ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ଅନୁନ୍ନତ, ପଛୁଆ ତଥା ଅବହେଳିତ ଜିଲ୍ଲା ଭାବେ ବରଗଡ଼ ପରିଚିତ। ବିକାଶ ପାଇଁ ସଂଘର୍ଷ କରୁଥିବା ପଶ୍ଚିମ ଓଡ଼ିଶାର ଏହି ଜିଲ୍ଲା ଏବେ କ୍ରୀଡ଼ା କ୍ଷେତ୍ରରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛି। ଏହି ପରିଚୟର ସଦ୍ୟତମ କ୍ରୀଡ଼ା ତାରକା ହେଲେ ନିର୍ମାଲ୍ୟ ରାଉତ। ପଛୁଆ ଜିଲ୍ଳାର ଆଗୁଆ ଚେହେରା ଭାବେ ନିର୍ମାଲ୍ୟ ଏବେ ଲଗାତାର ଦୁଇ ବର୍ଷ ସ୍ବର୍ଣ୍ଣିମ ସଫଳତା ପାଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କଠିନ ପରିଶ୍ରମ ଜରିଆରେ ଯେ ନିଜ ସ୍ବପ୍ନକୁ ସାକାର କରିହୁଏ ଏହା ସେ ପ୍ରମାଣିତ କରିଦେଇଛନ୍ତି। ସମ୍ପ୍ରତି ଲକ୍ଷ୍ନୌଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ପାଇଁ ରଗ୍‌ବି ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ବି ହୋଇଛି ଗର୍ବିତ। ଗତବର୍ଷ ଗୁଜରାଟରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ମଧ୍ୟ ସେ ରାଜ୍ୟ ପାଇଁ ସ୍ବର୍ଣ୍ଣିମ ସଫଳତା ପାଇଥିଲେ।

Advertisment

ବରଗଡ଼ ଭଟିଗାଁର କୃଷକ ବାସୁବେଦ ରାଉତଙ୍କ ଝିଅ ହେଉଛନ୍ତି ନିର୍ମାଲ୍ୟ। ବାପା ମା’ଙ୍କୁ ଛାଡ଼ି ଘରେ ମଧ୍ୟ ଅଛନ୍ତି ଭାଇ ଓ ଭଉଣୀ। ପାଠ ପଢ଼ିବାକୁ ଭୁବନେଶ୍ବର ଚାଲି ଆସିଥିବା ନିର୍ମାଲ୍ୟ କିସ୍‌ରେ ପ୍ରଥମ ଥର ପାଇଁ ରଗ୍‌ବି ଖେଳ ଦେଖିବା ପରେ ଏହାର ପ୍ରେମରେ ପଡ଼ିଯାଇଥିଲେ। ପାଠ ପଢ଼ା ସହ ଖେଳକୁ ସେ ସମାନ ଗୁରୁତ୍ବ ଦେଇଥିଲେ। କିନ୍ତୁ ବିଗତ କିଛି ବର୍ଷ ‌ହେବ ଏହି ଖେଳ ନିର୍ମାଲ୍ୟଙ୍କୁ ରାତାରାତି ରଗ୍‌ବି ରାଣୀ ବନାଇ ଦେଇଛି। ଖେଳରୁ ମିଳୁଥିବା ଖ୍ୟାତି ଓ ସମ୍ମାନ ତାଙ୍କ ପାଇଁ ଏକ ନୂଆ ପରିଚୟ ପାଲଟିଯାଇଛି। ୧୮ ବର୍ଷୀୟା ନିର୍ମାଲ୍ୟ ଲକ୍ଷ୍ନୌରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌କୁ ସ୍ବର୍ଣ୍ଣ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଗୁରୁ ଗୋବିନ୍ଦ ସିଂହ ସ୍ପୋର୍ଟସ କଲେଜ୍ ଗ୍ରାଉଣ୍ଡ୍‌ରେ ମୁମ୍ବାଇ ବିଶ୍ବବିଦ୍ୟାଳୟ ବିପକ୍ଷ ଫାଇନାଲ୍‌କୁ କିଟ୍‌ ୫୬-୦ରେ ଜିତିଥିବା ବେଳେ ନିର୍ମାଲ୍ୟ ଏକା ସ୍କୋର୍‌ କରିଥିଲେ ୧୦ ପଏଣ୍ଟ। ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଜିତିଥିବାରୁ ବହୁତ ଖୁସି ହୋଇଛନ୍ତି। ‘ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେଇଥିଲି। ଭଲ ଆୟୋଜନ ହୋଇଥିବାରୁ ମୁଁ ଏହାକୁ ଢେର ଉପଭୋଗ କରିଛି। ମୁଁ କଠିନ ପରିଶ୍ରମ କରୁଛି। ଭାରତ ପାଇଁ ଖେଳିବା ଓ ଏସୀୟ କ୍ରୀଡ଼ାରେ ପଦକ ଜିତିବା ମୋ ଲକ୍ଷ୍ୟ ରହିଛି’ ବୋଲି ସେ କହିଛନ୍ତି।

ଘର ଛାଡ଼ିବା ପରେ ମୁଁ ପ୍ରଥମ ଥର କିସ୍ ପରିସରରେ ରଗ୍‌ବି ଖେଳ ଦେଖିଥିଲି। ମୋତେ ଏହା ଭଲ ଲାଗିଥିଲା ଏବଂ ଏହି ଖେଳ ସହ ଯୋଡ଼ିହୋଇ ରହିବାକୁ ମନ ବଳାଇଥିଲି ବୋଲି ନିର୍ମାଲ୍ୟ ପ୍ରକାଶ କରିଛନ୍ତି। ଗତବର୍ଷ ବିହାରରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ଜାତୀୟ ରଗ୍‌ବି ସେଭେନ୍ସରେ ରୌପ୍ୟ ଏବଂ ଅହମଦାବାଦରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଦୁଇ ଜାତୀୟ ପଦକଠାରୁ ନିର୍ମାଲ୍ୟଙ୍କ ଅନ୍ତର୍ଜାତୀୟ ପଦକ କିନ୍ତୁ ଆଗରେ ରହିଛି। ୨୦୨୧ରେ ତାସକେଣ୍ଟରେ ଏସୀୟ ୧୮ ବର୍ଷରୁ କମ୍ ରଗ୍‌ବି ସେଭେନ୍ସ, ୨୦୨୨ରେ କାଠମାଣ୍ଡୁରେ ଅନୁଷ୍ଠିତ ସମାନ ପ୍ରତିଯୋଗିତା ସହିତ ଉଜବେକିସ୍ତାନରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଏସୀୟ ରଗ୍‌ବି ‌ସେ‌ଭେନ୍ସରୁ ୩ ରୌପ୍ୟ ପଦକ ଜିତିଥିଲେ। ଖୁବ୍ ସ୍ବଳ୍ପ ବୟସରୁ ଓଡ଼ିଶା କନିଷ୍ଠ ଓ ବରିଷ୍ଠ ଦଳରୁ ଖେଳିବା ସହ ବିଶ୍ବବିଦ୍ୟାଳୟ ସ୍ତରରୁ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ନିର୍ମାଲ୍ୟଙ୍କ ଚର୍ଚ୍ଚା ବଢ଼ିଛି। ପ୍ରଶିକ୍ଷକ ରୁଦ୍ରକେଶ ଜେନାଙ୍କ ଅଧୀନରେ ଖେଳ ଜୀବନ ଗଢ଼ିଥିବା ନିର୍ମାଲ୍ୟ ସଫଳତାର ସବୁ ଶ୍ରେୟ କିଟ୍‌ ଓ କିସ୍ ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି।