ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କରିବେ ଅନୁରାଧା ଓ ସଞ୍ଜୟ

ଭୁବନେଶ୍ବର: ୨୦୨୪ ଓ ୨୦୨୮ ଅଲିମ୍ପିକ୍ସକୁ ନଜରରେ ରଖି ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତା ଲାଗି ଜାତୀୟସ୍ତରରୁ ପ୍ରତିଭା ଅନ୍ବେଷଣ କରିବେ ଓଡ଼ିଶାର ଦୁଇ ଦୌଡ଼କୁଦ ବ୍ୟକ୍ତିତ୍ବ ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ ଏବଂ ବିଶିଷ୍ଟ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଉଭୟଙ୍କୁ ଏଭଳି ନିଯୁକ୍ତି ପ୍ରଦାନ କରାଯାଇଛି। ୧୦୦ ମିଟର ବାଧାଦୌଡ଼ର ଜାତୀୟ ରେକର୍ଡଧାରୀ ଅନୁରାଧା ବିଶ୍ବାଳଙ୍କୁ ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ପୂର୍ବାଞ୍ଚଳ ଜୋନ୍ ପାଇଁ ଦାୟିତ୍ବ ଅର୍ପଣ କରାଯାଇଛି। ତୃଣମୂଳସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ସହ ଓଡ଼ିଶା ଖେଳାଳିଙ୍କୁ ଏହା ସ‌ୁଯୋଗ ଦେବ ବୋଲି କହିଛନ୍ତି ଅନୁରାଧା। ଓଡ଼ିଶା ସମେତ ୧୪ ପୂର୍ବାଞ୍ଚଳ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ପ୍ରତିଯୋଗିତାରୁ ଅନୁରାଧା ଖେଳାଳି ଚୟନ କରିବେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ସଞ୍ଜୟ ଗଡ଼ନାୟକଙ୍କୁ‌ ଦୌଡ଼କୁଦ ପ୍ରତିଭା ଅନ୍ବେଷଣ ଲାଗି ମଧ୍ୟ ନିଯୁକ୍ତ କରାଯାଇଛି। ଟିଆଇଡିସି (ଟ୍ୟାଲେଣ୍ଟ୍ ଆଇଡେଣ୍ଟିଫିକେସନ୍‌ ଡେଭ୍‌ଲପମେଣ୍ଟ୍‌ କମିଟି)ର ସଦସ୍ୟ ଭାବେ ‘ସାଇ’ ଶ୍ରୀ ଗଡ଼ନାୟକଙ୍କୁ ମନୋନୀତ କରିଛ୍ତି। ସୂଚନାଯୋଗ୍ୟ, ନାଲକୋରେ ନିଯୁକ୍ତ ଅନୁରାଧା ପୂର୍ବରୁ ବିଜୁ ପଟ୍ଟନାୟକ ଜୀବନବ୍ୟାପୀ କ୍ରୀଡ଼ା ପୁରସ୍କାର ଏବଂ କିଟ୍‌ରେ ନିଯୁକ୍ତ ସଞ୍ଜୟ ଗଡ଼ନାୟକ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ଭାବେ ପୁରସ୍କୃତ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର