ଅଲିମ୍ପିକ୍ ଅଭିଳାଷରେ ଅଂଶୁମାନ

ଭୁବନେଶ୍ବର: ଏକାଧିକ ସାମରିକ କଳା ତଥା ସାହସିକ ଖେଳକୁ ଆପଣାର କରିଥିବା ଅଂଶୁମାନ ସେଠୀଙ୍କ ଅଭିଳାଷ ଦିନେ ଅଲିମ୍ପିକ୍ ଖେଳିବା। ଗୋଟିଏ ବି ଖେଳରେ ଉତ୍କର୍ଷତା ଅର୍ଜନ କରିବା ପୂର୍ବରୁ ଏଭଳି ଅଭିଳାଷ ଓ ଆକାଂକ୍ଷା ଜାହିର କରିଛନ୍ତି ଅଂଶୁମାନ। ଜୁଡ଼ୋ ହେଉ କିମ୍ବା ଜୁ ଜୁତ୍‌ସୁ ମୁଁ ଭବିଷ୍ୟତରେ ନିଶ୍ଚିତ ଅଲିମ୍ପିକ୍ସରେ ଖେଳିବାକୁ ଶତ ଚେଷ୍ଟା କରିବି ବୋଲି ପ୍ରକାଶ କରିଛନ୍ତି ଏହି ଯୁବ ତାରକା। ଅଂଶୁମାନଙ୍କ ସଙ୍କଳ୍ପ ଓ ପ୍ରତିଜ୍ଞାରୁ ବିଶ୍ବାସ ଆସୁଛି ସେ ଦିନେ ଏଭଳି ଲକ୍ଷ୍ୟ ପଥରେ ପହଞ୍ଚିଯିବେ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଜୁଡ଼ୋ ଯୋଗ୍ୟତା ଲାଗି ଚେଷ୍ଟା କରୁଛି। ଖୁବ୍ କମ୍ ସମୟ ରହିଛି, କିନ୍ତୁ ୨୦୨୪ରେ ଜୁଡ଼ୋ ଏବଂ ଜୁ ଜୁତ୍‌ସୁ ସାମିଲ ଥିବାରୁ ମୁଁ ନିଶ୍ଚିତ ସୁଯୋଗ ହାତେଇବି ବୋଲି ‘ସମ୍ବାଦ’ ସହିତ କଥା ହେବାବେଳେ ଆତ୍ମବିଶ୍ବାସର ସହ କହିଛନ୍ତି ଅଂଶୁମାନ। ଗତ ସପ୍ତାହରେ ଚେନ୍ନାଇରେ ଶେଷ ହୋଇଥିବା ଜାତୀୟ ଏବଂ ଦକ୍ଷିଣ ଏସୀୟ ଜୁ ଜୁତ୍‌ସୁରୁ ୨ ପଦକ ନେଇ‌ ଫେରିବା ପରେ ଅଂଶୁମାନଙ୍କ ଆତ୍ମବିଶ୍ବାସ ବି ଆକାଶଛୁଆଁ ହୋଇଛି। ଆଗରୁ ମୁଁ କରାଟେ କରିଛି, କିକ୍ ବକ୍ସିଂ ବି ଖେଳିଛି, ଟେବୁଲ୍ ଟେନିସ୍‌ରେ ବି ଅଭିଜ୍ଞତା ରଖିଛି ଏବଂ ଦୌଡ଼କୁଦରେ ନିଜକୁ ପରୀକ୍ଷା କରାଇଛି। କିନ୍ତୁ ଜୁଡୋ ଓ ଜୁ ଜୁତ୍‌ସକୁ ପ୍ରାଧାନ୍ୟ ଦେଉଛି। ବାସ୍ତବରେ ମୋ ମନ ମିକ୍ସଡ ମାର୍ଶାଲ୍ ଆର୍ଟ (ଏମ୍‌ଏମଏ) ଉପରେ ରହିଛି। ଏତେ ଗୁଡ଼ିଏ ସାମରିକ କ୍ରୀଡ଼ା ସହ ଜଡ଼ିତ ହେବା ପରେ ସବୁ ଅଭିଜ୍ଞତାକୁ ମିଶାଇ ମୁଁ ଏମଏମ୍‌ଏରେ ବି ନିଜକୁ ପ୍ରତିଷ୍ଠିତ କରିବାକୁ ଅଭିଳାଷ ରଖିଛି ବୋଲି କହିଥିଲେ ଅଂଶୁମାନ। ଜଣେ ଉଚ୍ଚମାନର କ୍ରୀଡ଼ାବିତ୍ ଭାବେ ନିଜକୁ ପ୍ରତିଷ୍ଠିତ କରିବା ମୋ ସ୍ବପ୍ନ ରହିଛି‌ ବୋଲି ଯୋଧପୁର ଏନ୍‌ଏଲ୍‌ୟୁରୁ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ହାଇକୋର୍ଟରେ ଅଭ୍ୟାସରତ ଅଂଶୁମାନ କହିଛନ୍ତି।
ପାରିବାରିକ ବିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଂଶୁମାନଙ୍କ କ୍ରୀଡ଼ା ଜୀବନର ଯାତ୍ରା ପଥଭ୍ରଷ୍ଟ ହୋଇନାହିଁ। ଖଲ୍ଲିକୋଟ୍‌ର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର‌ ସେଠୀଙ୍କ ପୁଅ ଅଂଶୁମାନଙ୍କୁ ପରିବାରରୁ ଠିକଣା ସମର୍ଥନ ମିଳିନଥିଲା। କିନ୍ତୁ ପ୍ରଥମ ଥର ପାଇଁ‌ ଏଥର ଜାତୀୟ ଏବଂ ଦକ୍ଷିଣ ଏସୀୟ ପଦକ ଜିତିବା ପରେ ପିତାଙ୍କ ଫୋନ୍‌ କଲ୍‌ ପାଇଥିଲେ ବୋଲି ଅଂଶୁମାନ୍ ପ୍ରକାଶ କରିଛନ୍ତି। ମା’ ସଂଜୁକ୍ତା ସେଠୀ ଜଣେ ଧାବିକା ଥିଲେ ବି ଅଧିକ ଆଗକୁ ବଢ଼ି ପାରିନଥିଲେ। ଅଂଶୁମାନ କିନ୍ତୁ ଏହି ଅଭିଳାଷକୁ ପୂର୍ଣ୍ଣ କରିବାକୁ ବଦ୍ଧ ପରିକର। ଆଗାମୀ ଆବୁଧାବି ବିଶ୍ବ ପେସାଦାର ଜୁ ଜୁତ୍‌ସୁ ତାଙ୍କ ପରବର୍ତୀ ପରୀକ୍ଷା‌ ବୋଲି ମଧ୍ୟ ଅଂଶୁମାନ ସୂଚନ‌ା ଦେଇଛନ୍ତି। ଜୁଡ଼ୋରେ ଏକାଧିକ ବାର ରାଜ୍ୟ ବିଜେତା ଥିବା ଅଂଶୁମାନ ଗତ ଦୁଇ ବର୍ଷ ଭିତରେ ଜୁ ଜୁତ୍‌ସୁରୁ ମୋଟ ୫ ଜାତୀୟ ଏବଂ ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି। ଗତବର୍ଷ ଜାନୁଆରିରେ ପ୍ରଥମ ଅନ୍ତର୍ଜାତୀୟ ପଦକ (ଆଇବିଜେଜେଏଫ କାଂସ୍ୟ) ହାସଲ କରିଥିବା ବେଳେ ଏବେ ଚେନ୍ନାଇରେ ଦକ୍ଷିଣ ଏସିଆ କାଂସ୍ୟ ହାତେଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳାର ଜଗନ୍ନାଥପୁର ଗାଁର ମୂଳଅଧିବାସୀ ଅଂଶୁମାନ ମଧ୍ୟ ବିଦେଶ ସର୍କିଟରେ ପ୍ରମୁଖ ପ୍ରଶିକ୍ଷକଙ୍କ ନିକଟରେ ନିଜକୁ ଶାଣିତ କରିବା ତାଙ୍କୁ ଅଧିକ ଉଚ୍ଚସ୍ତରକୁ ନେବାର ଆଶା ଦେଇଛି।

ସମ୍ବନ୍ଧିତ ଖବର