ନୂଆଦିଲ୍ଲୀ: ଆଇପିଏଲ୍‌ରୁ ପ୍ରଚୁର ଅର୍ଥ ରୋଜଗାର ପରେ ଭାରତର ଅନ୍ତର୍ଜାତୀୟ କ୍ରିକେଟର୍‌ଙ୍କ ଅହଂକାର ବଢ଼ିଯାଇଛି ବୋଲି ଗତ ସପ୍ତାହରେ ମନ୍ତବ୍ୟ ଦେବା ପରେ କିଂବଦନ୍ତି କପିଳ ଦେବଙ୍କୁ ଜବାବ ଦେବାକୁ ପଛାଇ ନଥିଲେ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜା। ଏବେ କପିଳ ଦେବଙ୍କ ଆଉ ଏକ ଟିପ୍ପଣୀ ବିବାଦର ସୂତ୍ରପାତ କରିବାକୁ ଯାଉଛି। ବିଶ୍ବକପ୍ ବର୍ଷରେ ବିରାଟ କୋହଲିଙ୍କୁ ଦିନିକିଆ ଶୃଙ୍ଖଳାରୁ ବାହାରେ ରଖାଯିବାକୁ ଆଦୌ ଗ୍ରହଣ କରିପାରିନାହାନ୍ତି ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବ। ଭାରତ ନିଜର ପରବର୍ତୀ ଦିନିକିଆ ମ୍ୟାଚ୍‌ ସେପ୍ଟେମ୍ବର ୨ ତାରିଖରେ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ। ସେହି ମ୍ୟାଚ୍‌ରେ ବିରାଟ କୋହଲି ଖେଳିଲେ ୧୬୩ ଦିନ ପରେ ଦିନିକିଆରେ ବ୍ୟାଟିଂ କରିବେ। ଅର୍ଥାତ୍ ପ୍ରାୟ ସାଢ଼େ ୫ ମାସ ପରେ ବିରାଟ କୋହଲି ସିଧାସଳଖ ପ୍ରମୁଖ ପ୍ରତ‌ିଯୋଗିତା ଖେଳିବେ ବିନା ଅଭ୍ୟାସ ମ୍ୟାଚ୍‌ରେ। ଅଗଷ୍ଟ ମାସରେ କୋହଲିଙ୍କ ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ନଥିଲେ ମଧ୍ୟ ତାଙ୍କୁ ଭାରତୀୟ ଟ୍ବେଣ୍ଟି-୨୦ ଦଳଠାରୁ ମଧ୍ୟ ଦୂରେଇ ରଖାଯାଇଛି। ରୋହିତ ଶର୍ମା ମଧ୍ୟ ଏହି ଫର୍ମାଟରେ ନାହାନ୍ତି।

Advertisment

ଚଳିତ ଅଗଷ୍ଟ ମାସରେ ଭାରତ ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ୍ ବିପକ୍ଷରେ ମୋଟ ୮ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଥିଲେ ମଧ୍ୟ ବିରାଟ କୋହଲିଙ୍କୁ ଦୂରେଇ ରଖାଯିବା କପିଳ ଦେବଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ। ଶେଷ ଥର ପାଇଁ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ୫୪ ରନ୍ କରିବା ପରେ ବ୍ୟାଟିଂର ସୁଯୋଗ ପାଇନାହାନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲେ ମଧ୍ୟ କୋହଲି ଦଳରେ ଥାଇ ଖେଳିନଥିଲେ। ପ୍ରଥମ ମ୍ୟାଚ୍‌ରେ ନିଜ କ୍ରମରେ ବ୍ୟାଟିଂ ନ କରିବା ପରେ ପରବର୍ତୀ ଦୁଇଟିରେ ବାହାରେ ବସିଥିଲେ। ସମସ୍ତ ୩ ମ୍ୟାଚ୍‌ରେ ସେ ଖେଳିବା ଆବଶ୍ୟକ ଥିଲା ବୋଲି କପିଳ ଦେବ କହିଛନ୍ତି। ବିଶ୍ବକପ୍‌ ପାଇଁ ବିରାଟ କୋହଲି ଭାରତର ଅଗ୍ରଣୀ ବ୍ୟାଟର୍ ଥିବାବେଳେ ଦଳୀୟ ପରିଚାଳକଙ୍କ ଆଭିମୁଖ୍ୟ ମୋ ପାଇଁ ଅବୁଝା ବୋଲି କପିଳ କହିଛନ୍ତି। ୧୬୩ ଦିନ ଧରି ଯଦି ଜଣେ ଗୋଟିଏ ବି ଦିନିକିଆ ମ୍ୟାଚ୍‌ ଖେଳିବ ନାହିଁ ତେବେ କିଭଳି ଭାବେ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ହେବ?

ଟେଷ୍ଟ୍ କ୍ରିକେଟ୍‌ରେ ଭଲ ଖେଳୁଥିଲେ ମଧ୍ୟ ବିରାଟ କୋହଲିଙ୍କୁ ଦିନିକିଆରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ଅଧିକ ମ୍ୟାଚ୍‌ର ଆବଶ୍ୟକତା ଥିଲା। କାରଣ ଟେଷ୍ଟ୍ କ୍ରିକେଟ୍‌ ଏବଂ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟରେ ବଡ଼ ବ୍ୟବଧାନ ରହିଛି। ତାଙ୍କୁ ଦଳରେ ନ ଖେଳାଇବାର ଅର୍ଥ ବିସିସିଆଇ ପରିଚାଳକ ସ୍ପଷ୍ଟ କରୁଛନ୍ତି ଏହି ଚାମ୍ପିଅନ୍ ଖେଳାଳିଙ୍କ ପାଇଁ ଅଭ୍ୟାସର ଆବଶ୍ୟକତା ନାହିଁ। ୪୬ ଦିନିକିଆ ଶତକ ହାସଲ କରିଥିବାରୁ ବିରାଟ କୋହଲି ମଧ୍ୟ ବିଶ୍ବକପ୍‌ ପୂର୍ବର ସମସ୍ତ ଦିନିକିଆ ଖେଳିଥିଲେ ଏହାକୁ ୫୦ ଅତିକ୍ରମ କରିପାରିଥାନ୍ତେ। ସମ୍ପୂର୍ଣ୍ଣ ସୀମିତ ଓଭର ବ୍ୟବସ୍ଥାରୁ କୋହଲିଙ୍କୁ ଦୂରେଇ ରଖାଯିବା ମୁଁ ବୁଝିପାରୁନାହିଁ। ଏହି ବ୍ୟାଟ୍ସମ୍ୟାନ୍‌ ନିୟମିତ ‌ସୁଯୋଗ ପାଇଥିଲେ ୧୦୦ ଅନ୍ତର୍ଜାତୀୟ ଶତକ ପୂର୍ଣ୍ଣ କରିପାରିଥାନ୍ତେ। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନ ୧୨ ବର୍ଷ ଭିତରେ କୋହଲି ମାତ୍ର ୬ ମ୍ୟାଚ୍‌ରେ ବିଶ୍ରାମ ପାଇଥିଲେ। କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ବର ଦେଢ଼ ବର୍ଷ ଭିତରେ ସେ ଚୂଡ଼ାନ୍ତ ଏକାଦଶରେ ୨୫ ଥର ସ୍ଥାନ ପାଇନାହାନ୍ତି। ଭାରତକୁ ୧୨ ବର୍ଷ ପରେ ବିଶ୍ବକପ୍‌ ବିଜୟୀ ହେବାକୁ ହେଲେ ଏହି ଅସଂଗତିକୁ ଦୂର କରିବାକୁ ପଡ଼ିବ ବୋଲି କପିଳ ଦେବ କହିଛନ୍ତି।

କପିଳ ଦେବଙ୍କ ଏଭଳି ମନ୍ତବ୍ୟକୁ ସାମାଜିକ ଗଣମାଧ୍ୟମରେ ଢେର ସମର୍ଥନ ମିଳିଛି। ବିସିସିଆଇ କ’ଣ ଚାହୁଁଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ମୁକେଶ କୁମାର ନାମ୍ନି ଜଣେ ପ୍ରଶଂସକ କିନ୍ତୁ ଲେଖିଛନ୍ତି ‘ଆଗରୁ ଏତେ ମ୍ୟାଚ୍‌ ଖେଳାଯାଉନଥିଲା, ଏମିତି ବି କୋହଲି ଯୁବ ଖେଳାଳି ଥିବାରୁ ସବୁ ମ୍ୟାଚ୍‌ ଖେଳିଥିଲେ। ଅଧିକ ମ୍ୟାଚ୍‌ କାରଣରୁ କୋଉ ଅଧିନାୟକ କି ପ୍ରଶିକ୍ଷକ ଚାହିବେ ନାହିଁ ବିଶ୍ବକପ୍‌ ବେଳକୁ କୋହଲିଙ୍କ ଭଳି ଖେଳାଳି ଆହତ ସମସ୍ୟାରେ ପଡ଼ି ବୁମରା, ଶ୍ରେୟସ, କେଏଲ୍ ରାହୁଲଙ୍କ ଭଳି ବାହାରେ ବସନ୍ତୁ। ଦଳୀୟ ସ୍ବାର୍ଥ ପାଇଁ ‌ନିଆଯାଉଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏମିତି ବି ବାହାରେ ବହୁ ଯୋଗ୍ୟ ଖେଳାଳି ଅଛନ୍ତି, ଯେଉଁମାନେ ସୁଯୋଗ ପାଇବା ଉଚିତ’’।