ନୂଆଦିଲ୍ଲୀ: ଲୋକପ୍ରିୟ ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏବେ ୨ଟି ସନ୍ତାନର ମାତାପିତା। ୨୦୨୧ରେ ଝିଅ ଭାମିକା ଓ ୨୦୨୪ରେ ପୁଅ ଅକାୟର ମାତାପିତା ହୋଇଥିବା ବିରୁଷ୍କା ଏପର୍ଯ୍ୟନ୍ତ ନିଜ ପିଲାଙ୍କ ମୁହଁ ଦେଖାଇନାହାନ୍ତି। ହେଲେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ବିରାଟଙ୍କ ପୁଅର ବୋଲି କୁହାଯାଉଛି। ଏବେ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଚାଲିଛି। ରବିବାର ଟେଷ୍ଟ ମ୍ୟାଚରେ ସ୍ବାମୀ ବିରାଟଙ୍କୁ ସମର୍ଥନ କରିବା ପାଇଁ ପର୍ଥରେ ପହଞ୍ଚିଥିଲେ ଅନୁଷ୍କା। ରବିବାର ଦିନ ବିରାଟ ଶତକ କରିବା ପରେ ଖୁସିରେ ଝୁମି ଉଠିଥିଲେ ପତ୍ନୀ ଅନୁଷ୍କା। ଏହି ସମୟର ଭିଡିଓ ଭାଇରାଲ ହେଉଥିବା ବେଳେ ଅନୁଷ୍କାଙ୍କ ପଛରେ ଏକ ଶିଶୁ ଥିବା ଦେଖାଯାଇଥିଲା। ଏହା ଦେଖି ଶିଶୁଟି ଅକାୟ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।
ହେଲେ ପରେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓରେ ପ୍ରକାଶ ପାଇଥିଲା ଯେ, ଭିଡିଓରେ ନଜର ଆସୁଥିବା ଶିଶୁଟ ଅକାୟ ନୁଅନ୍ତି। ଭାଇରାଲ ଭିଡିଓରେ ଦେଖାଯାଇଥିଲା ଯେ, ଅନୁଷ୍କା ପଡ଼ିଆ ଆଡକୁ ଦେଖି ତାଳି ମାରୁଛନ୍ତି ଓ ହସୁଛନ୍ତି। ପଛରେ ଜଣେ ବ୍ୟକ୍ତି ଏକ ଶିଶୁକୁ କୋଳରେ ଧରି ତାକୁ ଶୁଆଇବାକୁ ଚେଷ୍ଟା କରୁଛନ୍ତି। ତେବେ ଶିଶୁଟି ଅକାୟ ନୁହନ୍ତି ବୋଲି ସ୍ପଷ୍ଟ ହେବା ପରେ ଏବେ ଏହି ଚର୍ଚ୍ଚା ଥମିଛି। ଏହା ସହ ଏକ୍ସରୁ ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି।
ଏହା ପୂର୍ବରୁ ଏକ ମ୍ୟାଚରେ ଅନୁଷ୍କା ଝିଅ ଭାମିକାଙ୍କୁ ନେଇ ପହଞ୍ଚିଥିଲେ। ସେ ଝିଅର ମୁହଁ ଦେଖାଇବାକୁ ଚାହୁନଥିବା ବେଳେ ଷ୍ଡାଡିୟମରେ ଲାଗିଥିବା କ୍ୟାମେରାରେ ଝିଅର ମୁହଁ କଏଦ ହୋଇଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହାକୁ ନିନ୍ଦା କରିଥିଲେ ଉଭୟ ବିରାଟ ଓ ଅନୁଷ୍କା।