ଭୁବନେଶ୍ବର : ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଆବୁଧାବିରେ ଆୟୋଜିତ ହେବାକୁ ଯାଉଥିବା ଏସୀୟ ଜୁ-ଜୁଟ୍ସୁ ପ୍ରତିଯୋଗିତାରେ ଭାଗନେବା ପାଇଁ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଅନୁପମା ସ୍ବାଇଁ ମନୋନୀତ ହୋଇଛନ୍ତି। ଫଳରେ ଅନୁ ଶୁକ୍ରବାର ଭୁବନେଶ୍ବରରୁ ନୂଆଦିଲ୍ଲୀ ବାଟଦେଇ ଆବୁଧାବି ଯାତ୍ରା କରିଛନ୍ତି। ଅନୁ ଏହି ପ୍ରତିଯୋଗିତାରେ ନେ ୱାଜା, ଫାଇଟିଂ ସିଷ୍ଟମ ଏବଂ କଣ୍ଟାକ୍ଟ ଜୁ-ଜୁଟ୍ସୁ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବେ। ଆଗାମୀ ୨୦୨୨ ଏସୀୟ କ୍ରୀଡ଼ା ଜୁ-ଜୁଟ୍ସୁ ପ୍ରତିଯୋଗିତା ପାଇଁ ନିର୍ଣ୍ଣାୟକ ହେବ।
ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅନୁ ଉତ୍କଳ କରାଟେ ସ୍କୁଲ୍ରେ ଶିକ୍ଷାଲାଭ କରି ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ଥାଇଲାଣ୍ଡ ଓପନ୍ ଜୁ-ଜୁଟ୍ସୁରେ ସ୍ବର୍ଣ୍ଣ, ବିଶ୍ବ ସାମରିକ କଳା ମାଷ୍ଟର୍ସ ଜୁ-ଜୁଟ୍ସୁରେ କାଂସ୍ୟ, ଜାତୀୟ ଜୁ-ଜୁଟ୍ସୁ ପ୍ରତିଯୋଗିତାରେ ୩ ବର୍ଷ ଧରି ଲଗାତାର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏସୀୟ ପ୍ରତିଯୋଗିତାର ସେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ ବୋଲି ଉତ୍କଳ କରାଟେ ସ୍କୁଲ୍ ପ୍ରତିଷ୍ଠାତା ତଥା ଅନୁଙ୍କ ପ୍ରଶିକ୍ଷକ ଡଃ ହରିପ୍ରସାଦ ପଟ୍ଟନାୟକ, ଜାତୀୟ/ଅନ୍ତର୍ଜାତୀୟ ଖେଳାଳି ଗୌରୀ ମହାନ୍ତି, ଚିନ୍ମୟୀ ଭୂୟାଁ, ମୋନାଲି ସାହୁ, ଲଳିତ ସାହୁ, ମୀର୍ ଅଜମଦ୍ ଅଲ୍ଲୀ, ହିମାଂଶୁ ଶେଖର ଦାସ, ସନ୍ଦୀପ ଦାସ ପ୍ରମୁଖ ଆଶା ବ୍ୟକ୍ତ କରିବା ସହିତ ଅନୁଙ୍କ ସଫଳତା କାମନା କରିଛନ୍ତି।