ଟୋକିଓ କ୍ରୀଡ଼ା ଗ୍ରାମରେ ‘ଆଣ୍ଟି ସେକ୍ସ’ ଶଯ୍ୟା

ଟୋକିଓ: ମହାମାରୀ ଯୋଗୁଁ ଗୋଟିଏ ବର୍ଷ ଘୁଞ୍ଚିଥିବା ଟୋକିଓ ଅଲିମ୍ପିକ୍ସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆଉ ମାତ୍ର ହାତଗଣତି ଦିନ ଥିଲା ବେଳେ ନୂଆ ନୂଆ ବିବାଦ ଦେଖାଯାଉଛି। କରୋନା ପରେ ଏବେ ଆଉ ଏକ ନୂଆ ଖବର ଚର୍ଚ୍ଚାର ଖୋରାକ ଯୋଗାଇଛି। ଖେଳାଳିମାନଙ୍କ ପାଇଁ ‌କ୍ରୀଡ଼ା ଗ୍ରାମରେ ପଡ଼ିଥିବା ଶଯ୍ୟା ‘ଆଣ୍ଟି ସେକ୍ସ’ ବୋଲି କୁହାଯାଇଛି। ଶଯ୍ୟାଗୁଡ଼ିକ କାର୍ଡବୋର୍ଡରେ ପ୍ରସ୍ତୁତ ଏବଂ ଏଥିରେ କେବଳ ଜଣେ ଶୋଇଲା ଭଳି ଗଢ଼ା ହୋଇଛି। ଏହା ମଧ୍ୟ କେବଳ ଜଣେ ବ୍ୟକ୍ତିର ଓଜନକୁ ସମ୍ଭାଳି ପାରିବାକୁ ସକ୍ଷମ। ପ୍ରତି ଶଯ୍ୟା ଅତିବେଶୀରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଭାର ନେଇପାରିବ ଏବଂ ଏହା ଉପରେ ଠିଆ ହୋଇ ହେବନି କି ସଙ୍ଗେ‌ସଙ୍ଗେ ବୁଲାଇ ହେଉନି ବୋଲି ବିଭିନ୍ନ ଖବର ଶୁଣିବାକୁ ମିଳୁଛି।

କରୋନା ମହାମାରୀକୁ ନଜରରେ ରଖି କେହି କାହା ସମ୍ପର୍କରେ ନଆଶିବା ଲାଗି ଏଭଳି ଶଯ୍ୟା ତିଆରି କରାଯାଇଥିବା ମଧ୍ୟ ସୂଚନା ମିଳୁଛି। ଏଭଳି ଖବର ପ୍ରଚାର ପରେ ଶଯ୍ୟାକୁ ନେଇ କିଛି ତାରକା ଖେଳାଳି ନିଜର ମତ ରଖିଛନ୍ତି। ୨୦୧୬ ଅଲିମ୍ପିକ୍ସ ରୌପ୍ୟ ବିଜେତା ୫୦୦୦ ମିଟର ଧାବକ ପଲ କିପକେମୋଇ ଟ୍ବିଟରରେ ଦୁର୍ବଳ ଦେଖାଯାଉଥିବା ଏକ ଶଯ୍ୟାର ଫଟୋ ପୋଷ୍ଟ କରିଛନ୍ତି। ଏବଂ ଲେଖିଛନ୍ତି ‘‘କ୍ରୀଡା ବାହାରେ ପରିସ୍ଥିତିକୁ ଏଡ଼ାଇବା ପାଇଁ ଶଯ୍ୟା ପ୍ରସ୍ତୁତ ହୋଇଛି। ଏହା କେବଳ ଜଣେ ବ୍ୟକ୍ତିଙ୍କ ଓଜନକୁ ସହ୍ୟ କରିପାରିବ। ଦୂରଗାମୀ ଧାବକ ଭାବେ ମୋର କିଛି ଅସୁବିଧା ନାହିଁ।’’ ଇରିସ ଜିମ୍ନାଷ୍ଟ ରିଜ୍‌ ମ୍ୟାକ୍‌କ୍ଲିନାଘନ ଏହା ଉପରେ ଲଗାତାର ଡେଉଥିବାର ଭିଡିଓ ପ୍ରକାଶ କରି ଲେଖିଛନ୍ତି, ‘‘ଏହି ଶଯ୍ୟାଗୁଡ଼ିକ ‘ଆଣ୍ଟି ସେକ୍ସ’। ଏହା କାର୍ଡ ବୋର୍ଡରେ ହୋଇଛି ସତ କିନ୍ତୁ ଭାଙ୍ଗୁନି। ଯେଉଁ ଖବର ଆସୁଛି ତାହା ମିଛ ଏବଂ ପରିକଳ୍ପିତ’’।

ଉଭୟ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଲାଗି ଏୟାରୱେଭ୍‌ କମ୍ପାନି ୧୮୦୦୦ ଶଯ୍ୟାର ଡିଜାଇନ ଓ ତିଆରି କରିଛି। ଶଯ୍ୟାଗୁଡ଼ିକ ଏଭଳି ପଦାର୍ଥରେ ହୋଇଛି ଯେ ପ୍ରତିଯୋଗିତା ‌ଶେଷ ପରେ ଏହା ପୁନଃନବୀକରଣ ହୋଇପାରିବ। ସୂଚନାଯୋଗ୍ୟ ଯେ ଆୟୋଜକ ଖେଳାଳିମାନଙ୍କୁ କଣ୍ଡୋମ ପ୍ରଦାନ କରିବାକୁ ଘୋଷଣା କରିଥିଲା। ହେଲେ ଏହି କଣ୍ଡୋମକୁ ଖେଳାଳିମାନେ କ୍ରୀଡ଼ା ଗ୍ରାମରେ ବ୍ୟବହାର ନକରି ଏଡ୍‌ସ ସଚେତନତା ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ନିଜ ଦେଶକୁ ନେବା ପାଇଁ ନିକଟରେ କହିଥିଲା।

ସମ୍ବନ୍ଧିତ ଖବର