ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି ପଜିଟିଭ୍‌: ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ୱାଙ୍ଖ୍‌ଡେକୁ ସ୍ଥାନାନ୍ତର

ମୁମ୍ବାଇ: ଦୁଇ ଦିନ ତଳେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ୫ ଜଣ ପଜିଟିଭ୍‌ ଆସିବାରୁ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ହୋଟେଲ ପ୍ରକୋଷ୍ଠ ମଧ୍ୟରେ ସଂଗରୋଧରେ ରଖାଯାଇଥିଲା। ବୁଧବାର ଆଉ ଜଣେ ଖେଳାଳି (ବିଦେଶୀ)ଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ହେଲେ ଦଳର ୱିକେଟ୍‌ରକ୍ଷକ ତଥା ନ୍ୟୁଜିଲାଣ୍ଡ୍‌ ତାରକା ଟିମ୍‌ ସିଫର୍ଟ। ପ୍ରଥମେ ରାପିଡ ଆଣ୍ଟିଜେନ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆଉ ଥରେ ତାଙ୍କ ପରୀକ୍ଷା କରାଯାଇଛି। ଏଥି ସହିତ ମୋଟ ପଜିଟିଭ୍‌ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା ବେଳେ ମିଚେଲ ମାର୍ସଙ୍କ ପରେ ସେ ଦ୍ବିତୀୟ ବିଦେଶୀ ଖେଳାଳି ଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ପରବର୍ତୀ ମ୍ୟାଚ୍‌କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ବୁଧବାର ଖେଳାଯାଇଥିବର ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ ପୁଣେରୁ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଆସନ୍ତା ୨୨ ତାରିଖରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷ ଦିଲ୍ଲୀର ପରବର୍ତୀ ମ୍ୟାଚ୍‌ ମଧ୍ୟ ପୁଣେରୁ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌କୁ ସ୍ଥାନାନ୍ତର ହୋଇଛି। ଏନେଇ ବୁଧବାର ବିସିସିଆଇ ସ୍ପଷ୍ଟ କରିଛି। ଖେଳାଳିଙ୍କ ସୁରକ୍ଷା ପାଇଁ ଭେନ୍ୟୁରେ ପରିବର୍ତନ କରାଯାଇଥିବା ବିସିସିଆଇ କହିଛି।

ସମ୍ବନ୍ଧିତ ଖବର