କୋହଲିଙ୍କ କଥାର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ: ଗାଏକ୍ବାଡ୍

ନୂଆଦିଲ୍ଲୀ : ରବି ଶାସ୍ତ୍ରୀ ପୁଣି ଥରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେଲେ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ଭାବେ ବହୁତ ଖୁସି ହେବେ। ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ଲାଗି ଆମେରିକା ଯିବା ପୂର୍ବରୁ କୋହଲି ନିଜେ ଏହା କହିଥିଲେ। ହେଲେ ତାଙ୍କର ଏହି ମନ୍ତବ୍ୟକୁ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ର ସଦସ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ଅଂଶୁମାନ ଗାଏକ୍ବାଡ୍ ପସନ୍ଦ କରି ନାହାନ୍ତି। ବୁଧବାର ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ଗାଏକ୍ବାଡ୍ କହିଛନ୍ତି, କୋହଲିଙ୍କ କଥା କିମ୍ବା ପସନ୍ଦର କୌଣସି ପ୍ରଭାବ ସିଏସି ଉପରେ ପଡ଼ିବ ନାହିଁ। ଆମକୁ ଖୋଲା ମନରେ ଯିବାକୁ ପଡ଼ିବ। ଭାରତ ଏବଂ ଭାରତ ବାହାରୁ ବହୁ ଲୋକ ପ୍ରଶିକ୍ଷକ ପଦ ଲାଗି ଆବେଦନ କରିଛନ୍ତି। ସେମାନଙ୍କର ସାକ୍ଷାତକାର ହେବ। ତା’ ପରେ ଆମକୁ ସେମାନଙ୍କ ଦକ୍ଷତାର ତର୍ଜମା କରିବାକୁ ପଡ଼ିବ। ଅଧିନାୟକ କିଛି ବି କହି ପାରିବେ। ଆମ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ତାଙ୍କ ରାୟ। ବିସିସିଆଇ ଏହାର ସଜ୍ଞାନ ନେବ, ଆମେ ନୁହଁ। ସବୁକିଛି ବିସିସିଆଇ ଉପରେ ନିର୍ଭର କରେ। ବିସିସିଆଇ ଆମକୁ ନିୟମାବଳୀ ପ୍ରଦାନ କରିବ ଏବଂ ଆମେ ସେହି ଅନୁସାରେ କାର୍ଯ୍ୟ କରିବୁ। ମହିଳା ପ୍ରଶିକ୍ଷକ ନିଯୁକ୍ତ କଲା ବେଳେ ଆମେ କାହାର ପରାମର୍ଶ ନେଇ ନଥିଲୁ। ଆମେ ଆମ ଜ୍ଞାନ ମୁତାବକ ନିଷ୍ପତ୍ତି ନେଇଥିଲୁ। ସିଏସି ଜଣେ ଦକ୍ଷ ରଣନୀତିକାର, କୁଶଳୀ ପରିଚାଳକ ଏବଂ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ଅଧିକାରୀଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବାକୁ ଚାହେଁ। ସୂଚନାଯୋଗ୍ୟ ଯେ ଭାରତୀୟ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ବିଶ୍ବବିଜୟୀ ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ ସିଏସିକୁ ଗଠନ କରିଛି। କପିଳ ଓ ଗାଏକ୍ବାଡଙ୍କ ଛଡ଼ା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସନ୍ଥ ରଙ୍ଗସ୍ବା‌ମୀ ଏହାର ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର