ଦୁବାଇ: କ୍ରିକେଟ୍ ପଡ଼ିଆରେ ବାରମ୍ବାର ଧୂଳି ଚାଟିବା ପରେ ଆତଙ୍କ ଓ ଆତଙ୍କବାଦୀଙ୍କ ଆଡ଼ା ପାଲଟିଥିବା ପାକିସ୍ତାନର ଆଉ ଏକ କଳା କାରନାମା ପଦାକୁ ଆସିଛି। ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ପରେ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଟ୍ରଫି ଓ ମେଡାଲ ଦେବା ପରିବର୍ତ୍ତେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମୋହସିନ୍ ନକ୍ଭୀ ଅପ୍ରତ୍ୟାଶିତ ଭାବେ ଏସବୁ ନେଇ ପଡ଼ିଆ ଭିତରୁ ଫେରାର୍ ହୋଇଯିବା ଘଟଣା କ୍ରିକେଟ୍ ଜଗତରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ଲଜ୍ଜାଜନକ ଆଚରଣ ପାଇଁ ନକ୍ଭୀ ଭୀଷଣ ଟ୍ରୋଲ୍ର ବି ସମ୍ମୁଖୀନ ହେଉଛନ୍ତି।
ରବିବାର ରାତିରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍ ଜିତିବା ପରେ ପିସିବି ସହ ଏସିସି (ଏସୀୟ କ୍ରିକେଟ୍ ପରିଷଦ) ମୁଖ୍ୟ ଥିବା ନକ୍ଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲା। ବରଂ ମଞ୍ଚ ଓପରେ ଉପସ୍ଥିତ ଥିବା ଅନ୍ୟ ସମ୍ମାନିତ ଅତିଥିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଜଣାଇ ଦେଇଥିଲା। ବିସିସିଆଇ ମଧ୍ୟ ଭାରତୀୟ ଦଳର ଏଭଳି ନିଷ୍ପତ୍ତି ବିଷୟରେ ବହୁ ପୂର୍ବରୁ ଏସିସିକୁ ଜଣାଇ ଦେଇଥିଲା। ଏହା ସତ୍ତ୍ବେ ନକ୍ଭୀ ଅନ୍ୟ କାହା ଦ୍ବାରା ଟ୍ରଫି ପ୍ରଦାନ କରିବାକୁ ଦେଇ ନଥିଲେ। ବରଂ ଭାରତୀୟ ଦଳକୁ କପ୍ ହସ୍ତାନ୍ତର କରି ନିଜ ଦେଶରେ କିଛିଟା ଶସ୍ତା ଲୋକପ୍ରିୟତା ସାଉଣ୍ଟିବା ଚକ୍କରରେ ଥିଲେ। ଭାରତୀୟ ଦଳ କିନ୍ତୁ ନିଜ ଜିଦ୍ରେ ଅଟଳ ରହିଥିଲା। ଫଳରେ ୯୦ ମିନିଟ୍ ଧରି ଟଣାଓଟରା ଜାରି ରହିଥିଲା। ଦେଢ଼ ଘଣ୍ଟାର ନାଟକ ପରେ ହଠାତ୍ ନକ୍ଭୀ ମଞ୍ଚ ଉପରୁ ତଳକୁ ଆସି କପ୍ ଓ ମେଡାଲ ନେଇ ନିଜ ହୋଟେଲ ରୁମ୍କୁ ଚାଲି ଯାଇଥିଲେ। ଭାରତୀୟ ଦଳ ବିନା ଟ୍ରଫି ଓ ମେଡାଲ୍ରେ ଫଟୋ ପୋଜ୍ ଦେଇ ଖୁସି ମନାଇଥିଲା। ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପରୋକ୍ଷରେ ନକ୍ଭୀଙ୍କୁ କଡ଼ା ସମାଲୋଚନା କରିଥିଲେ। ବିଜେତା ଦଳକୁ କପ୍ ନମିଳିବା କ୍ରିକେଟ୍ ଖେଳିବା ଓ ଅନୁସରଣ କରିବା ପରଠାରୁ ପ୍ରଥମ ଥର ଦେଖିଲି ବୋଲି କହିଥିଲେ। ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଥିବା ନକ୍ଭୀ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବେଶ୍ ପରିଚିତ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏକ୍ସ ପୃଷ୍ଠାରେ ସେ ପର୍ତ୍ତୁଗାଲର ମହାନ ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପ୍ରସିଦ୍ଧ ବିମାନ ଦୁର୍ଘଟଣା ଭଙ୍ଗୀ କରି ଭାରତକୁ କଟାକ୍ଷ କରିଥିଲେ। ଏହା କରି ସେ ପାକିସ୍ତାନର ୬ ରାଫେଲ ଜେଟ୍ ଖସାଇବା ଦାବିରେ ଯଥାର୍ଥତା ଥିବା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ। ସେହିଭଳି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାରଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପାକିସ୍ତାନର ଆଉ ଏକ କୁତ୍ସିତ କାରନାମା
ଆଇସିସିରେ ଦୃଢ଼ ପ୍ରତିବାଦ କରିବ ବିସିସିଆଇ
ଅପରେସନ୍ ସିନ୍ଦୂରକୁ ଯୋଡ଼ିବା ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ନକ୍ଭୀ ଟ୍ରଫି ଓ ମେଡାଲ୍ ନେଇ ଚାଲିଯିବା ଘଟଣାରେ ବିସିସିଆଇ ସଭାପତି ଦେବଜିତ ସାଇକିଆ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ବିଜେତା ଦଳ ତାଙ୍କ ହାତରୁ ଟ୍ରଫି ନେବ ନାହିଁ ବୋଲି ମନା କରିବାର ମାନେ ନୁହେଁ ଯେ ସେ (ନକ୍ଭୀ) ଟ୍ରଫି ନେଇ ଚାଲିଯିବେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଶା କରୁଛି ଭାରତ ଯଥାଶୀଘ୍ର ଏହି ଟ୍ରଫି ଓ ମେଡାଲ ଫେରି ପାଇବ। ଆମେ ଏହି ବିଷୟ ଦୃଢ଼ତାର ସହ ଆଇସିସି ବୈଠକରେ ଉଠାଇବୁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବୁ ବୋଲି ସେ କହିଛନ୍ତି।
ପୂର୍ବତନ କ୍ରିକେଟର୍ମାନେ ଏହି ଘଟଣାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଇର୍ଫାନ୍ ପଠାନଙ୍କ ଭଳି ଭାରତୀୟ ପୂର୍ବତନ କ୍ରିକେଟର୍, ନକ୍ଭୀଙ୍କ ଅଚରଣକୁ ତୀବ୍ର ନିନ୍ଦା କରିଥିଲା ବେଳେ ପୂର୍ବତନ ପାକିସ୍ତାନୀ ଅଧିନାୟକ ସୋଏବ ମଲ୍ଲିକ ଟ୍ରଫି ନନେଇ ଭାରତ ଠିକ୍ କଲାନି। ସେମାନେ ଭବିଷ୍ୟତରେ ଏଥିନେଇ ପସ୍ତେଇବେ ବୋଲି ମତ ପ୍ରକାଶ କରିଛନ୍ତି। ପ୍ରଶଂସକମାନେ କିନ୍ତୁ ଭାରତୀୟ ଦଳର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଏହି ନିଷ୍ପତ୍ତି ନେବା ପାଇଁ ଆମକୁ କେହି ନଥିଲେ। ପଡ଼ିଆ ଭିତରେ ଆମେ ସମସ୍ତେ ମିଳିତ ଭାବେ ଏହା କରିବାକୁ ସହମତ ହୋଇଥିଲୁ ବୋଲି ସୂର୍ଯ୍ୟକୁମାର ଅନ୍ୟଏକ ସାକ୍ଷାତ୍କାରରେ କହିଛନ୍ତି। ଟ୍ରଫି ନମିଳିବା ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଭାରତୀୟ ଖେଳାଳି ଚା’ କପ୍ ସହ ଶୋଇଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ନକ୍ଭୀଙ୍କୁ କଟାକ୍ଷ କରିଛନ୍ତି।
ସୋମବାର ମିଳିଥିବା ସୂଚନା ଅନୁସାରେ ବିବାଦ ବଢ଼ୁଥିବା ଦେଖି ନକ୍ଭୀ ଲୁଚାଛପା ଭାବେ ଟ୍ରଫିକୁ ଦୁବାଇସ୍ଥିତ ଏସିସି କାର୍ଯ୍ୟାଳୟରେ ପହଞ୍ଚାଇ ଦେଇଛନ୍ତି। ସେଠାରେ ଟ୍ରଫି ଓ ମେଡାଲ ରହିଛି। ତେବେ ଏହା କେବେ ଭାରତୀୟ ଦଳକୁ ମିଳିବ, ତାହା ସ୍ପଷ୍ଟ ହୋଇନି। ସେପଟେ ଭାରତୀୟ କ୍ରିକେଟ୍ ଦଳର ଏସିଆ କପ୍ ଖେଳିବା, ଏହାକୁ ଅପରେସନ୍ ସିନ୍ଦୂର ସହ ଯୋଡ଼ିବା ଏବଂ ଫାଇନାଲ୍ରେ ସୃଷ୍ଟି ହୋଇଥିବା ବିବାଦ ନେଇ ଭାରତରେ ରାଜନୀତି ଜୋର ଧରିଛି। ଶାସକ ବିଜେପିକୁ ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ତୀବ୍ର ଭର୍ତ୍ସନା କରିଛନ୍ତି। ବିଜେପି ମଧ୍ୟ ଭାରତୀୟ ଦଳ ଯାହା କରିଛି ପୂରା ଠିକ୍ କରିଛି ବୋଲି କହି ଦୃଢ଼ ଜବାବ ରଖିଛି। ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍କୁ କିନ୍ତୁ ସୂର୍ଯ୍ୟକୁମାର ସମର୍ଥନ କରିଛନ୍ତି। କ୍ରିକେଟିଂ ଶୈଳୀରେ ଏହାର ଉତ୍ତର ରଖି ପ୍ରଧାନମନ୍ତ୍ରୀ ଯେତେବେଳେ ନିଜେ ଫ୍ରଣ୍ଟ ଫୁଟ୍ରେ ବ୍ୟାଟିଂ କରନ୍ତି ବହୁତ ଭଲ ଲାଗେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ।