ଅନୁଷ୍କା ଓ ସାକ୍ଷୀ ସ୍କୁଲ୍‌ ବେଳର ସାଙ୍ଗ, ଗୋଟିଏ ସ୍କୁଲ୍‌ ଓ ଏକା ଶ୍ରେଣୀରେ ପଢୁଥିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଏବର ଅଧିନାୟକ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ସ୍କୁଲ୍‌ ବେଳର ବାନ୍ଧବୀ ଥିଲେ। ଉଭୟ ଗୋଟିଏ ସ୍କୁଲ୍‌ରେ ଏକା ଶ୍ରେଣୀରେ ପାଠ ପଢୁଥିଲେ। ଦୁହେଁ ସେତେବେଳଠୁ ଖୁବ୍‌ ଭଲ ସାଙ୍ଗ ଥିଲେ ବୋଲି ଏବେ ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ ହେବାରେ ଲାଗିଛି। ସ୍କୁଲ୍‌ ସମୟର ଏବଂ ସ୍କୁଲ୍‌ର ଏକ ଉତ୍ସବ ସମୟର ଦୁଇଟି ଫଟୋରେ ଉଭୟ ସାକ୍ଷୀ ଓ ଅନୁଷ୍କାଙ୍କୁ ଦେଖିବାକୁ ମିଳିଛି। ଅନ୍ୟ ଦୁଇଟି ଫଟୋରେ ଉଭୟଙ୍କୁ ସେମାନଙ୍କ ଅନ୍ୟାନ୍ୟ ସାଙ୍ଗମାନଙ୍କ ସହ ଦେଖିବାକୁ ମିଳିଛି।

ଅନୁଷ୍କାଙ୍କ ବାପା ଅବସରପ୍ରାପ୍ତ ଆର୍ମି ଅଫିସର କର୍ଣ୍ଣେଲ ଅଜୟ କୁମାର ଶର୍ମା ଆସାମରେ ଅବସ୍ଥାପିତ ହୋଇଥିଲେ। ସେତେବେଳେ ଅନୁଷ୍କା ସେଣ୍ଟ୍‌ ମେରି ସ୍କୁଲ୍‌ରେ ପାଠ ପଢୁଥିଲେ। ଆଉ ସେହି ସ୍କୁଲ୍‌ରେ ମଧ୍ୟ ସାକ୍ଷୀ ପଢୁଥିଲେ। ୧୯୯୪ ମସିହାରୁ ଉଭୟ ଗୋଟିଏ ଶ୍ରେଣୀରେ ପଢୁଥିବାରୁ ବେଶ୍‌ ଭଲ ସାଙ୍ଗ ଥିଲେ। ଏବେ ଅନେକ ବର୍ଷ ପରେ ଉଭୟଙ୍କ ସ୍କୁଲ୍‌ ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

୨୦୧୩ରେ ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ, ସେ ଓ ସାକ୍ଷୀ ଆସାମର ଏକ ଛୋଟ ସହରରେ ଏକାଠି ରହୁଥିଲେ। ହେଲେ ପରବର୍ତୀ ସମୟରେ ଜାଣିବାକୁ ପାଇଥିଲେ ଯେ ଉଭୟେ ଗୋଟିଏ ସହରରେ ରହୁଥିଲେ ଏବଂ ଗୋଟିଏ ସ୍କୁଲ୍‌ରେ ଏକା ଶ୍ରେଣୀରେ ପଡୁଥିଲେ। ପାଠପଢା ଜୀବନ ପରେ ଅନୁଷ୍କା ଅଭିନେତ୍ରୀ ବନି ଯାଇଥିଲା ବେଳେ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ୍‌ ପଡିବାକୁ ଚାଲିଯାଇଥିଲେ। ପରେ ସାକ୍ଷୀ ଭାରତୀୟ କ୍ରିକେଟ୍‌ର ଧୋନିଙ୍କୁ ବିବାହ କରିଥିଲେ। ସେହିପରି ଏହାର କିଛି ବର୍ଷ ପରେ ଅନୁଷ୍କା ମଧ୍ୟ କ୍ରି‌କେଟର୍‌ ବିରାଟଙ୍କୁ ବିବାହ କଲେ। ଏବେ ଉଭୟ ସାକ୍ଷୀ ଓ ଅନୁଷ୍କା ମାତୃତ୍ବ ଲାଭ କରି ସାରିଲେଣି। ଉଭୟ ମଧ୍ୟ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଅନୁଷ୍କାଙ୍କ କନ୍ୟାର ନାମ ଭାମିକା ଏବଂ ସାକ୍ଷୀଙ୍କ କନ୍ୟାର ନାମ ଜୀଭା ରହିଛି।

ସମ୍ବନ୍ଧିତ ଖବର