ଅନୁପମାଙ୍କୁ ଏସୀୟ କ୍ରୀଡ଼ା ସୁଯୋଗ

ଭୁବନେଶ୍ବର : ଦକ୍ଷିଣ କୋରିଆର ଚୁଙ୍ଗଲୁ ସହରରେ ଆୟୋଜିତ ବିଶ୍ବ ସାମରିକ କଳା ମାଷ୍ଟରସିପ୍‌ ପ୍ରତିଯୋଗିତାର ‘ଜୁ-ଜୁଟ୍‌ସୁ’ ଖେଳରେ କାଂସ୍ୟ ପଦକ ଜିତିଥିବା ଅନୁପମା ସ୍ବାଇଁ ଆଉ ଏକ ସ୍ମରଣୀୟ ସଫଳତା ଅର୍ଜନ କରିଛନ୍ତି। ଜୁ-ଜୁଟ୍‌ସୁର ନେ ୱାଜା ବର୍ଗରେ ୨୦୨୨ ଏସୀୟ କ୍ରୀଡ଼ା ସମ୍ଭାବ୍ୟ ଖେଳାଳି ତାଲିକାରେ ସେ ସ୍ଥାନ ପାଇଛନ୍ତି।

ସାମରିକ କଳାର ଅଲିମ୍ପିକ୍ସ କୁହାଯାଉଥିବା ଏହି ପ୍ରତିଯୋଗିତାରେ ଅନୁପମା କଣ୍ଟାକ୍ଟ ବର୍ଗରେ ପ୍ରଥମ ଓଡ଼ିଆ ଭାବେ ପଦକ ଜିତିଥିଲେ। ଅନ୍ୟ ଏକ ବର୍ଗ ‘ନେ ୱାଜା’‌ରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ତେବେ ‘ନେ ୱାଜା’ର ପଞ୍ଚମ ସ୍ଥାନରେ ରହି ୨୦୨୨ ଏସୀୟ କ୍ରୀଡ଼ା ଲାଗି ଟିକେଟ ହାସଲ କରିବା ଦୌଡ଼ରେ ସାମିଲ ହୋଇଛନ୍ତି ଅନୁପମା। ଚୀନ୍‌ର ହାଙ୍ଗଝୁଠାରେ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ାର ପରବର୍ତୀ ସଂସ୍କରଣରେ ଜୁ-ଜୁଟ୍‌ସୁର ‘ନେ ୱାଜା’ ସାମିଲ ରହିଛି। ବିଶ୍ବ ପ୍ରତିଯୋଗିତାର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଥିବାରୁ ଅନୁପମା ଏହି ଖେଳ ଲାଗି ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଏଥିଲାଗି ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ନିଜ ମାନ୍ୟତା ବଜାୟ ରଖିବାକୁ ହେବ। ମାନ୍ୟତା କମିଲେ କିମ୍ବା ପ୍ରଦର୍ଶନ ବଜାୟ ରଖି ନପାରିଲେ ସେ ଏସୀୟ ଟିକେଟ ହାସଲ କରିବାରୁ ବଞ୍ଚିତ ହେବେ।

ଏହି ବିରଳ ସଫଳତାର ଶ୍ରେୟ ଅନୁପମା ନିଜ ପ୍ରଶିକ୍ଷକ ହରି ପ୍ରସାଦ ପଟ୍ଟନାୟକଙ୍କୁ ଦେଇଛନ୍ତି। ଏହି ପ୍ରତିଯୋଗିତାରେ ବହୁ ଅଭିଜ୍ଞ ଓ ଶକ୍ତିଶାଳୀ ଖେଳାଳି ଅଂଶ ଗ୍ରହଣ କରିଥିଲେ। ହେଲେ ହରି ସାର୍‌ଙ୍କ ପ୍ରଶିକ୍ଷଣ ପାଇଁ ମୁଁ ସେମାନଙ୍କୁ ପଛରେ ପକାଇ ପାରିଥିଲି। ଅଧିକ ପ୍ରଶିକ୍ଷଣ ନେଲେ ମୁଁ ଆହୁରି ଭଲ କରି ପାରିବି ବୋଲି ଅନୁପମା କହିଛନ୍ତି। ନେ ୱାଜାରେ ସ୍ବର୍ଣ୍ଣ ପଦକ ବିଜୟିନୀ ଫିଲିପାଇନ୍ସ ପ୍ରତିଯୋଗୀ ସବୁଠାରୁ ଶକ୍ତିଶାଳୀ ଥିଲେ। ମୁଁ ତାଙ୍କଠାରୁ ହାରିଥିବାରୁ ରିପୋ-ଚେଜ୍‌ରେ ଲଢ଼ିବାର ସୁଯୋଗ ପାଇଥିଲି। ହେଲେ ପଦକ ରାଉଣ୍ଡରେ ବିପଜ୍ଜନକ କୌଶଳ ପାଇଁ ଅଯୋଗ୍ୟ ଘୋଷିତ ହୋଇ ପଦକରୁ ବଞ୍ଚିତ ହୋଇଥିଲି ବୋଲି ଅନୁପମା ତାଙ୍କ ପାଇଁ ଆୟୋଜିତ ସମ୍ବର୍ଧନା ସଭାରେ ସୂଚନା ଦେଇଥିଲେ।

ଉତ୍କଳ କରାଟେ ‌ସ୍କୁଲ୍‌ରେ ଭବ୍ୟ ସମ୍ବର୍ଧନା

ବିଶ୍ବ ସାମରିକ କଳା ମାଷ୍ଟରସିପ୍‌ର ‘ଜୁ-ଜୁଟ୍‌ସୁ’ ଖେଳରେ ପଦକ ଜିତି ଓଡ଼ିଶା ଫେରିବା ପରେ ଅନୁପମାଙ୍କୁ ଉତ୍କଳ କରାଟେ ସ୍କୁଲଠାରେ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ବୁଧବାର ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶା ଜୁ-ଜୁଟସୁ ସଂଘର ସଭାପତି ଗୌରୀ ମହାନ୍ତି, ଉପସଭାପତି ଚିତ୍ତରଂଜନ ସ୍ବାଇଁ, ପ୍ରଶିକ୍ଷକ ହରି ପ୍ରସାଦ ପଟ୍ଟନାୟକ, ହିମାଂଶୁ ଶେଖର ଦାସ, ମିର ଅଜମତ ଅଲ୍ଲୀ, ଅବିନାଶ ଫୁନ୍ଦର, ଯିଶୁ କର, ଜାନକି ବଲ୍ଲଭ ମିଶ୍ର, ଦେବାଶିଷ ଆଚାର୍ଯ୍ୟ, ଅନ୍ତର୍ଜାତୀୟ କରାଟେକା ଦିଲୀପ କୁମାର ଜେନା, ସୁସ୍ମିନ୍ ପାଲଟାସିଂହ, ସିନ୍ଧୁ ତନୟା ଖୁଣ୍ଟିଆ, ମଧୁପ୍ରିୟା, ଅନ୍ତର୍ଜାତୀୟ ଭାରୋତ୍ତୋଳନ ତାରକା ଶୁଭସ୍ମିତା ମହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏହି ଉତ୍ସବରେ ଯୋଗଦେଇ ପାରି ନଥିଲେ। ତେବେ ସେ ନିଜ ଶୁଭେଚ୍ଛା ବାର୍ତା ପଠାଇଥିଲେ। ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅନୁପମା ଜୁ-ଜୁଟ୍‌ସୁ ଛଡ଼ା ଶକ୍ତି ଉତ୍ତୋଳନର ଏସୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ମଧ୍ୟ କରାଟେରେ ରାଜ୍ୟଗୋଷ୍ଠୀ ପଦକ ପାଇଛନ୍ତି।

ନିଯୁକ୍ତି ନିୟମର ସମୀକ୍ଷା ପାଇଁ ଅନୁରୋଧ

ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା ନିଯୁକ୍ତି ନିୟମର ସମୀକ୍ଷା କରିବାକୁ ଅନୁପମା ଆହ୍ବାନ କରିଛନ୍ତି। ଶୀର୍ଷସ୍ତରୀୟ ଖେଳାଳିଙ୍କ ଡାଏଟ୍, ପ୍ରଶିକ୍ଷଣ ସବୁକିଛି ଭିନ୍ନ ଓ ସ୍ବତନ୍ତ୍ର ହୋଇଥିବାରୁ ସେମାନଙ୍କୁ ଶୀଘ୍ର ପଦୋନ୍ନତି ଦେବାକୁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି। ଅନୁପମା କହିଛନ୍ତି ଯେ ଓଡ଼ିଶାରେ ଆଗରୁ କିଛି ନଥିଲା। ଏବେକାର ସରକାର ହିଁ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦେବା ଲାଗି ସ୍ବତନ୍ତ୍ର ନୀତି ପ୍ରଣୟନ କରିଥିଲେ। ଯାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ପାଞ୍ଚ ବର୍ଷ ବିତିଯିବା ପରେ ଏହି ନୀତିର ସମୀକ୍ଷା ହେବା ଦରକାର। ଖେଳାଳିମାନେ ଅକ୍ଳାନ୍ତ ପରିଶ୍ରମ କରନ୍ତି। ଏଣୁ ପ୍ରଦର୍ଶନ ମୁତାବକ କର୍ମସଂସ୍ଥାନ ଯଦି ନମିଳେ, ତାହାଲେ ବହୁତ ଦୁଃଖ ଲାଗେ। ବୟସ ବଢ଼ିବା ସହ ସେମାନଙ୍କୁ ପ୍ରାୟୋଜକ ମଧ୍ୟ ମିଳନ୍ତିନି। ସେଥିପାଇଁ ସେମାନେ ଖେଳିବା ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି। କାରଣ ଯେତିକି ଦରମା ମିଳେ, ତାହା ସେମାନଙ୍କ ଖର୍ଚ ପାଇଁ ପର୍ଯ୍ୟାପ୍ତ ହୋଇ ନଥାଏ।

କ୍ରୀଡ଼ା କୋଟାରେ ନିଯୁକ୍ତି ପାଇଥିବା କିଛି ସକ୍ରିୟ ଖେଳାଳିଙ୍କୁ ବିଭାଗୀୟ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବାର ଉଦାହରଣ ମଧ୍ୟ ରହିଛି। ମୋ ମତରେ ଅଫିସିଆଲ ଡ୍ୟୁଟି କରି ଖେଳ କେବେବି ଜାରି ରଖି ହୁଏନି। ଖେଳର ପ୍ରତିଦ୍ବନ୍ଦ୍ବିତା, ଲୋକପ୍ରିୟତା ଏବଂ ସ୍ତର ଦେଖି ଖେଳାଳିଙ୍କୁ ନିଯୁକ୍ତି ଦିଆଯାଉ। ସମସ୍ତଙ୍କୁ ଗୋଟିଏ ତରାଜୁରେ ତଉଲିବା ଠିକ୍ ନୁହେଁ। ଓଡ଼ିଶା ପୁଲିସରେ ନିଯୁକ୍ତି ଦେଇଥିବାରୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞ। ହେଲେ ଏଥିରେ ମୁଁ ଆଦୌ ଖୁସି ନୁ‌ହେଁ ବୋଲି ଅନୁପମା କହିଛନ୍ତି।

ସମ୍ବନ୍ଧିତ ଖବର