ଅନୁପମାଙ୍କ ଅକାଳ ବିୟୋଗ, କରୋନାରେ ଚାଲିଗ‌ଲେ ଭାରତର ପ୍ରଥମ ଅନ୍ତର୍ଜାତୀୟ ହକି ମହିଳା ଅମ୍ପାୟାର

ମାଦିକେରି (କର୍ଣ୍ଣାଟକ): କରୋନା ମହାମାରୀ ପାଇଁ କ୍ରୀଡ଼ା ଜଗତର ଅକଳ୍ପନୀୟ କ୍ଷତି ଘଟିଛି। ଭାରତୀୟ ହକି ମଧ୍ୟ ଏଥିରୁ ବର୍ତ୍ତି ପାରିନି। ରବିବାର ଦେଶର ପ୍ରଥମ ଅନ୍ତର୍ଜାତୀୟ ହକି ମହିଳା ଅମ୍ପାୟାର ଅନୁପମା ପୁଚିମନ୍ଦାଙ୍କର କରୋନାରେ ପରଲୋକ ହୋଇଯାଇଛି। ଯାହା ଭାରତ ସହ ସମଗ୍ର ବିଶ୍ବର ହକି ଜଗତକୁ ଦୋହରାଇ ଦେଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ ପୁନର୍ବାର ପ୍ରସ୍ତୁତିପର୍ବ ଆରମ୍ଭ କରିବା ଲାଗି ଭାରତୀୟ ମହିଳା ହକି ଦଳର ଖେଳାଳିମାନେ ବେଙ୍ଗାଲୁରୁ ସାଇ କେନ୍ଦ୍ରକୁ ଫେରିଥିଲା ବେଳେ କରୋନା ସଂକ୍ରମଣରେ ଅନୁପମାଙ୍କ ଅକାଳ ବିୟୋଗ ସେମାନଙ୍କୁ ମଧ୍ୟ ଦୋହଲାଇ ଦେଇଛି।

୧୯୮୦ ମସିହା ଜୁଲାଇ ୮ରେ ଜନ୍ମଗ୍ରହଣ କରିଥିବା ଅନୁପମା କର୍ଣ୍ଣାଟକର କୋଡାଗୁର ବେଥୁ ଗ୍ରାମର ମୂଳ ବାସିନ୍ଦା ଥିଲେ। ବିଶ୍ବ କନିଷ୍ଠ ହକି, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମେତ ୮୮ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ରେ ସେ ସଫଳତାର ସହ ରେଫରି ଦାୟିତ୍ବ ତୁଲାଇଥିଲେ। ୨୦୦୪ ମସିହାରେ ଅମ୍ପାୟାରିଂ ଆରମ୍ଭ କରିଥିବା ଅନ୍ତର୍ଜାତୀୟ ହକି ମ୍ୟାଚ୍ ପରିଚାଳନା କରିବାରେ ପ୍ରଥମ ଭାରତୀୟ ମହିଳା ଥିଲେ। ସେ ମଧ୍ୟ କନିଷ୍ଠ ସ୍ତରୀୟ ଓ ଜାତୀୟ ବରିଷ୍ଠ ମହିଳା ହକିରେ କର୍ଣ୍ଣାଟକର ପ୍ରତିନିଧିତ୍ବ କରିଥିଲେ। ତାଙ୍କ ବିୟୋଗରେ ହକି ଇଣ୍ଡିଆ‌, ଅନ୍ତର୍ଜାତୀୟ ହକି ମହାସଂଘ ଓ ଦେଶର ବହୁ ନାମୀଦାମୀ ହକି ତାରକା ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର