ଗୃହାବଦ୍ଧରେ ଥିଲାବେଳେ ପତି ବିରାଟ କୋହଲି ଓ ପୋଷା କୁକୁର ସହ ଉଠାଇଥିବା ଏକ ଆକର୍ଷଣୀୟ ଫଟୋ ଛାଡ଼ିଲେ ଅନୁଷ୍କା‌

ନୂଆଦିଲ୍ଲୀ : ଗୃହାବଦ୍ଧରେ ଥିଲାବେଳେ ପତି ବିରାଟ କୋହଲି ଓ ପୋଷା କୁକୁର ସହ ଉଠାଇଥିବା ଏକ ଆକର୍ଷଣୀୟ ଫଟୋକୁ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। କଠିନ ସମୟରେ ପରିବାର ସହ ସମୟ କଟାଇବାର ମହତ୍ବ ଓ ଏକାନ୍ତବାସରେ ପାଇଥିବା ଉଚିତ ଶିକ୍ଷାକୁ ନେଇ ସେ ମଧ୍ୟ ଏକ ସାରମର୍ମକ ଲେଖା ଏହି ଫଟୋ ତଳେ ଲେଖିଛନ୍ତି। ଫଟୋଟିରେ ବିରାଟ ଓ ଅନୁଷ୍କା ଚଟାଣରେ ଶୋଇ ପୋଷା କୁକୁର ସହ ଖେଳୁଥିବା ଦେଖିବାକୁ ମିଳୁଛି।

ଅନୁଷ୍କା ଏହା ପରେ ଲେଖିଛନ୍ତି ଯେ ପ୍ରତ୍ୟେକ କଳା ବାଦଲ ଭିତରେ କିଛି ନା କିଛି ସକାରାତ୍ମକ କଥା ଲୁଚି ରହିଥାଏ। ସାଂପ୍ରତିକ ସମୟ ଯଦିବା ଆମ ପାଇଁ ଅନେକ ଆହ୍ବାନ ‌ନେଇ ଆସିଛି, ଅନେକ କଥା; ଯାହା ବିଷୟରେ ଆମେ କେବେ ଭାବୁ ନଥିଲେ ବରଂ ଏହାଠାରୁ ଦୂରେଇ ଯାଉଥିଲେ, ‌ସେ ସବୁ କରିବାକୁ ସମୟ ଆମକୁ ବାଧ୍ୟ କରିଛି। ଏହା ଏକ ଭଲ କଥା ବୋଲି ମୁଁ ଭାବୁଛି। କାରଣ ପୂର୍ବରୁ ଆମେ ସବୁବେଳେ କୌଣସି ନା କୌଣସି କାମରେ ବ୍ୟସ୍ତ ରହୁଥିଲେ କିମ୍ବା ବ୍ୟସ୍ତ ଅଛି ବୋଲି କହି ବୁଲୁଥିଲେ। ସମୟ ଯେମିତି ବି ଅଛି, ତାକୁ ଆମକୁ ସେମିତି ଭାବେ ସମ୍ମାନ ଦେବାକୁ ହେବ। ଏହା ଦ୍ବାରା ଆମ ଚଲାପଥର ଅନ୍ଧକାର ଦୂର ହେବା ସହ ଧବଳ ଆଲୋକର ସ୍ପଷ୍ଟ କିରଣ ଏହାକୁ ଆହୁରି ସୁଗମ କରିବ। ମୋ ପାଇଁ ଖାଦ୍ୟ, ଜଳ ଓ ବାସଗୃହ ସହ ମୋ ପରିବାରର ଉତ୍ତମ ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନ୍ୟ ସବୁ ମୋ ପାଇଁ ‘ବୋନସ’ ସଦୃଶ। ଏସବୁ ପାଇଁ ମୁଁ ଭଗବାନଙ୍କ ନିକଟରେ ନତମସ୍ତକ ଓ ଚିରକୃତଜ୍ଞ। ଏବେକାର ଘଡ଼ିସଦ୍ଧି ମୁହୂର୍ତ୍ତରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ସେହି ଗରିବ ‌ଲୋକଙ୍କ ପାଇଁ ମୁଁ ନିୟମିତ ପ୍ରାର୍ଥନା କରୁଛି। ସମସ୍ତେ ସୁରକ୍ଷିତ ଓ ସ୍ବାସ୍ଥ୍ୟବାନ ରହନ୍ତୁ, ଏତିକି ଆଶା କରୁଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ବିରୁଷ୍କା ଭାବେ ପରିଚିତ ଚର୍ଚିତ ଯୋଡ଼ି କୋହଲି ଓ ଅନୁଷ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଆର୍ଥିକ ଦାନ ଦେଇଛନ୍ତି। ତେବେ ଏହାର ପରିମାଣକୁ ସେମାନେ ଗୋପନ ରଖିଛନ୍ତି।

ସମ୍ବନ୍ଧିତ ଖବର