ଚହଲଙ୍କ ଆଉ ଏକ ଚାଞ୍ଚଲ୍ୟକର ବୟାନ: ‘ସାଇମଣ୍ଡ୍ସ ଓ ଫ୍ରାଙ୍କଲିନ୍ ଗୋଡ଼ ହାତ ବାନ୍ଧି ହୋଟେଲ କୋଠରୀରେ ବନ୍ଦ କରି ଦେଇଥିଲେ’

ମୁମ୍ବାଇ: ଭାରତ ତଥା ଏବେକାର ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସରେ ଥିଲା‌ ବେଳେ ଜଣେ ସାଥୀ ଖେଳାଳି ତାଙ୍କୁ ବେଙ୍ଗାଲୁରୁର ଏକ ହେଟେଲ ବାଲକୋନିରୁ ଝୁଲାଇ ତାଙ୍କ ଜୀବନ ସହ ଖେଳ ଖେଳିଥିଲେ ବୋଲି ବୟାନ ଦେଇ ଝଡ଼ ସୃଷ୍ଟି କରିଥିଲେ। ୨୦୧୩ ମସିହାରେ ଘଟିଥିବା ଏହି ଘଟଣାରେ ସଂପୃକ୍ତ ଖେଳାଳିଙ୍କ ନାଁ କିନ୍ତୁ ପ୍ରକାଶ କରି ନଥିଲେ ସେ। ଏବେ ଆଉ ଏକ ଚାଞ୍ଚଲ୍ୟକର ତଥା ଲୋମଟାଙ୍କୁରା ଘଟଣା ଉପରୁ ପରଦା‌ ଉଠାଇଛନ୍ତି ଚହଲ। ଏଥର କିନ୍ତୁ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଥିବା ଉଦ୍ଧତ ତଥା ମାନବିକତା ବିହୀନ ଦୁଇ ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି ଚହଲ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବିବାଦୀୟ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ଏବଂ ଅନ୍ୟଜଣେ ହେଉଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ବୋଲର ଜେମ୍ସ ଫ୍ରାଙ୍କଲିନ୍। ଏହି ଦୁଇ ଜଣ ୨୦୧୧ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲେ। ସେତେବେଳେ ଚହଲ ମଧ ଏହି ଦଳରୁ ଖେଳୁଥିଲେ। ତେବେ ସେହି ବର୍ଷର ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ ବିଜୟ ଉତ୍ସବରେ ମସଗୁଲ ହୋଇ ଉଭୟ ଚହଲଙ୍କ ଗୋଡ଼ ହାତ ବାନ୍ଧି ମୁହଁରେ ଟେପ୍ ଲଗାଇ ତାଙ୍କୁ ଏକ କୋଠରୀ ଭିତରେ ପୂରାଇ ଦେଇଥିଲେ। ରାତି ସାରା ଚହଲ ସେହି ଅବସ୍ଥାରେ ଥିଲେ। ପରଦିନ ସକାଳୁ ଜଣେ ହୋଟେଲ କର୍ମଚାରୀ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ଉଦ୍ଧାର କରିଥିଲେ।

ଏହି ଅଭାବନୀୟ ଘଟଣା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଚହଲ କହିଛନ୍ତି ଯେ ଏହି ଘଟଣା ୨୦୧୧ରେ ଘଟିଥିଲା। ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ସ ଲିଗ୍ ଜିତିଥିଲା। ଆମେ ଚେନ୍ନାଇରେ ଥିଲୁ। ସାଇମଣ୍ଡ୍ସ ପ୍ରଚୁର ଫଳରସ ପିଇଥିଲେ। ସେ କ’ଣ ଭାବିଲେ କେଜାଣି ହଠାତ୍ ଜେମ୍ସ ଫ୍ରାଙ୍କଲିନଙ୍କ ସହ ମିଶି ମୋତେ ବାନ୍ଧି ପକାଇଲେ। ସେମାନେ ଏମିତି ଆକ୍ରାମକ ଥିଲେ ଯେ ମୋ ମୁହଁରେ ଟେପ୍ ଲଗାଇ ଏକ କୋଠରୀରେ ବନ୍ଦ କରି ଦେଇଥିଲେ। ଏହା ପରେ ମୋତେ ସଂପୂର୍ଣ୍ଣ ଭୁଲି ଯାଇଥିଲେ। ଉତ୍ସବ ପରେ ସମସ୍ତେ ସେଠାରୁ ଚାଲିଯାଇଥିଲେ। ସକାଳେ କେହି ଜଣେ ମୋତେ ସେହି ଅବସ୍ଥାରେ ଉଦ୍ଧାର କରିଥିଲେ। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା ଏଥିଲାଗି ଉଭୟ ମୋତେ କେବେବି କ୍ଷମା ମାଗି ନଥିଲେ। ଚହଲଙ୍କ ବୟାନ ପରେ କ୍ରିକେଟ୍ ଜଗତରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି ହୋଇଛି। ସଂପ୍ରତି ଡରହାମର ବୋଲିଂ ପ୍ରଶିକ୍ଷକ ଥିବା ଫ୍ରାଙ୍କଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଏହି ଇଂଲିସ୍ କାଉଣ୍ଟି କ୍ଲବ୍ ସୂଚନା ଦେଇଛି। ସାଇମଣ୍ଡ୍ସ କିନ୍ତୁ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ତେବେ ଏହି ଘଟଣା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିକାରୀମାନେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି, ତାହା କ୍ରିକେଟ୍‌ପ୍ରେମୀଙ୍କୁ ସବୁଠାରୁ ଅଧିକ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର