ଭୁବନେଶ୍ବର: ସେ ଲୌହମାନବ ନୁହଁନ୍ତ କିନ୍ତୁ ଆଇରନ୍ମ୍ୟାନ୍। ଖେଳାଳି ନୁହଁନ୍ତି କିନ୍ତୁ ଶକ୍ତିମାନ। ଯୁବକ ନୁହଁନ୍ତି କିନ୍ତୁ ଯୁବ ସୁଲଭତାରେ ଭରପୁର। ସବୁକିଛି ମହତ ଉଦ୍ଦେଶ୍ୟରେ। ନିଜକୁ ଫିଟ୍ ରଖିବା ସହିତ ସାଧାରଣ ଜନତାଙ୍କୁ ସୁସ୍ଥ ଜୀବନ ଏବଂ ସୁଠାମ ଚେହେରା ପ୍ରଦାନ କରିବା ଲାଗି ନିଜକୁ ସମର୍ପି ଦେଇଥିବା ବ୍ୟକ୍ତି ତଥା ବ୍ୟକ୍ତିତ୍ବ ଜଣଙ୍କ ହେଉଛନ୍ତି ସଂଗ୍ରାମ କେଶରୀ ଜେନା। ଓଡ଼ିଶାର ଆଉ ଜଣେ ଉଦୀୟମାନ ଆଇରନ୍ମ୍ୟାନ୍। ଆମେ ଆଗରୁ ଜାଣିଛୁ ସିଦ୍ଧାର୍ଥ ରାଉତରାୟ ହେଉଛନ୍ତି ଓଡ଼ିଶାର ପ୍ରଥମ ଆଇରନ୍ମ୍ୟାନ୍ ଯିଏ ଆମେରିକାରେ ଏହି ସଫଳତା ଅର୍ଜନ କରି ରାଜ୍ୟ ପାଇଁ ନୂଆ ଫର୍ଦ ଯୋଡ଼ିଛନ୍ତି। କିନ୍ତୁ ଭାରତ ଭିତରେ ରହି ଏଭଳି ଗୌରବ ପଥରେ ଅଗ୍ରସର ହୋଇଛନ୍ତି ବାରିପଦାର ମୂଳ ଅଧିବାସୀ ସଂଗ୍ରାମ କେଶରୀ। ଚଳିତ ବର୍ଷ ପ୍ରାରମ୍ଭରେ କଲମ୍ବୋରେ ଅନୁଷ୍ଠିତ ହାଫ୍ ଆଇରନ୍ମ୍ୟାନ୍ ଅଭିଯାନକୁ ସଫଳତାର ସହ ଶେଷ କରିଛନ୍ତି ଏହି ୪୮ ବର୍ଷୀୟ ଟେଲିସେବା ବୃତ୍ତିର ବ୍ୟକ୍ତିତ୍ବ। ଅକ୍ଟୋବରରେ ମାଲେସିଆର ଫୁଲ୍ ଆଇରନ୍ମ୍ୟାନ୍ରେ ସାମିଲ ହେବା ଲାଗି ଏବେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ସଂଗ୍ରାମ।
କଲେଜ ଜୀବନରେ ଟେବୁଲ ଟେନିସ୍ ଖେଳୁଥିଲେ ସଂଗ୍ରାମ। କର୍ଣ୍ଣାଟକ ବିଶ୍ବବିଦ୍ୟାଳୟ ପାଇଁ ପ୍ରତିନିଧିତ୍ବ କରିଛନ୍ତି ସର୍ବଭାରତୀୟ ସ୍ତରରେ। ୨୦୧୩ ମସିହା ଅଷ୍ଟ୍ରେଲିଆ ଗସ୍ତ କିନ୍ତୁ ତାଙ୍କ ଜୀବନର ରୂଚିପଥକୁ ବଦଳାଇ ଦେଇଥିଲା। ଗୋଲ୍ଡକୋଷ୍ଟ୍ଠାରେ ଟିଟିସିଏଲ୍ର ଭାରତ ମୁଖ୍ୟ ଥମ୍ପାୟା ଇଲାଙ୍ଗୋଙ୍କ ସହ ଚାଲୁଥିବାବେଳେ ତାଙ୍କଦ୍ବାରା ପ୍ରଭାବିତ ହୋଇଥିଲେ। ଅଷ୍ଟ୍ରେଲୀୟ କ୍ରୀଡ଼ା ସଂସ୍କୃତି ବି ତାଙ୍କୁ ବେଶ ଆକର୍ଷିତ କରିଥିଲା। ବୟସ ଏକ ସଂଖ୍ୟା ବୋଲି ଅନୁଭବ କରିଥିଲେ। ନିକଜୁ ଜଣେ ମାରାଥନ୍ର ଭାବେ ପ୍ରଥମେ ଉଭା କରାଇ ନେଇଥିଲେ ସଂଗ୍ରାମ। ୨୦୧୪ ମସିହା ଜାନୁଆରିରେ ଭୁବନେଶ୍ବରରେ ଅନୁଷ୍ଠିତ ପ୍ରଥମ ଟାଟା ଷ୍ଟିଲ୍ ମାରାଥନ୍ ସଂଗ୍ରାମକୁ ଅପୂର୍ବ ସୁଯୋଗ ମଧ୍ୟ ଆଣି ଦେଇଥିଲା। ଏଥି ପାଇଁ ୩ ମାସର ପ୍ରସ୍ତୁତି କରି ସଫଳତାର ସହ ଅଭିଯାନ ଶେଷ କରିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଇତିମଧ୍ୟରେ ୧୫ ଫୁଲ୍ ମାରାଥନ୍ ଏବଂ ପ୍ରାୟ ୫୦ ହାଫ୍ ମାରାଥନ୍ରେ ନିଜକୁ ସାମିଲ କରି ସାରିଛନ୍ତି ସଂଗ୍ରାମ। ୨୦୧୭ ମସିହାରେ କଡ଼ାଇ କାନାଲ୍ ଅଲଟ୍ରାମାରାଥନ୍ ସହିତ ହାଇଦ୍ରାବାଦରେ ନିୟମିତ ଭାବେ ଅଲଟ୍ରା ମାରାଥନ୍ରେ ସଫଳତା ପାଇଛନ୍ତି।
ଏହା ପରେ ସଂଗ୍ରାମଙ୍କ ରୂପାନ୍ତର ହୁଏ ଆଇରନ୍ମ୍ୟାନ୍ ଅଭିଯାନ। ଯେଉଁଥିରେ ସନ୍ତରଣ, ସାଇକ୍ଲିଂ ଏବଂ ମାରାଥନ୍ ରେସ୍କୁ ନିର୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପଡ଼ିଥାଏ। ଚଳିତ ବର୍ଷ ଫେବ୍ରୁଆରିରେ କଲମ୍ବୋରେ ଅନୁଷ୍ଠିତ ହାଫ୍ ଆଇରନ୍ମ୍ୟାନ୍ (ମୋଟ ୭୦.୩ ମାଇଲ୍)କୁ ୭ ଘଣ୍ଟା ୨୫ ମିନିଟରେ ଶେଷ କରି ନିଜ ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଠାରେ ୧.୯ କିଲୋମିଟର୍ ସାମୁଦ୍ରିକ ସନ୍ତରଣ, ୯୦ କିଲୋମିଟର୍ ସାଇକେଲ୍ ଚାଳନା ଏବଂ ୨୧.୧ କିଲୋମିଟର୍ ମାରାଥନ୍ ସାମିଲ ରହିଥିଲା। କଲମ୍ବୋ ଆଇରନ୍ମ୍ୟାନ୍ ପ୍ରତିଯୋଗିତା ବିଶ୍ବର ଅନ୍ୟତମ ଉତ୍କୃଷ୍ଟ ପ୍ରତିଯୋଗିତା ଭାବେ ପରିଗଣିତ କରାଯାଏ। ୫୫ ଦେଶରୁ ଏଥିରେ ୭୪୦ ଜଣ ଭାଗ ନେଇଥିଲେ। ବିଶ୍ବର ସବୁଠୁ କଷ୍ଟକର ଖେଳ ଭାବେ ଆଇରନ୍ମ୍ୟାନ୍ ରହିଛି ବୋଲି କୁହନ୍ତି ସଂଗ୍ରାମ। ବ୍ୟୟବହୁଳ ଏହି ଖେଳ ପାଇଁ ଅନେକ ପରିଶ୍ରମ ଏବଂ ଅଭ୍ୟାସ କରିବାକୁ ପଡ଼ିଥାଏ। ଭଲ ସାଇକେଲ୍ର ମୂଲ୍ୟ ବି ୩ରୁ ୪ ଲକ୍ଷ ଟଙ୍କା। ମୁଁ ଏବେ ମାଲେସିଆ ଆଇରମ୍ୟାନ୍କୁ ପରବର୍ତୀ ଲକ୍ଷ୍ୟ ଭାବେ ରଖିଛି। ଅକ୍ଟୋବରରେ ହେବାକୁ ଥିବା ଏହି ଫୁଲ୍ ଆଇରନ୍ମ୍ୟାନ୍ ଲାଗି ୧୪/୧୫ ଘଣ୍ଟା ଅଭ୍ୟାସ କରୁଛି। ବ୍ୟକ୍ତିଗତ ସଫଳତା ଛଡ଼ା ସମାଜରେ ଦେଖା ଦେଉଥିବା ସ୍ବାସ୍ଥ୍ୟ ସମସ୍ୟା ଏବଂ ଜୀବନ ଶୈଳୀ ଜନିତ ଜଟିଳତାକୁ ଦୂର କରିବାରେ ଏହା ସହାୟକ ହେବ ବୋଲି ସଂଗ୍ରାମ କହିଥିଲେ।
ରାଜଧାନୀରେ ଓଡ଼ିଶା ରନର୍ସ
ହାଇଦ୍ରାବାଦ ରନର୍ସ ହେଉଛି ଦେଶର ଏକ ପ୍ରମୁଖ ତଥା ଅଗ୍ରଣୀ ଦୌଡ଼ଭିତ୍ତିକ ଅନୁଷ୍ଠାନ। ହାଇଦ୍ରାବାଦ ଟ୍ରାଏଥଲନ୍ ନାମରେ ନିୟମିତ ପ୍ରତିଯୋଗିତା ଆୟୋଜନ କରି ବେଶ ପ୍ରତିଷ୍ଠା ଅର୍ଜନ କରିସାରିଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ପୁରୁଷ ଓ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସୁବିଧା ଓ ସୁଯୋଗ ଆଣିଛି ଏହି ଅନୁଷ୍ଠାନ। ମାରାଥନ ପ୍ରତିଯୋଗିତାକୁ ନିରଂତର ପ୍ରମୋଟ କରି ଆସୁଛି। ଭୁବନେଶ୍ବରରେ ଥିବା କ୍ରୀଡ଼ା ଭିତ୍ତିଭୂମିକୁ ନେଇ ସନ୍ତୁଷ୍ଟ ନ ଥିବା ସଂଗ୍ରାମ ତାଙ୍କ ହାଇଦ୍ରାବାଦ ସମ୍ପୃକ୍ତିକୁ ଉପଯୋଗ କରି ଭୁବନେଶ୍ବରରେ ମଧ୍ୟ ଅନୁରୂପ ପରିବେଶ ଆଣିବା ଲାଗି ଅନୁଷ୍ଠାନ ଗଢ଼ିଛନ୍ତି। କିଛି ସ୍ଥାନୀୟ ଲୋକଙ୍କ ସହିତ ହାଇଦ୍ରାବାଦ ଏବଂ ମୁମ୍ବାଇ ବ୍ୟକ୍ତିଙ୍କୁ ବି ସାମିଲ କରି ଗଢ଼ିଛନ୍ତି ଓଡ଼ିଶା ରନର୍ସ। ଗତବର୍ଷ ମଧ୍ୟ ଧଉଳିରୁ ପୁରୀ ‘ଓଡ଼ିଶା ଅଲଟ୍ରା ମାରାଥନ’ ଆୟୋଜନ କରି ପ୍ରଥମ ଛାପ ଛାଡ଼ିଛନ୍ତି। ଏହାକୁ ଆସନ୍ତା ବର୍ଷ ବଡ଼ ଧରଣର ଆୟୋଜନ କରିବାକୁ ଯୋଜନା ରହିଛି ବୋଲି ସଂଗ୍ରାମ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଭୁବନେଶ୍ବରରେ ଏଥି ଲାଗି ତାଲିମ ଏବଂ ଏକାଡେମି ଯୋଜନା ରହିଛି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Odishas-Iron-Man_Thumbnail.jpg)