ଭୁବନେଶ୍ବର : ଓଡ଼ିଆ ଝିଅ ଅନୁପମା ସ୍ବାଇଁ ବାହାରିନ୍‌ରେ ଆୟୋଜିତ ଷଷ୍ଠ ଏସୀୟ ଜୁ ଜିଟ୍‌ସୁ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ସେ ଏକ ମାତ୍ର ଓଡ଼ିଆ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଅନୁପମା ନେୱାଜା, ‌ନୋଗି ଓ କଣ୍ଟାକ୍ଟ ଜୁଜିଟ୍‌ସୁର ୫୨ କେଜି ଓଜନ ବର୍ଗରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ସେ ଥାଇଲାଣ୍ଡ ଓପନ୍‌ରେ ସ୍ବର୍ଣ୍ଣ, ବିଶ୍ବ ମାର୍ସିଆଲ୍‌ ଆର୍ଟ ମାଷ୍ଟରସିପ୍‌ରେ କାଂସ୍ୟ ଓ ଗତ ପଞ୍ଚମ ଏସୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ। ଅନୁପମା ପୂର୍ବରୁ ୩ ଥର ଜାତୀୟ ଜୁ ଜିତ୍‌ସୁ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏବେ ଏସୀୟ ପଦକ ପରେ ଅନୁପମା ଏସୀୟ କ୍ରୀଡ଼ା ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ୨୦୧୭ ଏସୀୟ ଶକ୍ତିଉତ୍ତୋଳନରେ ମଧ୍ୟ ଅନୁପମା ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏସୀୟ ଜୁ ଜିତ୍‌ସୁ ସଫଳତା ପାଇଁ ଅନୁପମା ନିଜ ନିଯୁକ୍ତିଦାତା ଓଡ଼ିଶା ପୁଲିସ୍‌ ଏବଂ ପ୍ରଶିକ୍ଷଣ କେନ୍ଦ୍ର ଉତ୍କଳ କରାଟେ ସ୍କୁଲ୍‌କୁ ଶ୍ରେୟ ଦେଇଛନ୍ତି।