ଲାହୋର: ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ କ୍ରମାଗତ ଦ୍ବିତୀୟ ଦିନ ତଥା ମୋଟ ଉପରେ ତୃତୀୟ ମ୍ୟାଚ୍‌କୁ ବ‌ର୍ଷା ଧୋଇ ନେଇଛି। ଶୁକ୍ରବାର ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଆଧାରୁ ବାତିଲ ହୋଇଛି। ଫଳରେ ଗ୍ରୁପ୍‌-‘ବି’ରୁ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ଓ ଆଫାଗାନିସ୍ତାନ ୩ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ଇଂଲଣ୍ଡ ପଏଣ୍ଟ୍ ଖାତା ଖୋଲି ନାହିଁ। ଦକ୍ଷିଣ ଆଫ୍ରିକା ଉନ୍ନତ ଏନ୍‌ଆର୍‌ଆର୍‌ ରଖିଥିବାରୁ ସେମିଫାଇନାଲ୍ ଯିବା ସମ୍ଭାବନା ରଖିଛି। ଶନିବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମ୍ୟାଚ୍‌ରେ ବଡ଼ ବ୍ୟବଧାନ ନ ଘଟିଲେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ଯିବା ନିଶ୍ଚିତ। ଏହି ମ୍ୟାଚ୍ ଜିତିଲେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଟପ୍ପର୍‌ ହେବ ଏବଂ ଇଂଲଣ୍ଡ ଜିତିଲେ ସାନ୍ତ୍ବନାମୂଳକ ବିଜୟ ସହ ଅଭିଯାନ ଶେ‌ଷ କରିବ। ଆଫଗାନିସ୍ତାନ କିନ୍ତୁ ଆଶା ରଖିଛି ଇଂଲଣ୍ଡ ଅନ୍ୟୁନ ୨୦୭ ରନ୍‌ରେ ବ୍ୟବଧାନରେ ଜିତିଲେ ତାଙ୍କ ସେମିଫାଇନାଲ୍ ଯିବ।

Advertisment

ଶୁକ୍ରବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦୁଇଟି ଲଢ଼ୁଆ ଅର୍ଦ୍ଧଶତକ ବଳରେ ୨୭୩ ରନ୍ କରିନେଇଥିଲା। ୩ ନମ୍ବର ବ୍ୟାଟର୍‌ ସେଦିକୁଲ୍ଲା ଅଟଳ (୯୫ ବଲ୍‌ରୁ ୮୫ ରନ୍) ଏବଂ ଅଜ୍‌ମାତୁଲ୍ଲା ଓମାରଜାଇ (୬୩ ବଲ୍‌ରୁ ୬୭ ରନ୍) ଦଳକୁ ଏହି ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ଡ୍ବାରହୁଇସ୍‌ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ସ୍ପେନ୍‌ସର୍‌ ଜନ୍‌ସନ୍ ଓ ଆଦାମ ଜାମ୍ପା ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ନାଥନ୍ ଏଲିସ୍‌ ଓ ଗ୍ଲେନ୍ ମ୍ୟାକ୍ସୱେଲ୍‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ଟ୍ରାଭିସ୍‌ ହେଡ୍‌ଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୧୨.୫ ଓଭରରେ ୧ ୱିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରିଥିବାବେଳେ ବର୍ଷା ବାଧା ସୃଷ୍ଟି କରିଥିଲା। ପ୍ରାୟ ଦୁଇ ଘଣ୍ଟା ଖେଳ ଅଟକିବା ପରେ ବ‌ର୍ଷା ବାଟ ଛାଡ଼ି ନଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ ଭାଗ କରିଛନ୍ତି।

ସଂକ୍ଷିପ୍ତ ସ୍କୋର: ଆଫଗାନିସ୍ତାନ ୫୦ ଓଭରରେ ୨୭୩/୧୦ (ସେଦିକୁଲ୍ଲା ଅଟଲ-୮୫, ଅଜ୍‌ମାତୁଲ୍ଲା ଓମାରଜାଇ-୬୭, ଇବ୍ରାହିମ୍ ଜଦ୍ରାନ୍‌-୨୨, ହସ୍‌ମାତୁଲ୍ଲା ସାହିଦି-୨୦, ରସିଦ୍ ଖାନ୍-୧୯,‌ ବେନ୍ ଡ୍ବାରସୁଇସ୍‌-୩/୪୭, ଆଦାମ ଜାମ୍ପା-୨/୪୮,‌ ସ୍ପେନସର୍ ଜନ୍‌ସନ୍‌-୨/୪୯)। ଅଷ୍ଟ୍ରେଲିଆ ୧୨.୫ ଓଭରରେ ୧୦୯/୧ (ଟ୍ରାଭିସ୍ ହେଡ୍‌-୫୯*, ଷ୍ଟିଭେନ୍ ସ୍ମିଥ୍-୧୯*, ଅଜ୍‌ମାତୁଲ୍ଲା ଫାରୁକି-୧/୪୩)।