ମୋଟେରା: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ ପିଚ୍‌କୁ ନେଇ ସୃଷ୍ଟି ହୋଇଥିବା ବାଦ ବିବାଦ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ପାଇଁ କ୍ୟୁରେଟର କିଭଳି ପିଚ୍ ପ୍ରସ୍ତୁତ କରିବେ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ସମଗ୍ର ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଏହି କଥା ଏବେ କୋଟିଏ ଟଙ୍କାର ପ୍ରଶ୍ନ ପା‌ଲଟିଛି। ଆୟୋଜକ ଗୁଜରାଟ କ୍ରିକେଟ୍ ସଂଘ କିମ୍ବା ନବୀକରଣ ପରେ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ହେବାର ଗୌରବ ହାସଲ କରିଥିବା ମୋଟେରାର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍‌ କ୍ୟୁରେଟର ଏଥିନେଇ କୌଣସି ସୂଚନା ଦେଇ ନାହାନ୍ତି। ଏଥିପାଇଁ ଖେଳାଳିଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ପର୍ଯ୍ୟନ୍ତ, ଏପରିକି ସାଧାରଣ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରବଳ ଉତ୍ସୁକତା ସୃଷ୍ଟି ହୋଇଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନଙ୍କ ସହ କିଛି ପୂର୍ବତନ କ୍ରିକେଟର୍‌ ଦିବା-ରାତ୍ର ଭିତ୍ତିରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ୍‌ର ପିଚ୍‌କୁ ତୀବ୍ର ସମାଲୋଚନା କରିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ର କିଂବଦନ୍ତି କ୍ରିକେଟର୍‌ ଭିଭିଆନ୍ ରିଚାର୍ଡସ ଓ ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ ପ୍ରମୁଖ ସମର୍ଥନ କରିଛନ୍ତି।

Advertisment

ଏସବୁ ଭିତରେ କିନ୍ତୁ ଚତୁର୍ଥ ଟେଷ୍ଟ୍‌ରେ ମଧ୍ୟ ଏକ ସ୍ପିନରଙ୍କୁ ସୁହାଇଲା ଭଳି ପିଚ୍ ଦେଖିବାକୁ ମିଳିବାର ସମ୍ଭାବନା ବଢ଼ି ଯାଇଛି। ଏକଥା‌ ଗୁଜରାଟ କ୍ରିକେଟ୍ ସଂଘ ସୂତ୍ରରୁ ହିଁ ଜଣାପଡ଼ିଛି। ସେପଟେ ଭାରତୀୟ କ୍ରିକେଟ୍ ଦଳ ରବିବାରଠାରୁ ପୁନର୍ବାର ଅଭ୍ୟାସ ଆରମ୍ଭ କରିଛି। ଚତୁର୍ଥ ମୁକାବିଲା ଏକ ‘ଦିନ’ ଟେଷ୍ଟ୍ ହୋଇଥିବାରୁ ତୃତୀୟ ଟେଷ୍ଟ୍‌ର ଗୋଲାପି ବଲ୍‌ ଆହ୍ବାନକୁ ଭୁଲି ପୁଣି ଥରେ ଲାଲ୍‌ ବଲ୍‌ରେ କିଭଳି ଇଂଲଣ୍ଡକୁ ଘାଇଲା କରିବ, ସେ ରଣନୀତି ପ୍ରସ୍ତୁତି ଓ ଏହାର ସଫଳ ରୂପାୟନ ଲାଗି ଯୋଜନା ପ୍ରସ୍ତୁତି କରିବାରେ ଲାଗିପଡ଼ିଛି।

ବୁମ୍‌ରା, ସୁନ୍ଦରଙ୍କ ସ୍ଥାନ ନେଇ ପାରନ୍ତି ଉମେଶ, କୁଲ୍‌ଦୀପ
ବ୍ୟକ୍ତିଗତ କାରଣ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ରୁ ଓହରିଯିବା ପରେ ଉମେଶ ଯାଦବ ତାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ସ୍ପିନିଂ ଟ୍ରାକ୍ ମିଳିବାର ସର୍ବାଧିକ ସମ୍ଭାବନା ଥିବାରୁ ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦରଙ୍କ ସ୍ଥାନ ବାମହାତୀ ଚାଇନାମ୍ୟାନ୍ ବୋଲର କୁଲ୍‌ଦୀପ ନେଇପାରନ୍ତି। ସେପଟେ ଇଂଲଣ୍ଡ ତା’ର ଅଦଳବଦଳ ନୀତି ଜାରି ରଖି ନିଜ ଚୂଡ଼ାନ୍ତ ଏକାଦଶରେ କିଛିଟା ପରିବର୍ତ୍ତନ କରିବାର ଆଭାସ ଦେଇଛି। ଚାରିଟିକିଆ ଶୃଙ୍ଖଳାରେ ସଂପ୍ରତି ଭାରତ ୨-୧ରେ ଆଗୁଆ ରହିଛି। ଶେଷ ଟେଷ୍ଟ୍ ଜିତିଲେ କିମ୍ବା ଅମୀମାଂସିତ ରଖିଲେ କୋହଲି ବାହିନୀ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେବ। ସେପଟେ ଇଂଲଣ୍ଡ ଯଦି ଚତୁର୍ଥ ଟେଷ୍ଟ୍‌ରେ ବିଜୟୀ ହୁଏ, ତାହାଲେ ଶୃଙ୍ଖଳାକୁ ୨-୨ରେ ବରାବର ରଖି ପାରିବ। ଏଭଳି ସ୍ଥିତିରେ ଭାରତ ପରିବର୍ତ୍ତେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍ ଖେଳିବା ଆଶା ବଢ଼ିଯିବ। ଇଂଲଣ୍ଡ ପୂର୍ବରୁ ଏହି ଦୌଡ଼ରୁ ବାଦ ପଡ଼ି ସାରିଥିଲା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛି।

ଟ୍ରେସ୍କୋଥିକ୍ ଇଂଲଣ୍ଡ ବ୍ୟାଟିଂ ପ୍ରଶିକ୍ଷକ
ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍କସ ଟ୍ରେସ୍କୋଥିକ୍‌ଙ୍କୁ ଇଂଲଣ୍ଡ ସୋମବାର ତା’ର ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ କରିଛି। ଟ୍ରେସ୍କୋଥିକ୍‌ ଇଂଲଣ୍ଡ ପାଇଁ ୭୬ ଟେଷ୍ଟ୍ ଖେଳିଥିଲା ବେଳେ ୨୦୦୫ ମସିହାରେ ଦଳର ଆସେସ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଇଂଲଣ୍ଡ ଜାତୀୟ ଦଳର ବ୍ୟା‌ଟିଂ ପ୍ରଶିକ୍ଷକ ପଦ ପାଇବା ପରେ ସମରସେଟ୍ କାଉଣ୍ଟି ଦଳର ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ସେ। ପୂର୍ବରୁ ନ୍ୟୁଜିଲାଣ୍ଡର ପୂର୍ବତନ ଅଫ୍‌ସ୍ପିନର ଜିତେନ ପଟେଲ ଇଂଲଣ୍ଡର ସ୍ପିନ୍ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ଯୁବ ଦଳର ଦ୍ରୁତ ବୋଲିଂ ପ୍ରଶିକ୍ଷକ ଜନ୍ ଲୁଇସ୍ ଜାତୀୟ ଦଳର ଦ୍ରୁତ ବୋଲିଂ ପ୍ରଶିକ୍ଷକ ପଦକୁ ପଦୋନ୍ନତି ପାଇଛନ୍ତି।

ପିଚ୍‌ ‘ବିଳାପ’କୁ ରିଚାର୍ଡସଙ୍କ ସମାଲୋଚନା

ନୂଆଦିଲ୍ଲୀ: ଅହମଦାବାଦର ମୋଟେରାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍‌ ଦୁଇ ଦିନ ଭିତରେ ଶେଷ ହେବା ପରେ ଇଂଲଣ୍ଡ ଖେଳାଳିମାନେ କରୁଥିବା ବିଳାପକୁ ପୂର୍ବତନ ୱେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଭିଭିଆନ୍ ରିଚାର୍ଡସ ସମାଲୋଚନା କରିଛନ୍ତି। ଭାରତରେ ଥିବା ସ୍ପିନ୍‌ ପ୍ରଧାନ୍ୟ ପିଚ୍‌ ପାଇଁ ନିଜକୁ ଠିକ୍ ଭାବେ ପ୍ରସ୍ତୁତ ନ କରି ଆସିବା ଭ୍ରମଣକାରୀ ଦଳର ଭୁଲ୍‌ ଥିଲା। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଓ ତୃତୀୟ ଟେଷ୍ଟକୁ ନେଇ ମୋତେ ଏବେ ବିଭିନ୍ନ ପ୍ରଶ୍ନ କରାଯାଉଛି। ଏଭଳି ୱିକେଟ୍‌ରେ ଖେଳ ହେବାକୁ ନେଇ ମୁଁ ଦ୍ବନ୍ଦ୍ବରେ ରହୁଛି। କିନ୍ତୁ ଯେଉଁମାନେ ଏହାକୁ ନେଇ ଏତେ ବିଳାପ କରୁଛନ୍ତି ସେମାନେ ଆମ ସମୟର ସିମିଂ ଟ୍ରାକ୍‌ରେ ବ୍ୟାଟର୍‌ଙ୍କ ସମସ୍ୟା କଥାକୁ ଭୁଲି ଯାଉଛନ୍ତି। ଭାରତ ନିକଟରେ କ୍ବାଲିଟି ସ୍ପିନର୍‌ ଅଛନ୍ତି ଏବଂ ଇଂଲଣ୍ଡ ଠିକ୍ ଭାବେ ହୋମୱାର୍କ କରି ଆସିନାହିଁ ବୋଲି ୬୮ ବର୍ଷୀୟ ଏହି କିଂବଦନ୍ତି ଅଲରାଉଣ୍ଡର୍ ପ୍ରକାଶ କରିଛନ୍ତି। ସ୍ପିନ୍‌ ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ର ଏକ ପ୍ରମୁଖ ଅଂଶ। ଭାରତୟ ପେସ୍‌ ବୋଲରମାନେ ମଧ୍ୟ ନିକଟ ଅତୀତରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଭାରତ ଆସୁଛ ବୋଲି ଭଲ ରନ୍‌ କରିବ ଏଭଳି କୌଣସି ନିୟମ ନାହିଁ ବୋଲି ରିଚାର୍ଡସ ଇଂଲଣ୍ଡ ଖେଳାଳିଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ମୋଟେରା ଟେଷ୍ଟ୍‌ ଦୁଇ ଦିନ ଭିତରେ ଶେଷ ହେବା ପରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ୍ ଭନ୍‌ଙ୍କ ସହ ବହୁ ପୂର୍ବତନ ଇଂଲଣ୍ଡ ଖେଳାଳି ଏବଂ ବ୍ରିଟିଶ ଗଣମାଧ୍ୟମ ପିଚ୍‌କୁ ତୀବ୍ର ସମାଲୋଚନା କରିଥିଲେ।

କାରଣ ୱିକେଟ୍‌କୁ ନେଇ ସେମାନେ ଅଯଥା ବିଳାପ ଓ ଚିତ୍କାର କରୁଛନ୍ତି ବୋଲି ମୁଁ ଭାବୁଛି। ସେମାନେ ହୃଦୟଙ୍ଗମ କରିବା କଥା ଯେ କେବେ ନା କେବେ ଆପଣ ସ୍ପିନିଂ ଟ୍ରାକ୍ ପାଇବେ। ‌ଟେଷ୍ଟ୍ ମ୍ୟାଚ୍ ଏଥିପାଇଁ ହିଁ ଖେଳା ଯାଇଥାଏ। କ୍ରିକେଟ୍‌ର ଏହି ଫର୍ମାଟ୍‌ରେ ବ୍ୟାଟ୍ସମ୍ୟାନ୍‌ଙ୍କ କଳା କୌଶଳ ଏବଂ ମାନସିକ ଦକ୍ଷତାର ପରୀକ୍ଷା ହୋଇଥାଏ। ସେହିଭଳି ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ ମଧ୍ୟ ମୋଟେରା ପିଚ୍‌ର ସମାଲୋଚକଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଆମେ ସାରା ବିଶ୍ବର ସିମିଂ ଟ୍ରାକ୍‌ରେ ଖେଳି କେବେ କେବେ ୬୦-୭୦ରୁ ଅଲଆଉଟ୍ ହୋଇ ଯାଉଛୁ। ସେତେବେଳେ କେହି କିଛି କହୁ ନାହାନ୍ତି। ମାତ୍ର ଯେତେବେଳେ ଟିକିଏ ସ୍ପିନିଂ ଟ୍ରାକ୍ ମିଳୁଛି, ତାକୁ ନେଇ ଅଦରକାରି ବିବାଦ ସୃଷ୍ଟି କରାଯାଉଛି। ପ୍ରକୃତରେ ମୋଟେରା ପିଚ୍‌ର କ୍ୟୁରେଟରଙ୍କୁ ମୁଁ ସିଡ୍‌ନି କ୍ରିକେଟ୍ ପଡ଼ିଆକୁ ଆଣିବାକୁ ଚାହୁଛି।