ବିଶ୍ବ ଦୌଡ଼କୁଦ: ମହିଳା ଜାଭେଲିନ୍ ଫାଇନାଲ ଯିବାରେ ପ୍ରଥମ ଭାରତୀୟ ଅନୁ ରାଣୀ

ସପ୍ତଦଶ ବିଶ୍ବ ଦୌଡ଼କୁଦ ଅବସରରେ ସୋମବାର ଭାରତୀୟ ମହିଳା ଜାଭେଲିନ୍ ତାରକା ଅନୁ ରାଣୀ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୭ ବର୍ଷୀୟା ଅନୁ ନିଜେ ନିଜକୁ ହିଁ ଟପିଛନ୍ତି। ଆଜି ମହିଳା ଜାଭେଲିନ୍ ଗ୍ରୁପ୍-ଏ ଯୋଗ୍ୟତା ପର୍ଯ୍ୟାୟରେ ଅନୁ ନିଜ ଦ୍ବିତୀୟ ପ୍ରୟାସରେ ୬୨.୪୩ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ। ଏହା ପୂର୍ବରୁ ପାତିଆଲାରେ ଆୟୋଜିତ ଫେଡେରେସନ୍ କପରେ ୬୨.୩୪ ମିଟର ସଫଳତା ସହ ସେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ପ୍ରଥମ ପ୍ରୟାସରେ ୫୭.୦୫ ମିଟର, ଦ୍ବିତୀୟରେ ୬୨.୪୩ ଏବଂ ତୃତୀୟ ତଥା ଶେ‌ଷ ପ୍ରୟାସରେ ୬୦.୫୦ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ ଅନୁ। ଏହା କରି ସେ ନିଜ ଗ୍ରୁପରେ ଚୀନର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଲିୟୁ ସିୟିଙ୍ଗ (୬୩.୪୮ ମିଟର) ଓ ସ୍ଲୋଭେନିଆର ରତେଜ ମାର୍ଟିନା (୬୨.୮୭ ମିଟର)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି। ସେ ମଧ୍ୟ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ରହି ଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ମୋଟ ଉପରେ ସେ ପଞ୍ଚମ ସ୍ଥାନରେ ରହିଛନ୍ତି। ବିଶ୍ବ ଦୌଡ଼କୁଦର ମହିଳା ଜାଭେଲିନର ଫାଇନାଲକୁ ଯିବାରେ ସେ ମଧ୍ୟ ପ୍ରଥମ ଭାରତୀୟ ହୋଇଛନ୍ତି।

ସମ୍ବନ୍ଧିତ ଖବର