ସମ୍ବଲପୁର: ସମ୍ବଲପୁରର ଝିଅ ତିସ୍ୟା ପାଣିଗ୍ରାହୀ ଓଡ଼ିଶାର ସର୍ବକନିଷ୍ଠ ‘ଜୁନିୟର ଆଡ଼ଭାନସଡ୍ ଓପନ ୱାଟର ସ୍କୁବା ଡାଇଭର’ ହେବାର ଗୌରବ ଅର୍ଜନ କରିଛନ୍ତି। ଦୁବାଇରେ ରହୁଥିବା ତିସ୍ୟା ଓମାନ ଉପସାଗରରେ ୪୦ ଫୁଟ ସ୍କୁବା ଡାଇଭିଂ କରି ଏହି ରେକର୍ଡ କରିଛନ୍ତି। ଏହା ପୂର୍ବରୁ ସେ ମାତ୍ର ୯ ବର୍ଷ ବୟସେର ୪୫ ଫୁଟ୍ ଡାଇଭିଂ କରି ଓଡ଼ିଶାର ସର୍ବକନିଷ୍ଠ ସମୁଦ୍ର ବୁଡ଼ାଳି ହେବାର ରେକର୍ଡ ନିଜ ନାମରେ କରିଥିଲେ। ଆଡ୍ଭାନ୍ସଡ ଓପନ୍ ୱାଟର୍ ଡାଇଭିଂ ପାଇଁ ସର୍ବନିମ୍ନ ବୟସ ସୀମା ୧୨ ବର୍ଷ ଧାର୍ଯ୍ୟ ହୋଇଥିବା ବେଳେ ତିସ୍ୟା ୧୨ ବର୍ଷ ପୂରିବା ମାତ୍ରେ ଗତ ୮ ତାରିଖ ନିଜ ଜନ୍ମଦିନରେ ହିଁ ସଫଳତାର ସହ ଏହି ୭୦ ଫୁଟ୍ର ଡାଇଭିଂ କରିଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପୂର୍ବ ଉପକୂଳରେ ଥିବା ମାର୍ଟିନି ରକ୍ ଡାଇଭ୍ ସାଇଟ୍ର ସମୁଦ୍ରରେ ୭୦ ଫୁଟ ଗଭୀରତାକୁ ଯାଇ ସେ ନିଜ ଜନ୍ମଦିନ ପାଳନ କରିଥିଲେ। ଏହି ସମୁଦ୍ର ବୁଡ଼ିବା ସମୟରେ ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ ମଧ୍ୟ ସାଥୀରେ ବୁଡ଼ିଥିଲେ।
ପ୍ରିୟଦର୍ଶୀ ନିଜେ ମଧ୍ୟ ୨୦୧୨ରୁ ଜଣେ ସ୍ୱୀକୃତିପ୍ରାପ୍ତ ସ୍କୁବା ଡାଇଭର ଭାବେ ସମୁଦ୍ରରେ ବୁଡ଼ୁଛନ୍ତି। ତିସ୍ୟା ଏହି ପାଠ୍ୟକ୍ରମର ଧାର୍ଯ୍ୟ ୫ଟି ଡାଇଭ୍ ସଫଳତାର ସହିତ ଶେଷ କରିବା ପରେ ଜୁନ୍ ୯ ତାରିଖ ଦିନ ପିଏଡିଆଇ (ପ୍ରଫେସନାଲ୍ ଆସୋସିଏସନ୍ ଅଫ୍ ଡାଇଭିଂ ଇନଷ୍ଟ୍ରକଟର୍ସ) ପକ୍ଷରୁ ତାଙ୍କୁ ଜୁନିୟର ଆଡଭାନ୍ସଡ୍ ଓପନ୍ ୱାଟର ସ୍କୁବା ଡାଇଭର୍ ଲାଇସନ୍ସ ପ୍ରଦାନ କରାଯାଇଛି। ତିସ୍ୟା ଦୁବାଇର ଅଲ ବୁମ୍ ଡାଇଭିଂ କେନ୍ଦ୍ରରେ ମରକ୍କୋ ପ୍ରଶିକ୍ଷକ ଯୋସେଫ ଗ୍ରୋଚିଙ୍କଠାରୁ ସମୁଦ୍ର ବୁଡ଼ାର ତାଲିମ ନେଉଛନ୍ତି। ତିସ୍ୟାଙ୍କୁ ତାଙ୍କର ଏହି ସଫଳତା ପାଇଁ ଓଡ଼ିଶାର ପ୍ରତିଷ୍ଠିତ ସ୍କୁବା ଡାଇଭର୍ ସବିର ବକ୍ସ ଅଭିନନ୍ଦନ ଜଣାଇଛନ୍ତି। ଅତୀତରେ ନିଜ ପିତା ପ୍ରିୟଦର୍ଶୀଙ୍କ ସହ ସମୁଦ୍ର ଗର୍ଭରୁ ନୂଆଁଖାଇ ଶୁଭେଚ୍ଛା ବାର୍ତ୍ତା ଦେଇ ଚର୍ଚ୍ଚିତ ହୋଇଥିବା ତିସ୍ୟା ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ପୂର୍ବତନ ଅଧ୍ୟାପିକା ସ୍ବର୍ଗତା ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣୀ। ତିସ୍ୟାଙ୍କ ଏହି ସଫଳତାରେ ତାଙ୍କ ମାଆ ସୌମିତ୍ରୀ ନନ୍ଦ, ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଏବଂ ପରିବାରବର୍ଗ ଆନନ୍ଦ ବ୍ୟକ୍ତ କରିବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/5d4g654d654gdgdgda.jpg)