ମୁମ୍ବାଇ: ଲଣ୍ଡନରେ ପାର୍ଟି ନକରି କୀର୍ତ୍ତନକୁ ଗଲେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ଗୁରୁବାର ଘରକୁ ବାହୁଡ଼ିଥିଲା ଭାରତୀୟ ଦଳ। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲା ବେଳେ ୧୭ ବର୍ଷ ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟ୍ରଫି ସହ ରୋହିତ ଶର୍ମାଙ୍କ ଦଳ ସ୍ବଦେଶ ଫେରିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ‌ସମସ୍ତଙ୍କୁ ଭବ୍ୟ ସ୍ବାଗତ ଜଣାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସକ୍ଷାତ ଆଲୋଚନା କରିଥିଲେ ଭାରତୀୟ ଖେଳାଳିମାନେ। ପରେ ସନ୍ଧ୍ୟା ବେଳେ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ ଓ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳିଥିଲେ।

Advertisment

ଏସବୁ କାର୍ଯ୍ୟକ୍ରମ ଶେଷ ହେବା ପରେ ଲଣ୍ଡନ ଯାଇଥିଲେ ବିରାଟ। କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ, ନିଜ ପିଲାମାନଙ୍କୁ ସାଧାରଣ ଜୀବନ ଦେବା ପାଇଁ ବିରାଟ ଓ ଅନୁଷ୍କା ଦୁହେଁ ଭାରତ ଛାଡ଼ି ଲଣ୍ଡନରେ ରହିବା ଆରମ୍ଭ କରିଛନ୍ତି। ଏହି ଚର୍ଚ୍ଚା ମଧ୍ୟ‌ରେ ଦୁହେଁ ଏବେ ଇସ୍କନ ମନ୍ଦିର ଯାଇ କୀର୍ତ୍ତନରେ ଯୋଗଦେଇଥିବାର ଭିଡିଓ ଭାଇରାଲ ହେଉଛି। ମୁମ୍ବାଇରେ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାର୍ଟିରେ ଅନେକ କ୍ରିକେଟର ଯୋଗ ଦେଉଥିବା ବେଳେ ବିରାଟ, ପତ୍ନୀ ଅନୁଷ୍କାଙ୍କ ସହ କୀର୍ତ୍ତନରେ ଯୋଗ ଦେବାଟା ଲୋକଙ୍କ ମନ କିଣିଛି।

ଭିଡିଓରେ ଇସ୍କନରେ ଦର୍ଶନ କରିବା ପରେ ସେଠାରେ ଆୟୋଜିତ ହୋଇଥିବା କୀର୍ତ୍ତନରେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି।