ନୂଆଦିଲ୍ଲୀ: ଏକ ଅପ୍ରୀତିକର ପରିସ୍ଥିତି ଭିତରେ ହାଙ୍ଗଝୌ ଏସୀୟ କ୍ରୀଡ଼ାରୁ ବଞ୍ଚିତ ହୋଇଛନ୍ତି ୩ ଜଣ ସାମରିକ କଳା କ୍ରୀଡ଼ାବିତ୍। ଚୀନ ସରକାର ଏହି ୩ ଅରୁଣାଚଳ ପ୍ରଦେଶ ଖେଳାଳିଙ୍କୁ ଭିସା ପ୍ରଦାନ କରିବାକୁ ମନା କରି ଦେଇଛି। ଏହି ୩ ମହିଳା ଖେଳାଳି ଉଷୁରେ ଅଂଶଗ୍ରହଣ କରିଥାନ୍ତେ। ଏମାନଙ୍କୁ ଭିସା ନ ମିଳିବାରୁ ୧୦ ଜଣିଆ ଭାରତୀୟ ଉଷୁ ଦଳ ଚୀନ ଗସ୍ତ କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ‘ଗ୍ରହଣୀୟ ନୁହେଁ’ ବୋଲି ବର୍ଣ୍ଣନା କରିଥିଲେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାର କରିପାରିନାହିଁ। ସମାନ କାରଣ ପାଇଁ ଗତ ଜୁଲାଇ ମାସରେ ମଧ୍ୟ ଚୀନର ଚେଙ୍ଗଡ଼ୁରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସେହି ୩ ଜଣ ଉଷୁ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିପାରିନଥିଲେ। ଅବଶ୍ୟ ବିଳମ୍ବରେ ହେଲେ ମଧ୍ୟ ଏହାକୁ ପ୍ରତିବାଦ କରିବାକୁ ଯାଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ପ୍ରସ୍ତାବିତ ଚୀନ ଗସ୍ତକୁ ବାତିଲ କରି ଦେଇଛନ୍ତି।

Advertisment

କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳର ନିବାସୀ କିମ୍ବା ଜାତି ସମ୍ପଦାୟ ଭିତିରେ ଭିସା ପ୍ରଦାନ କରାଯିବା ଏସୀୟ କ୍ରୀଡ଼ା ସଂହିତା ଉଲ୍ଲଂଘନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ (ଓସିଏ) ମଧ୍ୟ ସ୍ପଷ୍ଟ କରିଛି ଯେ, ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ଚୀନ ଆସିବାକୁ ଭିସା ପ୍ରଦାନ କରାଯାଇଛି। ଆୟୋଜନ ସମିତିର ‌‌ନୈତିକ ସମିତି ମଧ୍ୟ ଅନୁରୂପ ପ୍ରତିକ୍ରିୟା ରଖିଛି। କିନ୍ତୁ ‌କେଉଁଠି ଯୋଗାଯୋଗର ଅଭାବ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ‌ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ଚୀନ ପକ୍ଷରୁ ଦିଆଯାଇଥିବା ଭିସା ଅବୈଧ ବୋଲି ଅଭିଯୋଗ କରି ଭାରତ ଶୁକ୍ରବାର ବିଧିବଦ୍ଧ ଭାବେ ମଧ୍ୟ ଏହାର ପ୍ରତିବାଦ କରିଛି।