ଅନୁଷ୍କା ମୋ ଶକ୍ତି ସ୍ତମ୍ଭ: ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ଘନିଷ୍ଠତା ସେମାନଙ୍କ ପାଇଁ ସମ୍ପତ୍ତି ଭଳି। ମାନସିକତାରେ ପରିବର୍ତନ ଏବଂ ଖରାପ ସମୟରେ ନକାରାତ୍ମକ ଶକ୍ତିକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ନଦେବାରେ ଅନୁଷ୍କାଙ୍କ ଭୂମିକା ରହୁଥିବାରୁ କୋହଲି ବହୁବାର ତାଙ୍କ ପ୍ରଶଂସା କରିବାକୁ ପଛାଇନଥା’ନ୍ତି। ଶୁକ୍ରବାର କୋହଲି ମଧ୍ୟ ଏଭଳି କିଛି କଥା କହିଛନ୍ତି। ମାନସିକ ସ୍ତରରେ କୌଣସି ଜଟିଳତା ଆସିଲେ ଆମେ ବିସ୍ତୃତ ଭାବେ ଆଲୋଚନା କରିଥାଉ। ଏହାଦ୍ବାରା ସବୁ ନକାରାତ୍ମକ ଶକ୍ତିକୁ ବାହାରକୁ କାଢ଼ି ‌ହୋଇଯାଏ। ଏହି କାରଣରୁ ଆମ ସମ୍ପର୍କ ଦିନଠାରୁ ହିଁ ଅନୁଷ୍କା ମୋତେ ଭଲ ମଣିଷ ଭାବେ ଗଢ଼ି‌ ତୋଳିବାରେ ପ୍ରମୁଖ ଭୂମିକା ନେଇଛନ୍ତି।‌ ଅନୁଷ୍କା ମୋ ପାଇଁ ‘ଶକ୍ତିର ସ୍ତମ୍ଭ’ ବୋଲି ମଧ୍ୟ କୋହଲି କହିଛନ୍ତି। ‘ନଟ୍‌ ଜଷ୍ଟ୍ କ୍ରିକେଟ୍‌’ ଶୀର୍ଷକ ଏକ ପଡକାଷ୍ଟ୍‌ରେ ଇଂଲଣ୍ଡର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ମାର୍କ ନିକୋଲାସଙ୍କ ସହ ଆଲୋଚନା ବେଳେ କୋହଲି ଏଭଳି କଥା କହିଛନ୍ତି।

‘ସେ ମୋ ପରିସ୍ଥିତି ବୁଝିଥାଏ, ମୁଁ ବି ତାଙ୍କ ସୁବିଧା ଅସୁବିଧାକୁ ଭଲ ଭାବେ ବୁଝିପାରେ’। ଆପଣ ଯେଭଳି ଭାବୁଥିବେ ଜୀବନସାଥୀ ସେଭଳି ବୁଝାମଣା ରଖିବା କଥା। ମୁଁ ଜାଣିନାହିଁ ମୋ ଜୀବନରେ ‌ଅନୁଷ୍କା ନ ଥିଲେ ମୁଁ ସେତେ ସ୍ବଚ୍ଛ ତଥା ପବିତ୍ର ହୋଇପାରିଥା’ନ୍ତି କି ନା। କୋହଲି ମଧ୍ୟ ମାନସିକ ଦୃଢ଼ତା ଆଣିବାରେ ସଚିନ ତେନ୍ଦୁଲକରଙ୍କ ପରାମର୍ଶକୁ କାମରେ ଲଗାଇଥିବା ସ୍ବୀକାର କରିଥିଲେ। କ୍ରିକେଟରେ ଯଦି ଆପଣ ବାରମ୍ବାର ନକାରାତ୍ମକ ଅନୁଭବ ପାଉଛ ତେବେ ଏହ‌ାକୁ ଅଣଦେଖା କରି ପଛରେ ପଡ଼ିବାକୁ ଦିଅ ବୋଲି ସଚିନ କହିଥିଲେ। ଆପଣ ଯଦି ନକାରାତ୍ମକ ଦିଗ ସହ ଲଢ଼ିବାକୁ ଚେଷ୍ଟା କରିବ ତେବେ ଏହା ଅଧିକ ଦୃଢ଼ ହୋଇଯିବ। ସଚିନଙ୍କ ସେହି ଉପଦେଶକୁ ମୁଁ ବୋର୍ଡରେ ଲେଖିବା ଦିନଠାରୁ‌ ମୋ ମାନସିକତା ଖୋଲା ହୋଇଯାଇଥିଲା ବୋଲି କୋହଲି ପ୍ରକାଶ କରିଥିଲେ।

୨୦୧୪ ଇଂଲଣ୍ଡ ଗସ୍ତରେ ଅବସାଦଗ୍ରସ୍ତ
କେବଳ ଭାରତୀୟ ଦଳ ପାଇଁ ନୁହେଁ ୨୦୧୪ ମସିହାର ଇଂଲଣ୍ଡ ଗସ୍ତ ଯୁବ‌ ଖେଳାଳି ବିରାଟ କୋହଲିଙ୍କ ପାଇଁ ଅଭୁଲା ବିଫଳତାର ବର୍ଷଟିଏ ଥିଲା। ବ୍ୟାଟିଂରେ କୋହଲି ଏତେ ବିଫଳ ହୋଇଥିଲେ ଯେ ତାଙ୍କୁ ‘ବିଶ୍ବର ନିରୋଳା ମଣିଷଟିଏ’ ଭଳି ଅନୁଭବ ଆସିଥିଲା। ଶୁକ୍ରବାର କୋହଲି ମଧ୍ୟ ନିକୋଲାସଙ୍କ ସହ ଆଲୋଚନା ବେଳେ ଏହି କଥାକୁ ସ୍ବୀକାର କରିଥିଲେ। ‘ହଁ ମୁଁ ଗୋଟିଏ ସମୟରେ ଅବସାଦଗ୍ରସ୍ତ ହୋଇପଡ଼ିଥିଲି। ରନ୍‌ ମିଳୁନଥିବା ବେଳେ ସକାଳୁ ଉଠିବା ସମୟରେ ଏହି କଥା ଭାବିବା ଭଲ ଅନୁଭବ ଦେଇନଥାଏ। ମୁଁ ଭାବୁଛି ପ୍ରତି ବ୍ୟାଟ୍ସମ୍ୟାନଙ୍କ ‌କ୍ଷେତ୍ରରେ ଗୋଟିଏ ସମୟରେ ଏଭଳି ଘଟିଥାଏ, ଯାହାକି କାହାରି ନିୟନ୍ତ୍ରଣରେ ନଥାଏ’ ବୋଲି କୋହଲି ପ୍ରକାଶ କରିଥିଲେ। ଖରାପ ପରିସ୍ଥିତିରୁ କିପରି ବାହାରିବାକୁ ହୁଏ ବୁଝିପାରୁନଥାଏ, ଏଭଳି ଅନୁଭବ ଆସୁଥିଲା ଯେଭଳି ବିଶ୍ବରେ ମୁଁ ଏକା ରହିଛି। ସୂଚନାଯୋଗ୍ୟ, କୋହଲି ‌ସେହି ଗସ୍ତରେ ବ୍ୟକ୍ତିଗତ ଭାବେ ବିଫଳ ହୋଇ କ୍ରମାନ୍ବୟରେ ୧, ୮, ୨୫, ୦, ୩୯, ୨୮, ୦, ୭, ୬, ୨୦ ରନ୍‌ କରିଥିଲେ। ୧୦ ପାଳିରେ ୧୩.୫୦ ହାରରେ ବ୍ୟାଟିଂ କରିବାରୁ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ। ଅନେକ ଖେଳାଳି ମାସ ମାସ ଏପରିକି ସମ୍ପୂର୍ଣ୍ଣ ଋତୁ ଏଭଳି ପରିସ୍ଥିତିରେ ପଡ଼ି ବାହାରି ପାରନ୍ତି ନାହିଁ। ମୁଁ ଦୃଢ଼ ଭାବେ ଅନୁଭବ କରେ ଏଥିପାଇଁ ପେସାଦାର ସହାୟତାର ଆବଶ୍ୟକତା ରହିଛି। ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ଏଡ଼ାଇ ଦିଆଗଲେ ଏହ‌ା ଜଣଙ୍କ ଖେଳ ଜୀବନକୁ ନଷ୍ଟ କରିଦେଇପାରେ ବୋଲି ମଧ୍ୟ କୋହଲି ସତର୍କ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର