ପଜିଟିଭ୍‌ ରିପୋର୍ଟ ମିଛ ହେଲା; ସଂଗରୋଧରୁ ବାହାରିଲେ ନର୍ଖିୟା

ମୁମ୍ବାଇ : କରୋନା ଭୂତାଣୁ ସଂକ୍ରମଣ ପାଇଁ ହେଉଥିବା ପରୀକ୍ଷା ରିପୋର୍ଟ ବି ଭୁଲ୍‌ ହେଉଛି। ଏଭଳି ଏକ ଭୁଲ୍‌ ରିପୋର୍ଟର ଶିକାର ହୋଇଛନ୍ତି ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନ୍‌ରିକ୍‌ ନର୍ଖିୟା। ଆଇପିଏଲ୍‌ ଖେଳିବା ପାଇଁ ସାଥୀ କାଗିସୋ ରବାଦାଙ୍କ ସହ ଏପ୍ରିଲ ୬ ତାରିଖରେ ସେ ମୁମ୍ବାଇରେ ପହଞ୍ଚିବା ପରେ ନେଗେଟିଭ୍‌ ରିପୋର୍ଟ ସହିତ ବାଧ୍ୟତାମୂଳକ ସଂଗରୋଧରେ ରହିଥିଲେ। ହେଲେ ସଂଗରୋଧରେ ରହିବା ବେଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେଥିରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳରେ ତାଙ୍କର ସଂଗରୋଧ ଅବଧି ବଢ଼ାଇ ଦିଆଯାଇଥିଲା। ମାତ୍ର ପଜିଟିଭ୍‌ ରିପୋର୍ଟର ଦୁଇ ଦିନ ପରେ ପୁନର୍ବାର ତାଙ୍କର ପରୀକ୍ଷା କରାଯାଇଥିଲା। ସେହି ଆର୍‌ଟି-ପିସିଆର୍‌ ପରୀକ୍ଷା ରିପୋର୍ଟ ଶୁକ୍ରବାର ନେଗେଟିଭ୍‌ ଆସିଛି। ତେଣୁ ପ୍ରଥମ ପରୀକ୍ଷା ରିପୋର୍ଟ ତାଙ୍କର ଭୁଲ୍‌ ଥିଲା ବୋଲି ଜଣାପଡ଼ିଛି। ଯାହା ଫଳରେ ମିଛ ପଜିଟିଭ୍‌ ରିପୋର୍ଟ ପାଇଁ ତାଙ୍କୁ ଅଧିକ ଦୁଇ ଦିନ ସଂଗରୋଧରେ ରହିବାକୁ ପଡ଼ିଲା। ଅବଶ୍ୟ ରିପୋର୍ଟ ନେଗେଟିଭ୍‌ ଆସିବାରୁ ଶୁକ୍ରବାର ସେ ସଂଗରୋଧରୁ ବାହାରକୁ ବାହାରିଛନ୍ତି। ନର୍ଖିୟ‌ା ଏବେ ଆମ ଦଳର ଜୈବ ବଳୟ ମଧ୍ୟକୁ ଆସିଯାଇଛନ୍ତି। ଶୁକ୍ରବାର ମଧ୍ୟ ସେ ଦଳ ସହ ଅଭ୍ୟାସ କରିଛନ୍ତି। ଆଉ ଆମେ ଅପେକ୍ଷା କରିପାରିବୁନି। ତାଙ୍କୁ ପରବର୍ତୀ ମ୍ୟାଚ୍‌ରେ ଚୂଡାନ୍ତ ଏକାଦଶରେ ଖେଳାଇବା ନିଶ୍ଚିତ ବୋଲି ଦିଲ୍ଲୀ କ୍ୟାପିଟାଲ୍‌ସ ତା’ର ଅଫିସିଆଲ ଟ୍ବିଟର ପୃଷ୍ଠାରେ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, ଭୁଲ୍‌ ପଜିଟିଭ୍‌ ରିପୋର୍ଟର ଶିକାର ହେବାରେ ନର୍ଖିୟା ଚଳିତ ଆଇପିଏଲ୍‌ ଅବସରରେ ଦ୍ବିତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ଓପ୍‌ନର ନୀତୀଶ ରାଣା ମଧ୍ୟ ଏଭଳି ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର