କୁଆଲାଲୁମ୍ପୁର: ଓଡ଼ିଆ ପୁଅ ଅଂଶୁମାନ ରଥଙ୍କ ନେତୃତ୍ୱାଧୀନ ହଂକଂ କ୍ରିକେଟ୍ ଦଳ ଏସିଆ କପ୍ ଲାଗି ଯୋଗ୍ୟତା ଅର୍ଜନ କରିନେଇଛି। ଚଳିତ ବର୍ଷ ଆରମ୍ଭରୁ ଦିନିକିଆ ମାନ୍ୟତା ହରାଇଥିବା ହଂକଂ ଗୁରୁବାର ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲ୍ରେ ୟୁନାଇଟେଡ୍ ଆରବ ଏମ୍ରେଟ୍ସ (ୟୁଏଇ)କୁ ୨ ଓ୍ଵିକେଟ୍ରେ ହରାଇ ଟ୍ରଫି ବିଜେତା ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଫାଇନାଲ୍ରେ ଟସ୍ ହାରି ବ୍ୟାଟିଂ ପାଇଥିବା ୟୁଏଇ ଆସ୍ଫାକ୍ ଅହମ୍ମଦ (୭୯)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୪ ଓଭରରେ ୯ ଓ୍ଵିକେଟ୍ ହରାଇ ୧୭୬ ରନ୍ କରିଥିଲା। ହଂକଂ ପକ୍ଷରୁ ଐଜାଜ୍ ଖାନ୍ ୫ ଓ ନଦୀମ ଅହମ୍ମଦ ୩ ଓ୍ଵିକେଟ୍ ନେଇଥିଲେ। ବର୍ଷା ଯୋଗୁଁ ହଂକଂ ସମ୍ମୁଖରେ ୧୭୯ ରନ୍ରେ ଲକ୍ଷ୍ୟ ରହିଥିଲା। ଜବାବରେ ହଂକଂ ୨୩.୩ ଓଭରରେ ୮ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ନିଜାକତ୍ ଖାନ୍ ୩୮, କ୍ରିଷ୍ଟଫର୍ କାର୍ଟର ୩୩ ଏବଂ ଅଧିନାୟକ ଅଂଶୁମାନ ୨୮ (୨୫ ବଲ୍, ୪ ଚୌକା) ରନ୍ କରିଥିଲେ। ନିଜାକତ୍ଙ୍କୁ ସାଥୀ କରି ଅଂଶୁମାନ ପ୍ରଥମ ଓ୍ଵିକେଟ୍ରେ ୬ ଓଭରରୁ ୬୪ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ଏହାପରେ ୧୮ ରନ୍ ମଧ୍ୟରେ ୪ ଓ୍ଵିକେଟ୍ ହରାଇ ହଂକଂ ଆଶଙ୍କାରେ ପଡ଼ି ଯାଇଥିଲା। ତେବେ କ୍ରିଷ୍ଟଫର୍ ଓ ଏହାସାନ୍ ଖାନ୍ (୨୯) ପଞ୍ଚମ ଓ୍ଵିକେଟ୍ରେ ୫୩ ରନ୍ ଯୋଡ଼ି ବିଜୟ ସୁଯୋଗ ଦେଇଥିଲେ। ଶେଷ ୩ ଓଭରରେ ୨୫ ରନ୍ ଆବଶ୍ୟକ ଥିଲା ବେଳେ ମହମ୍ମଦ ନଭିଦ ୨୨ତମ ଓଭରରେ ୧୬ ରନ୍ ବ୍ୟୟ କରିବା ହଂକଂ ବିଜୟ ସୁନିଶ୍ଚିତ କରି ଦେଇଥିଲା। ଓ୍ଵିକେଟ୍ରକ୍ଷକ ମ୍ୟାକେଚ୍ନିଙ୍କ ଅପରାଜିତ ୧୪ ଓ ତନ୍ଓ୍ଵିର୍ ଅଫ୍ଜଲ୍ଙ୍କ ୧୫ ରନ୍ ବଳରେ ଦଳ ୩ ବଲ୍ ପୂର୍ବରୁ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୟୁଏଇ ପକ୍ଷରୁ ମହମ୍ମଦ ନଭିଦ ୨ ଓ୍ଵିକେଟ୍ ନେଇଥିଲେ। ଐଜାଜ୍ ଖାନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଏବେ ଏସିଆ କପ୍ ମୁଖ୍ୟ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ସହ ହଂକଂ ତୃତୀୟ ଦଳ ଭାବେ ଗ୍ରୁପ୍ ଏରେ ସ୍ଥାନ ପାଇଛି। ସେପ୍ଟେମ୍ବର ୧୫ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ହଂକଂ ତା’ର ପ୍ରଥମ ମ୍ୟାଚ୍ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ହଂକଂର ମୁକାବିଲା ଭାରତ ସହ ୧୮ ତାରିଖରେ ହେବ।
ଏସିଆ କପ୍ ଖେଳିବ ଅଂଶୁମାନଙ୍କ ହଂକଂ
/sambad/media/post_attachments/wp-content/uploads/2018/09/12-Ansuman-Rath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)