ସବୁ ବିଶ୍ବକପ୍‌କୁ ଟପିଛି। ଫଳାଫଳ ମିଳି ନଥିବା ମ୍ୟାଚ୍ କ୍ଷେତ୍ରରେ ଅବଶ୍ୟ ୨୦୦୩ ଏବଂ ୧୯୯୨ ବିଶ୍ବକପ୍ ସମାନ ସ୍ତରରେ ରହିଛନ୍ତି। ଉଭୟ ୨୦୦୩ ଏବଂ ୧୯୯୨ ବିଶ୍ବକପ୍‌ରେ ଦୁଇଟି ଲେଖାଏଁ ମ୍ୟାଚ୍‌ର ଫଳାଫଳ ମିଳି ନଥିଲା। ସୂଚନାଯୋଗ୍ୟ ଯେ ଯଦି କୌଣସି ମ୍ୟାଚ୍‌ରେ ଟସ୍ ପଡ଼ି ନପାରେ ତେବେ ଏହାକୁ ‘ବାତିଲ ମ୍ୟାଚ୍‌’ର ମାନ୍ୟତା ମିଳେ। ଟସ୍ ପଡ଼ିବା ପରେ କୌଣସି କାରଣରୁ ଖେଳ ସମାପ୍ତ ‌ହୋଇ ନପାରିଲେ ତାକୁ ‘ଫଳାଫଳ ମିଳି ନଥିବା ମ୍ୟାଚ୍’ କୁହାଯାଇଥାଏ।

ସମ୍ବନ୍ଧିତ ଖବର