ଦେବାଶିଷଙ୍କୁ ଆଉ ଏକ ବିରଳ ମୁକୁଟ

ଭୁବନେଶ୍ବର: ରାଜ୍ୟର ପ୍ରତିଭାସମ୍ପନ୍ନ ଟେନିସ୍ ତାରକା ଦେବାଶିଷ ସାହୁ ନିଜ ଖେଳ ଜୀବନରେ ଆଉ ଏକ ବିରଳ ମୁକୁଟ ସଂଯୋଗ କରିଛନ୍ତି। ଜାନୁଆରିରେ ନିଜ ପ୍ରଥମ ଅନ୍ତର୍ଜାତୀୟ ସଫଳତା ପାଇଥିବା ଦେବାଶିଷ ଶନିବାର ନେପାଳର କାଠମଣ୍ଡୁରେ ଅନୁଷ୍ଠିତ ଜୁନିୟର୍‌ ‌ଆଇଟିଏଫ୍‌ ଜେ-୬୦ ପ୍ରତିଯୋଗିତାରେ ଏକକ ବର୍ଗରେ ବିଜେତା ହୋଇଛନ୍ତି। ଏହି ଗୌରବ ଆଣିବାରେ ଦେବାଶିଷ ପ୍ରଥମ ଓଡ଼ିଆ ହୋଇଛନ୍ତି। ଏକକରେ ବିଜେତା ହେବା ସହ ସେ ଯୁଗଳ ବର୍ଗରେ ଉପବିଜେତା ହୋଇଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଦେବାଶିଷ ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଭିଏତନାମ୍‌ ଖେଳାଳି ଫମ ଲା ହୋଆଙ୍ଗ ଆନଙ୍କୁ ୪-୬, ୬-୧, ୬-୩ରେ ପରାସ୍ତ କରିଥିଲେ। ଗୁଜରାଟର ସ୍ମିତ୍ ପଟେଲଙ୍କୁ ସାଥୀ କରି ଯୁଗଳ ଫାଇନାଲ୍‌ରେ ହାରିଯାଇଥିଲେ। ପୂର୍ବରୁ ଫାରହାନ୍ ଏକାଡେମିରେ ପ୍ରଶିକ୍ଷିତ ଦେବାଶିଷ ଏବେ ଅହମଦାବାଦରେ ଆଲଟେଭୋଲ୍‌ ଆଲେକଜାଣ୍ଡର୍‌ ୱସକେ ଟେନିସ୍ ଏକାଡେମିରେ ଶ୍ରୀ ଶ୍ରୀମଲ ଭଟ୍ଟଙ୍କଠାରୁ ଉଚ୍ଚତର ପ୍ରଶିକ୍ଷଣ ନେଇ ଜୁନିୟର୍ ଗ୍ରାଣ୍ଡ୍ ସ୍ଲାମ୍ ପଦାର୍ପଣ ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର