ଅଂଶୁ ଓ ସୋନମଙ୍କୁ ଟୋକିଓ ଯୋଗ୍ୟତା

ଅଲ୍‌ମାଟି (କାଜାକସ୍ତାନ): ଭାରତୀୟ ଯୁବ କୁସ୍ତିଯୋଦ୍ଧା ଅଂଶୁ ମଲିକ ଏବଂ ସୋନମ୍‌ ମଲିକ ଶନିବାର ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏହି ଦୁଇ ବାଳିକା ଏସୀୟ ଯୋଗ୍ୟତାପର୍ଯ୍ୟାୟ‌ରେ ଚମତ୍କାର ପ୍ରଦର୍ଶନ କରି ଟୋକିଓ ଟିକେଟ ହାତେଇ ନେଇଛନ୍ତି। କନିଷ୍ଠରୁ ଦ୍ରୁତ ଗତିରେ ବରିଷ୍ଠ ବର୍ଗରେ ସାମିଲ ହୋଇଥିବା ୧୯ ବର୍ଷ ବୟସ୍କା ଅଂଶୁ ଓ ୧୮ ବର୍ଷ ବୟସ୍କା ସୋନମ୍‌ ଏଥି ସହିତ ଅଭିଜ୍ଞ ବରିଷ୍ଠ ତାରକା ଭିନେଶ ଫୋଗଟ (୫୩ କେଜି)ଙ୍କ ସହ ଅଲିମ୍ପିକ୍‌ ଯୋଗ୍ୟତା ତାଲିକାରେ ଯୋଡ଼ି ହୋଇଛନ୍ତି। ଫଳରେ ଭାରତରୁ ଏବେ ତିନି ମହିଳା କୁସ୍ତିଯୋଦ୍ଧା ଅଲିମ୍ପିକ୍‌ରେ ଲଢ଼ିବେ।

ଭିନେଶ ୨୦୧୯ ବିଶ୍ବ ଚାମ୍ପିଅନ୍‌ସିପ୍‌ ଜରିଆରେ ଟୋକିଓ ଟିକେଟ ହାସଲ କରିଥିଲେ। ତେବେ ରିଓ ଅଲିମ୍ପିକ୍‌ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ପାଇଁ ଟୋକିଓ ଦ୍ବାର ବନ୍ଦ ହୋଇଯାଇଛି। ୫୭ କେଜିରେ ଅଂଶୁ କୋରିଆର ଜିଉନ ଉମ୍‌, କାଜାକସ୍ତାନର ଇମା ତିସିନା ଏବଂ ସେମିଫାଇନାଲ୍‌ରେ ଉଜ୍‌ବେକିସ୍ତାନର ସୋଖିଦା ଅଖ୍‌ମେଦୋଭାଙ୍କୁ ପରାସ୍ତ କରିବା ପରେ ଫାଇନାଲ୍‌ରେ ଆଧିପତ୍ୟ ବିସ୍ତାର କରିଥିଲେ। ସେହିପରି ନିକଟରେ ଆୟୋଜିତ ଟ୍ରାଏଲ୍‌ସରେ ସୋନମ୍‌ ୬୨ କେଜି ବର୍ଗରେ ୪ ଥର ସାକ୍ଷୀଙ୍କୁ ପରାସ୍ତ କରି ଏଠାକୁ ଆସିଥିଲେ। ଫାଇନାଲ୍‌ରେ ସେ ତାଇପେର ସିନ୍‌ ପାଇଙ୍କୁ ପରାସ୍ତ କରିଥିଲେ। ଏହି ତିନି ମହିଳାଙ୍କ ସମେତ ମୋଟ ୭ ଭାରତୀୟ କୁସ୍ତିରୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଲେଣି। ଅନ୍ୟମାନଙ୍କ ମଧ୍ୟରେ ବଜରଙ୍ଗ ପୂନିଆ (୬୫ କେଜି), ରବି ଦାହିୟା (୫୭ କେଜି), ଦୀପକ ପୂନିଆ (୮୬ କେଜି) ପୁରୁଷ ଫ୍ରିଷ୍ଟାଇଲ୍‌ ବର୍ଗରେ ଯୋଗ୍ୟତା ହାସଲ କରିସାରିଛନ୍ତି।

ସମ୍ବନ୍ଧିତ ଖବର